ପୌରପାଳିକା ଜାଗାରୁ ମାଟି ଚୋରା ଚାଲାଣ ଘଟଣା: ତଦନ୍ତ ଆରମ୍ଭ କଲେ ତହସିଲଦାର

ଅନୁଗୋଳ ଅଫିସ, ୨୦।୧୨- ଅନୁଗୋଳ ପୌରପାଳିକା ଡମ୍ପିଂୟାର୍ଡ୍‌ ପାଇଁ ମିଳିଥିବା ୫ ଏକର ଜାଗାରୁ ରାତିରେ ମାଟି ଚୋରା ଚାଲାଣ ସମ୍ପର୍କିତ ଖବର ଗୁରୁବାର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲାପାଳ ମନୋଜ କୁମାର ମହାନ୍ତି ଏହାର ତଦନ୍ତ ପାଇଁ ବଅଁରପାଳ ତହସିଲଦାର ଜିତେନ୍ଦ୍ର କୁମାର ସାହୁଙ୍କୁ ନିର୍ଦ୍ଦେଶ ଦେବା ପରେ ଅପରାହ୍ନରେ ତହସିଲଦାର ଓ କୁରୁଡ଼ୁଲୁ ଆର୍‌ଆଇ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ ଯେ, ବଅଁରପାଳ ତହସିଲ ପକ୍ଷରୁ କୁଶାସିଂହାରେ ୪ ବର୍ଷ ପୂର୍ବରୁ ୫ ଏକର ଜାଗା ଅନୁଗୋଳ ପୌରପାଳିକାକୁ ଯୋଗାଇ ଦିଆଯାଇଥିଲା। ଏହି ଜାଗାରେ ପୌରପାଳିକାର ଡମ୍ପିଂୟାର୍ଡ୍‌ ନିର୍ମାଣ କରାଯିବ ବୋଲି ପ୍ରସ୍ତାବ ରହିଥିଲା। କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ କରିବାରୁ ଉକ୍ତ ଜାଗାରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ଏହାର ସୁଯୋଗ ନେଇ ଉକ୍ତ ଜାଗାରୁ ଚୋରାରେ ମାଟି ଚାଲାଣ କରାଯାଉଥିଲେ ବି ଏ ନେଇ ପ୍ରଶାସନ ନିକଟରେ କୌଣସି ସୂଚନା ନ ଥିଲା। ଏ ସମ୍ପର୍କିତ ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଶହ ଶହ ଟ୍ରିପ୍‌ ମାଟି ଜେସିବିରେ ଖୋଳି ଟିପ୍ପର୍‌ରେ କେଉଁଠାକୁ ବୁହାଯାଇଛି ତାହାର ଅନୁଧ୍ୟାନ ଚଳାଇଛି ପ୍ରଶାସନ। ଏ ନେଇ ଅନୁଗୋଳ ପୌରନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, କାର୍ଯ୍ୟବ୍ୟସ୍ତତା କାରଣରୁ ଘଟଣାସ୍ଥଳକୁ ଅନୁଧ୍ୟାନ କରିବାକୁ ଯାଇପାରିନାହିଁ। ଶୁକ୍ରବାର ପୂର୍ବାହ୍ନରେ ଘଟଣାସ୍ଥଳକୁ ଯିବି। ବଅଁରପାଳ ତହସିଲଦାର ସାହୁ କହିଛନ୍ତି, ଘଟଣାସ୍ଥଳକୁ ଅନୁଧ୍ୟାନ କରିବାକୁ ଯାଇଥିଲି। ସେଠାରୁ ଚୋରାରେ ମାଟି ଚାଲାଣ ହେଉଛି। ଏବେ ତଦନ୍ତ ଚାଲୁଥିବାରୁ କିଛି କହି ହେବ ନାହିଁ। ଏହି ମାଟି ଚୋରା ଚାଲାଣ ଗ୍ୟାଙ୍ଗର ଖୁବ୍‌ଶୀଘ୍ର ପର୍ଦ୍ଦାଫାସ କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି।

Share