ପ୍ରକଳ୍ପରୁ ମିଳୁନି ପାନୀୟ ଜଳ: ପୋଖରୀ ପାଣି ଭରସା

ଖଣ୍ଡପଡ଼ା/ଭାପୁର,୨୭ା୪(ସ୍ବ.ପ୍ର./ଡି.ଏନ.ଏ.): ଭାପୁର ବ୍ଲକ ବାଇଗୁଣିଆଁ ପଞ୍ଚାୟତ କେଶରସିଂ ନୂଆସାହି ଗ୍ରାମବାସୀଙ୍କ ପାଇଁ ପାନୀୟଜଳ ମୁଖ୍ୟ ସମସ୍ୟା ହୋଇଛି। ପ୍ରକଳ୍ପ ଥିଲେ ବି ସେଥିରୁ ଜଳ ମିଳୁନି। ଫଳରେ ପୋଖରୀ ପାଣି ଲୋକଙ୍କ ଭରସା ହୋଇଛି।
ପ୍ରାୟ ୫ବର୍ଷ ପୂର୍ବେ ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ହୋଇଥିଲା। ଗ୍ରାମକୁ ପାଇପ୍‌ଲାଇନ ବିଛାଯାଇ ଗ୍ରାମ ମଧ୍ୟଭାଗରେ ଥିବା ୩ଟି ଷ୍ଟାଣ୍ଡ୍‌ପୋଷ୍ଟ ମାଧ୍ୟମରେ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା ହୋଇଛି। ମାତ୍ର ଉକ୍ତ ଷ୍ଟାଣ୍ଡ୍‌ପୋଷ୍ଟରେ ପାନୀୟ ଜଳ ଉପଲବ୍ଧ ହେଉନାହିଁ। ଫଳରେ ଗ୍ରୀଷ୍ମପ୍ରବାହ ସମୟରେ ନୂଆସାହି ବାସିନ୍ଦା ପାନୀୟ ଜଳ ମୁନ୍ଦେ ନିିମନ୍ତେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଧ୍ୟହୋଇ ସେମାନେ ନିକଟସ୍ଥ ଦୋସରିବନ୍ଧ ପୋଖରୀରୁ ଜଳ ଆଣି ଚଳୁଥିବା ନେଇ ଗ୍ରାମର ରମ୍ଭା ଦେଈ, ସୁବାସ ପ୍ରଧାନ, ରମେଶ ପ୍ରଧାନ, ଦେବେନ୍ଦ୍ର ସେଠୀ ପ୍ରମୁଖ ପ୍ରକାଶ କରିଛନ୍ତି। ପୋଖରୀର ଗୋଳିଆ ପାଣି ବ୍ୟବହାର କରି ବହୁ ଲୋକ ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଗ୍ରାମରେ ଏକ ନଳକୂପ ଥିଲେ ମଧ୍ୟ ସେଥିରୁ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଥିବାରୁ ତାହା ବ୍ୟବହାର ଅନୁପଯୋଗୀ ହୋଇଛି। ଗ୍ରାମବାସୀ ଏ ସମ୍ପର୍କରେ ପଞ୍ଚାୟତ, ବ୍ଲକ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କର୍ତ୍ତପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳି ନାହିଁ। ତୁରନ୍ତ ସାହି ବାସିନ୍ଦାଙ୍କୁ ପାଇପ୍‌ଲାଇନ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠଯନ୍ତ୍ରୀ ଅମରେଶ ଚନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ପାଇପ୍‌ଲାଇନର କେତେକ ସ୍ଥାନରେ ଲିକେଜ୍‌ ଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଆସନ୍ତା ୨/୩ ଦିନ ମଧ୍ୟରେ ଏହାକୁ ମରାମତି କରାଯାଇ ଲୋକମାନଙ୍କୁ ସ୍ବଚ୍ଛ ପାନୀୟଜଳ ଯୋଗାଇବା ବ୍ୟବସ୍ଥା କରାଯିବ।

Share