Categories: ଗଞ୍ଜାମ

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ପରାମର୍ଶ ଦେଲେ ପିଡି

ଦାରିଙ୍ଗବାଡ଼ି,୧୩ା୬(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏବଂ କନ୍ଧମାଳ ଡିଆରଡିଏର ପ୍ରକଳ୍ପ ପ୍ରଶାସକ ବିଶ୍ୱନାଥ ବାରିକ ସମୀକ୍ଷା କରିଛନ୍ତି। ଉଭୟ ଦାରିଙ୍ଗବାଡ଼ିରେ ପହଞ୍ଚି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ଅଞ୍ଚଳରେ ଲାଗି ରହିଥିବା ଏମ୍‌ଜିଏନ୍‌ଇଆରଇଜିଏସ୍‌ କାର୍ଯ୍ୟ ସମେତ ପିଇବା ପାଣିର ସମସ୍ୟା ଦୂର ପାଇଁ ଆଲୋଚନା କରିଛନ୍ତି। ଦାରିଙ୍ଗବାଡ଼ି ପଞ୍ଚାୟତ କାର୍ଯ୍ୟାଳୟର ଅବ୍ୟବସ୍ଥା ଏବଂ ଦୀର୍ଘଦିନ ଧରି ପ୍ରଥମଶ୍ରେଣୀ ବିଚାର ବିଭାଗ କୋର୍ଟ ସେଠାରେ ଚାଲିବା ପରେ ଏବେ କୋର୍ଟ ନିଜସ୍ବ କୋଠାକୁ ଘୁଞ୍ଚାଇ ଦିଆଯାଇଥିଲେ ସୁଦ୍ଧା କୋର୍ଟ ଉକ୍ତ ପଞ୍ଚାୟତ ଗୃହକୁ ଫେରି ନ ଥିବା ନେଇ ଆଲୋଚନା କରାଯାଇଥିଲା। ଶୀଘ୍ର ଫେରାଇ ଆଣିବାକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାସ ନାୟକଙ୍କୁ ବିଧାୟକ ପ୍ରଧାନ ଏବଂ ପ୍ରକଳ୍ପ ପ୍ରଶାସକ ପରାମର୍ଶ ଦେଇଛନ୍ତି। ସେହିପରି ବିଭିନ୍ନ ଯୋଜନାରେ ଚାଲିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ପ୍ରକଳ୍ପ ପ୍ରଶାସକ ବିଭାଗୀୟ ଅଧିକାରୀ ଏବଂ ବିଡିଓ ତ୍ରିଲୋଚନ ପାତ୍ରଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନ, ଆକାଉଣ୍ଟସ୍‌ ଅଫିସର କ୍ଷେତ୍ରୀବର ଜାନି, ଏପିଓ କେଦାର ଚନ୍ଦ୍ର ପଣ୍ଡା, ବହୁମୁଖୀ ସମବାୟ ସମିତିର ସଭାପତି ଧର୍ମେନ୍ଦ୍ର ପ୍ରଧାନ, ପର୍ତ୍ତମାହା ସରପଞ୍ଚ ଫଗୁ ପ୍ରଧାନ, ତିଲୋରୀ ସମିତିସଭ୍ୟ ଇନ୍ଦ୍ରଜିତ୍‌ ପ୍ରଧାନଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।