ଯୋଡ଼ା, ୧୪।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରର ମଧ୍ୟଭାଗରେ ଥିବା ଯୋଡା ପୋଷ୍ଟ ଅଫିସ୍ରେ ହେଉଥିବା ଆଧାର ସଂଶୋଧନ ପ୍ରକୋଷ୍ଠଟି ବନ୍ଦ ପଡିଥିବା ଯୋଗୁ ଲୋକେ ହୀନସ୍ତା ହେଉଥିବା ଅଭିଯୋଗ କରିଛନ୍ତି। ଯୋଡା ସହରର ବିପ୍ଳବ ଚାଟାର୍ଜୀ, ସମୀର ଦାସ, ମହମ୍ମଦ ଅଲୀ, ସୁଧାଂଶୁ ବାରିକ, ପୀତାମ୍ବର ସା, କାଠିଆ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ସମସ୍ତ ପୋଷ୍ଟ ଅଫିସ୍ରେ ଲୋକମାନଙ୍କୁ ଆଧାର ସମ୍ବନ୍ଧୀୟ ସମସ୍ତ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ଏଣୁ ସାଧାରଣ ଲୋକେ ଆଧାର କାର୍ଯ୍ୟ କରାଇବା ପାଇଁ ପୋଷ୍ଟ ଅଫିସ୍ର ଦ୍ୱାରସ୍ଥ ହେଉଛନ୍ତି। ମାତ୍ର ଯୋଡା ପୌରପାଳିକାର ୭ନଂ ଓ୍ବାର୍ଡ ସୁପର ମାର୍କେଟ ନିକଟସ୍ଥ ପୋଷ୍ଟ ଅଫିସରେ ଥିବା ଆଧାର ସଂଶୋଧନ ପ୍ରକୋଷ୍ଠଟି ଦୀର୍ଘ ୨୦ ଦିନ ହେବ ବନ୍ଦହୋଇ ରହିଛି। ଫଳରେ ଲୋକେ ବାରମ୍ବାର ଏଠାକୁ ଆଧାର କାର୍ଡ କାର୍ଯ୍ୟ କରିବା ପାଇଁ ଆସୁଥିବା ବେଳେ ପୋଷ୍ଟ ଅଫିସ୍ ପକ୍ଷରୁ ଷ୍ଟାଫ ନାହାନ୍ତି, କାଲି ଆସନ୍ତୁ ଏପରି କହି ଫେରାଇ ଦିଆଯାଉଥିବା ଅଭିଯୋଗ କରିଛନ୍ତି।
ସେମାନେ ଆହୁରି ଅଭିଯୋଗ କରି କହିଛନ୍ତି ଯେ, ଆଧାର ତ୍ରୁଟି ଯୋଗୁ ସେମାନଙ୍କର ରାଶନ କାର୍ଡ ସହିତ ଆଧାର କାର୍ଡ ଲିଙ୍କ ହୋଇ ପାରୁ ନ ଥିବାରୁ ପିଡିଏସ ସାମଗ୍ରୀରୁ ସେମାନେ ବଞ୍ଚିତ ହେଉଛନ୍ତି। ଏ ସମ୍ପର୍କରେ ପୋଷ୍ଟ ମାଷ୍ଟର ସୁଜିତ କୁମାର ପାଲଙ୍କୁ ପଚାରିବାରୁ ଦୈନିକ ୨ ଘଣ୍ଟା ପାଇଁ ଉକ୍ତ ପ୍ରକୋଷ୍ଠରେ ଜଣେ କର୍ମଚାରୀ ପାର୍ଟ ଟାଇମ୍ ଭାବେ କାର୍ଯ୍ୟ କରୁଛନ୍ତି। ହେଲେ ଉକ୍ତ କର୍ମଚାରୀ ଜଣଙ୍କୁ ଅନ୍ୟ କାର୍ଯ୍ୟ ଦିଆଯିବାରୁ ସେ ଏହି କାର୍ଯ୍ୟ କରିପାରୁନାହାନ୍ତି। କର୍ମଚାରୀ ଅଭାବ ହେତୁ ପ୍ରକୋଷ୍ଠ ଖୋଲାଯାଇପାରୁନାହିଁ। ଏଥିପାଇଁ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ପାଇଁ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ହେଁ, ତାହା ପୂରଣ ହୋଇପାରୁନାହିଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ା