ଲକ୍ଷ୍ନୌ: ମହାମାରୀ କରୋନା ଆତଙ୍କ ସୃଷ୍ଟିକରିଥିବା ବେଳେ ଲୋକମାନଙ୍କୁ ସଚେତନ କରାଇବା ଓ ସେମାନଙ୍କୁ କରୋନାଠାରୁ ଦୂରେଇ ରଖିବା ଲାଗି ଆବଶ୍ୟକ ହେଉଥିବା ଜିନିଷ ଯୋଗାଇଦେବା ଏବେ ପ୍ରଧାନ କର୍ତ୍ତବ୍ୟ ହୋଇଛି। ଏହାକୁ ଗୁରୁତ୍ୱଦେଇ ଉତ୍ତରପ୍ରଦେଶ ପ୍ରଶାସନ ପକ୍ଷରୁ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ୫୦୦ରୁ ଊର୍ଦ୍ଧ୍ୱ ପୋଷ୍ଟ ଅଫିସରେ ହ୍ୟାଣ୍ଡ୍ ସାନିଟାଇଜର ବିକ୍ରି କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉତ୍ତରପ୍ରଦେଶର ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ କୌଶଳେନ୍ଦ୍ର କୁମାର ସିହ୍ନା ଏନେଇ କହିଛନ୍ତି, ଡାକ ବିଭାଗ ଏଥିଲାଗି ମେଘଦୂତ ଗ୍ରାମୋଦ୍ୟୋଗ ସେବା ସଂସ୍ଥାନ ସହ ଚୁକ୍ତି ସ୍ବାକ୍ଷର କରିଛି। ଏହି କୋଅପରେଟିଭ୍ ସଂସ୍ଥା ହ୍ୟାଣ୍ଡ୍ ସାନିଟାଇଜର ଯୋଗାଇଦେବ। ଡାକ ବିଭାଗ ପକ୍ଷରୁ ଏହି ସାନିଟାଇଜର ଜୁନ୍ ୧୫ରୁ ବର୍ଷକ ଲାଗି ବିକ୍ରି କରାଯିବ। ଡାକ ବିଭାଗ ଲକ୍ଡାଉନ୍ ସମୟରେ ମଧ୍ୟ କାର୍ଯ୍ୟ ଜାରି ରଖିଥିଲା। ମେଲ୍ ଦେବାଠାରୁ ଆରମ୍ଭ କରି ପୋଷ୍ଟମ୍ୟାନ୍ ହସ୍ପିଟାଲକୁ ଭେଣ୍ଟିଲେଟର, କୋଭିଡ୍-୧୯ ଟେଷ୍ଟ କିଟ୍ସ ଯୋଗାଇବା କାର୍ଯ୍ୟ ଆଦି କରିଆସୁଛନ୍ତି। ଏଥିସହ ୩୦ ଲକ୍ଷରୁ ଅଧିକ ଲୋକଙ୍କୁ ଲକ୍ଡାଉନ୍ ସମୟରେ ଟଙ୍କା ପ୍ରଦାନ କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ଉଗ୍ରରୂପ ଧାରଣ କରୁଥିବାରୁ ବିଭିନ୍ନ ଡାକଘରେ ହ୍ୟାଣ୍ଡ୍ ସାନିଟାଇଜର ବିକ୍ରି କରାଯିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଥିବା ସିହ୍ନା ପ୍ରକାଶ କରିଛନ୍ତି।