ପ୍ରକାଶ ପାଇଛି ବିଜ୍ଞପ୍ତି: କାଳିଆ ଯୋଜନାରେ ସାମିଲ ଅଯୋଗ୍ୟ ହିତାଧିକାରୀଙ୍କ ଟଙ୍କା ଫେରିବ

ଭୁବନେଶ୍ୱର, ୬ା୮(ବ୍ୟୁରୋ): କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୧ଲକ୍ଷ ହିତାଧିକାରୀଙ୍କୁ ସରକାର ଅର୍ଥ ପ୍ରଦାନ କରିଛନ୍ତି। ଆଗକୁ ଆଉ ୨୪ ଲକ୍ଷ କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ ଚାଷୀଙ୍କୁ ଏଥିରେ ସାମିଲ କରାଯିବ ବୋଲି ସରକାର କହିଥିଲେ। ଏହି ଯୋଜନାରେ ମୋଟ ୭୫ଲକ୍ଷ ଚାଷୀଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଏହି ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କ ମଧ୍ୟରୁ ଅଯୋଗ୍ୟଙ୍କୁ ବାଦ୍‌ ଦେବା ପାଇଁ ସରକାର ବର୍ତ୍ତମାନ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା କାଳିଆ ଯୋଜନାରେ ସହାୟତା ରାଶି ପାଇଥିବା ସମସ୍ତ ହିତାଧିକାରୀଙ୍କ ତାଲିକା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ପ୍ରାଥମିକ ସେବା ସମବାୟ ସମିତିରେ ମଙ୍ଗଳବାର ଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ତାଲିକା ଟଙ୍ଗାଯିବ। ଉକ୍ତ ତାଲିକାରେ ସ୍ଥାନ ପାଇଥିବା ହିତାଧିକାରୀ ଯଦି ନିଜକୁ ଅଯୋଗ୍ୟ ବୋଲି ଅନୁଭବ କରନ୍ତି ତେବେ ସେମାନେ ପଞ୍ଚାୟତସ୍ତରୀୟ ନୋଡାଲ ଅଧିକାରୀଙ୍କୁ ଜଣାଇପାରିବେ। ଏଥିପାଇଁ ଏକ ଫର୍ମ ମଧ୍ୟ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ସେମାନେ ଏହାପରେ ପାଇଥିବା କାଳିଆ ଟଙ୍କା ଫେରସ୍ତ କରିପାରିବେ। ସେମାନେ ଯଦି ଚାହାନ୍ତି ତାଙ୍କ ନାଁକୁ ଗୋପନ ରଖାଯିବ। ଏହାସହ ଯଦି କୌଣସି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବାକୁ ଚାହିଁବେ ସେମାନେ ନିଜ ଅଞ୍ଚଳରେ ଥିବା ସାଧାରଣ ସେବା କେନ୍ଦ୍ର ସହାୟତାରେ ଅନ୍‌ଲାଇନ ଦ୍ୱାରା ଆସନ୍ତା ୧୪ ତାରିଖ ମଧ୍ୟରେ ଦରଖାସ୍ତ ଦେଇପାରିବେ। ଅନ୍ୟପଟେ ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇବା ଲାଗି ସରକାରଙ୍କ ପକ୍ଷରୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ଦିଆଯାଇଛି।

Share