ପ୍ରକଳ୍ପ ଅଧାପନ୍ତରିଆ, ଟ୍ୟାଙ୍କର ପାଣି ଯୋଗାଇ ଦେବାକୁ ଦାବି

ଲାଠୋର, ୧୮ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଫଳରେ ୨ୱାର୍ଡ ବିଶିଷ୍ଟ ଏହି ଗ୍ରାମର ୧୨ଶହରୁ ଊର୍ଦ୍ଧ୍ୱ ଲୋକେ ପାଣି ପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅବିଳମ୍ବେ ଏହି ଗାଁକୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ ଲାଗି ଗ୍ରାମବାସୀ ବିଡିଓଙ୍କ ନିକଟରେ ଦାବି କରିଛନ୍ତି।
ଦୀର୍ଘବର୍ଷ ହେଲା ସାନଗୁର୍ଜିଭଟା ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏହାକୁ ଲକ୍ଷ୍ୟ କରି ଗ୍ରାମରେ ଏକ ଜଳଯୋଗାଣ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। କୂପ ଖୋଳା କାମ ୬ମାସ ହେଲା ସରିଛି। ଓଭରହେଡ ଟ୍ୟାଙ୍କ ନିର୍ମାଣ ଆରମ୍ଭ ହୋଇଥିଲେ ହେଁ ଅଧାପନ୍ତରିଆ ହୋଇ ପଡିରହିଛି। ଏବେ କାମ ବନ୍ଦ ରହିଛି। ତାତି ବଢ଼ିବା ସାଙ୍ଗକୁ ଲକ୍‌ଡାଉନ ଯୋଗୁ ଗ୍ରାମବାସୀ ବାହାରକୁ ବାହାରି ପାରୁ ନ ଥିବାରୁ ପାଣିର ଆବଶ୍ୟକତା ବଢି ଯାଇଛି। ଗାଁରେ ରହିଛି ୬ଟି ନଳକୂପ। ହେଲେ ସେ ସବୁରୁ ଆବଶ୍ୟକ ଅନୁଯାୟୀ ପାଣି ବାହାରୁ ନାହିଁ। ଅପରପକ୍ଷେ ପାରମ୍ପରିକ ଜଳଉତ୍ସ ସବୁ ଶୁଖି ଗଲାଣି। ଏହି ସମୟରେ ଗ୍ରାମବାସୀ ଜଳ ପ୍ରକଳ୍ପ କଥା ମନେ ପକାଉଛନ୍ତି। ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଥିଲେ ସେମାନେ ସ୍ବଚ୍ଛ ଓ ନିରନ୍ତର ପାଇପ ପାଣି ପାଇ ପାରିଥାନ୍ତେ। ଜଳକଷ୍ଟ ଦୂର ହୋଇଥାନ୍ତା। ଏ ନେଇ ସେମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିିଳି ନ ଥିବା ଗ୍ରାମବାସୀ କହିଛନ୍ତି। ଆଗକୁ ଗାଁରେ ଜଳକଷ୍ଟ ଗୁରୁତର ରୂପ ଧାରଣା କରିବା ଆଶଙ୍କା ଦେଖାଦେଇଛି। ଏ ନେଇ କରୁଆଁଝର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପୃଥୀରାଜ ରାଉତଙ୍କୁ ପଚାରିବାରୁ କହିଛନ୍ତି ଯେ, ବିଡିଓଙ୍କ ସହ ଆଲୋଚନା ପରେ ସମସ୍ୟାର ସମାଧାନ କରାଯିବ।

Share