Posted inଫୁରସତ

ପ୍ରକୃତି ବନ୍ଧୁ ‘ଇ-ଯାନ’: ଇକୋ ଫ୍ରେଣ୍ଡ୍‌ଲି, ରକ୍ଷଣାବେକ୍ଷଣ ଖର୍ଚ୍ଚ ବି କମ୍‌

ବିଶ୍ୱତାପନ ଓ ପରିବେଶ ପ୍ରଦୂଷଣ କଥା ଦେଖିଲେ ଯାନବାହନ ହିଁ ପ୍ରଦୂଷଣର ଅନ୍ୟତମ କାରଣ। ତେଣୁ ଏଥିଯୋଗୁ ହେଉଥିବା ବାୟୁ ଓ ଶବ୍ଦ ପ୍ରଦୂଷଣକୁ ଯଦି ରୋକାଯାଇପାରିବ, ତେବେ ଆମେ କିଛିମାତ୍ରାରେ ଆଶ୍ବସ୍ତି ଲାଭ କରିପାରିବା। ଯାହାକୁ ଅନେକ ମାତ୍ରାରେ ସମାଧାନ କରିପାରିବ ଇଲେକ୍ଟ୍ରିଚାଳିତ ଯାନ।

ଧୀରେ ଧୀରେ ସହରୀ ଜୀବନ ହେବାକୁ ଲାଗିଲାଣି ଦୁର୍ବିସହ। କାରଣ ଜହର ପାଲଟିଗଲାଣି ଏହାର ଜଳବାୟୁ। ଆଉ ଏହାପଛର ମୁଖ୍ୟ କାରଣ ହେଉଛି ଯାନବାହନରୁ ନିର୍ଗତ ଧୂଆଁ, ଯାହାକି ବିଶ୍ୱତାପନ ପାଇଁ ବି ଦାୟୀ। ସେଥିପାଇଁ ଏବେ ଏଭଳି ଯାନବାହନର ଆବଶ୍ୟକତା ରହିଛି ଯାହା ପ୍ରଦୂଷଣ କମାଇବ ଅଥବା ଗ୍ରୀନ ହାଉସ୍‌ ଗ୍ୟାସ୍‌ ନିର୍ଗତ କରୁ ନ ଥିବ। ସେଥିପାଇଁ ପ୍ରଥମେ ପେଟ୍ରୋଲ, ଡିଜେଲ ଭଳି ଇନ୍ଧନର ବ୍ୟବହାର କମାଇବାକୁ ହେବ। ଏହାବ୍ୟତୀତ ଶବ୍ଦ ପ୍ରଦୂଷଣ ବି ବଢିବାକୁ ଲାଗିଛି। ଏସବୁ ସମସ୍ୟାର ସମାଧାନ ପାଇଁ ବୈଦ୍ୟୁତିକ ଯାନବାହନ ହେଉଛି ଏକ ଭଲ ଉପାୟ। ଏହା ଇକୋ ଫ୍ରେଣ୍ଡ୍‌ଲି ହେବା ସହ ଏଥିରେ ଇନ୍ଧନ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବି କମ୍‌। ଶବ୍ଦ ପ୍ରଦୂଷଣର ସମସ୍ୟା ବି ନାହିଁ। ଯଦିଓ ଆଜିକାଲି କିଛି ଅଟୋମୋବାଇଲ୍‌ରେ ଏନର୍ଜି ଏଫିସିଏନ୍ସି ଓ ଏମିଶନ୍‌ ରିଡକ୍ସନ ପଦ୍ଧତି ବିକାଶ କରାଯାଇଛି। ହେଲେ ରାସ୍ତାରେ ବଢି ଚାଲିଥିବା ଯାନବାହନ ସଂଖ୍ୟା ଦ୍ୱାରା ଏହାର ଲାଭ ସେତେଟା ମିଳିପାରୁ ନାହିଁ। ଆଉ ବଢିଚାଲିଛି ପ୍ରଦୂଷଣ। ସେଥିପାଇଁ ବୈଦ୍ୟୁତିକ ଯାନର ଏବେ ବଢୁଛି ଆଦର।

ବୈଦ୍ୟୁତିକ ଯାନକୁ ନେଇ ଭାରତ ସରକାରଙ୍କ ଯୋଜନା- ଭାରତ ସରକାର ବି ଇ-ଯାନକୁ ଗୁରୁତ୍ୱର ସହ ନେଇ ୨୦୧୩ରେ ଆରମ୍ଭ କରିଛନ୍ତି ‘ନ୍ୟାଶନାଲ ଇଲେକ୍ଟ୍ରିକ୍‌ ମୋବିଲିଟି ମିଶନ ପ୍ଲାନ୍‌ ୨୦୨୦’। ୨୦୧୫ ମାର୍ଚ୍ଚରେ ଘୋଷଣା ହୋଇଥିବା ‘ଫାଷ୍ଟର ଆଡପ୍ସନ ଆଣ୍ଡ ମାନୁଫାକ୍ଚରିଂ ଅଫ୍‌ ହାଇବ୍ରିଡ୍‌ ଆଣ୍ଡ ଇଲେକ୍ଟ୍ରିକ୍‌ ଭେହିକଲ୍‌’(ଏଫ୍‌ଏଏମ୍‌ଇ) ଯୋଜନା ଏହି ମିଶନ୍‌ର ଅନ୍ତର୍ଭୁକ୍ତ। ଉକ୍ତ ଯୋଜନା ବୈଦ୍ୟୁତିକ ଯାନ କିଣିବା ପାଇଁ ପ୍ରାରମ୍ଭିକ ସହାୟତା ପ୍ରଦାନ କରିଥାଏ। ତା’ସହ ଦେଶରେ ଚାର୍ଜିଂ ଇନଫ୍ରାଷ୍ଟ୍ରକ୍ଚର ସଂଖ୍ୟା ବୃଦ୍ଧି ପାଇଁ ଟେଣ୍ଡର ବି ବାହାର କରାଯାଉଛି। କେବଳ ସେତିକି ନୁହେଁ ବର୍ତ୍ତମାନ ସରକାର ଏଭଳି ଏକ ଯୋଜନା କରିଛନ୍ତି, ଯାହାଦ୍ୱାରା ଉଭୟ କ୍ରେତା ଓ ଉତ୍ପାଦନକାରୀ ଲାଭବାନ ହେବେ। ଏଥିରେ କ୍ରେତାଙ୍କୁ ୧.୪ ବିଲିୟନ ଡଲାର ସବ୍‌ସିଡି ପ୍ରଦାନ କରାଯିବ। ଅନ୍ୟପକ୍ଷେ ଘରୋଇ କମ୍ପାନୀଗୁଡିକ ଯେମିତି ଏହି ଯାନର ଉତ୍ପାଦନ ଅଧିକରୁ ଅଧିକ କରିବେ, ସେଥିପାଇଁ ଆମଦାନୀ ଶୁଳ୍କ ବଢାଯିବ। ସରକାରଙ୍କର ଏବେ ମୁଖ୍ୟ ଲକ୍ଷ୍ୟ ରହିଛି ପବ୍ଲିକ୍‌ ଟ୍ରାନ୍ସପୋର୍ଟେଶନ୍‌କୁ ବିଦ୍ୟୁତୀକରଣ କରିବା। ଏଥିରେ କିଛି ରାଜ୍ୟ ବି ସହଯୋଗ କରୁଛନ୍ତି। କର୍ନାଟକ ହେଉଛି ବୈଦ୍ୟୁତିକ ଯାନକୁ ନେଇ ଯୋଜନା ଆରମ୍ଭ କରିଥିବା ପ୍ରଥମ ରାଜ୍ୟ। ଏଠାକାର ସରକାରଙ୍କ ଲକ୍ଷ୍ୟ ହେଉଛି ବାଙ୍ଗାଲୋରକୁ ବୈଦ୍ୟୁତିକ ଯାନ କ୍ୟାପିଟାଲ କରିବା। ଦିଲ୍ଲୀ ସରକାର ଏବେ ୧୦୦୦ ବୈଦ୍ୟୁତିକ ବସ୍‌ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ସିଷ୍ଟମ୍‌ରେ ବ୍ୟବହାର କରିବା ପାଇଁ ଅନୁମୋଦନ କରିଛନ୍ତି। ଉତ୍ତରାଖଣ୍ଡ ଓ ମହାରାଷ୍ଟ୍ର ସରକାର ଏହାର ଉତ୍ପାଦନ ଓ ଚାହିଦା ବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା କରିଛନ୍ତି। ଉତ୍ତରାଖଣ୍ଡରେ କମ୍ପାନୀଗୁଡିକୁ ଏହି ଯାନ ନିର୍ମାଣ ଓ ଚାର୍ଜିଂ ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରତିଷ୍ଠା କରିବା ଲାଗି ୧୦-୫୦ କୋଟି ଋଣ ଦେଉଥିବାବେଳେ ମହାରାଷ୍ଟ୍ରରେ ବୈଦ୍ୟୁତିକ ଯାନ ଉପରେ ରୋଡ୍‌ ଟ୍ୟାକ୍ସ ଛାଡ କରାଯାଇଛି। ତା’ସହ ପ୍ରଥମ ୧ ଲକ୍ଷ ରେଜିଷ୍ଟ୍ରେଶନ୍‌ରେ ୧୫% ଛାଡ ଦିଆଯାଉଛି। ଉତ୍ତରପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ ଆଦି ରାଜ୍ୟ ମଧ୍ୟ ବୈଦ୍ୟୁତିକ ଯାନ ଯୋଜନା ମାଧ୍ୟମରେ ପରିବର୍ତ୍ତନ ଆଣିବା ଦୌଡରେ ସାମିଲ ହୋଇଛନ୍ତି। ‘ପ୍ଲଗ୍‌ ଇନ୍‌ ଇଣ୍ଡିଆ’ ନାମକ ଏକ ସୋସିଆଲ ଏଣ୍ଟରପ୍ରାଇଜ୍‌, ଚାର୍ଜିଂ ସମସ୍ୟାକୁ ଦୂର କରିବା ଲାଗି କମ୍ୟୁନିଟି ଚାର୍ଜିଂ ଷ୍ଟେଶନ୍‌ ଗଢିବାର ପ୍ରାରମ୍ଭିକ ଉଦ୍ୟମ କରିଛି। ଏହା ବିଭିନ୍ନ ଫୁଏଲ ଷ୍ଟେଶନ୍‌ରେ ସୋଲାର୍‌ ପାଓ୍ବାର୍‌ର ଚାର୍ଜିଂ ପଏଣ୍ଟ କରିବାର ଯୋଜନା ରଖିଛି।

ଅଧିକାଂଶ ଯାନ ହେବ ବୈଦ୍ୟୁତିକ- ଭାରତ ସରକାରଙ୍କ ‘ନ୍ୟାଶନାଲ ଇଲେକ୍ଟ୍ରିକ୍‌ ମୋବିଲିଟି ମିଶନ୍‌ ପ୍ଲାନ ୨୦୨୦’ ଯୋଜନାର ଲକ୍ଷ୍ୟ ରହିଛି ୨୦୩୦ ସୁଦ୍ଧା ଅଧିକାଂଶ ଯାନକୁ ବିଦ୍ୟୁତୀକରଣ କରିବା। ତେଣୁ ଓଲା, ଉବର୍‌ ଭଳି ଆପ୍‌ ବେଶ୍‌ଡ ଟ୍ରାନ୍ସପୋର୍ଟେଶନ୍‌ ନେଟଓ୍ବର୍କ କମ୍ପାନୀରେ ଆଗାମୀ ୨୦ ବର୍ଷ ଭିତରେ ବୈଦ୍ୟୁତିକ କାର୍‌ର ବ୍ୟବହାର ହେବାର ଲକ୍ଷ୍ୟ ରଖାଯାଇଛି। ୨୦୨୬ ସୁଦ୍ଧା ଏହାର ୪୦% କାର୍‌କୁ ବିଦ୍ୟୁତୀକରଣ କରାଯିବାର ଯୋଜନା ରହିଛି। ଏସବୁକୁ ନଜରରେ ରଖି ଭାରତର ଅନେକ କମ୍ପାନୀ ବୈଦ୍ୟୁତିକ ଯାନ ଉତ୍ପାଦନ କରିବା ଆରମ୍ଭ କରିଛନ୍ତି। ତା’ଛଡା କିଛି ବାହାର କମ୍ପାନୀ ବି ଭାରତରେ ଉତ୍ପାଦନ ଆରମ୍ଭ କରିଛନ୍ତି। ଭାରତରେ ଉପଲବ୍ଧ ହେଉଥିବା ବୈଦ୍ୟୁତିକ କାର୍‌ ହେଉଛି- ମହିନ୍ଦ୍ରା ଇ-ଭେରିଟୋ, ମହିନ୍ଦ୍ରା ଇ-୨୦। ଭାରତରେ କିଛି କମ୍ପାନୀ ବୈଦ୍ୟୁତିକ ସ୍କୁଟର ଉନ୍ମୋଚନ କରିଛନ୍ତି, ଯେମିତିକି- ଓକିନାଓ୍ବା ଅଟୋଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ହିରୋ ଇଲେକ୍ଟ୍ରିକ୍‌, ଆଥର୍‌ ଏନର୍ଜି ପ୍ରା.ଲି., କେଏଲ୍‌୍‌ବି କୋମାକି ପ୍ରା.ଲି., ଆଭାନ୍‌ ମୋଟର୍ସ ଆଦି। ମୋଟରସାଇକେଲ୍‌ରେ- ଆଥର୍‌ ଏନର୍ଜି, ଅଟୋମ୍‌ ମୋଟର୍ସ, ମେଞ୍ଜା ମୋଟର୍ସ, ଓକେ ପ୍ଲେ, ରେକ୍ସନାମୋ ଭଳି କମ୍ପାନୀ ରହିଛି। ଭାରତର ପ୍ରଥମ ବୈଦ୍ୟୁତିକ ବସ୍‌ ବାଙ୍ଗାଲୋର୍‌ରେ ୨୦୧୪ରେ ଆରମ୍ଭ ହୋଇଥିଲା। ୨୦୧୬ରେ ଅଶୋକ ଲିଲ୍ୟାଣ୍ଡ ତା’ର ବୈଦ୍ୟୁତିକ ବସ୍‌ ଉନ୍ମୋଚନ କରିଥିଲା। ୨୦୧୭ରେ ଟାଟା ମୋଟର୍ସ ଏହାର ସମ୍ପୂର୍ଣ୍ଣ ବୈଦ୍ୟୁତିକ ବସ୍‌ ‘ଷ୍ଟାର୍‌ବସ୍‌ ଇଲେକ୍ଟ୍ରିକ୍‌ ୯ଏମ୍‌’ ଏବଂ ‘ଷ୍ଟାରବସ୍‌ ଇଲେକ୍ଟ୍ରିକ୍‌ ୧୨ଏମ୍‌’ ଉନ୍ମୋଚନ କରିଥିଲା। ୨୦୧୭ ସେପ୍ଟେମ୍ବରରେ ‘ଗୋଲ୍ଡଷ୍ଟୋନ୍‌ ଇନ୍‌ଫ୍ରାଟେକ୍‌’ ହିମାଚଳପ୍ରଦେଶକୁ ୨୫ଟି ବୈଦ୍ୟୁତିକ ବସ୍‌ ଯୋଗାଇଥିଲା। ୨୦୧୮ ମାର୍ଚ୍ଚରେ ୨୫ଟି ଟାଟା ଷ୍ଟାରବସ୍‌ ହାଇବ୍ରିଡ୍‌ ଇଲେକ୍ଟ୍ରିକ୍‌ ବସ୍‌ ମହାରାଷ୍ଟ୍ରକୁ ଆସିଥିଲା। ମହିନ୍ଦ୍ରା, ଟାଟା ମୋଟର୍ସ, ଅଶୋକ ଲିଲାଣ୍ଡ ଭଳି କମ୍ପାନୀ ବୈଦ୍ୟୁତିକ ପିକ୍‌ ଅପ୍‌ ଟ୍ରକ୍‌ ବି ଭାରତରେ ଉତ୍ପାଦନ କରୁଛନ୍ତି। ଭାରତୀୟ ରେଳ ବିଭାଗରେ ବିଦ୍ୟୁତର ବ୍ୟବହାର ବହୁ ଆଗରୁ ହୋଇ ସାରିଛି। ୧୯୨୫ରେ ପ୍ରଥମ ବୈଦ୍ୟୁତିକ ଲୋକୋମୋଟିଭ୍‌ ବ୍ୟବହାର ହୋଇଥିଲା। ୨୦୧୭ରେ ଭାରତ ସରକାର ଘୋଷଣା କରିଛନ୍ତି ଯେ, ସମ୍ପୂର୍ଣ୍ଣ ରେଳ ନେଟଓ୍ବର୍କ ୨୦୨୨ ସୁଦ୍ଧା ବିଦ୍ୟୁତୀକରଣ ହୋଇଯିବ। ଯାହାକି ଅନେକାଂଶରେ ସଫଳ ହୋଇଛି।

ଭାରତରେ ଇଲେକ୍ଟ୍ରିକ୍‌ ଟ୍ୟାକ୍ସି ସେବା- ୨୦୧୫ରେ ବାଙ୍ଗାଲୋର୍‌ର ଲିଥିୟମ ଟେକୋ୍ନଲୋଜିସ୍‌ ସଂସ୍ଥା କର୍ପୋରେଟ୍‌ଙ୍କ ପାଇଁ ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍‌ ଟ୍ୟାକ୍ସି ସେବା ଆରମ୍ଭ କରିଛି। ଜାନୁୟାରୀ ୨୦୧୯ରେ ‘ବ୍ଲୁ-ସ୍ମାର୍ଟ ମୋବିଲିଟି’ ଦିଲ୍ଲୀ ଏନ୍‌ସିଆର୍‌ରେ ୭୦ଟି ମହିନ୍ଦ୍ରା ଇ-ଭେରିଟୋ ବ୍ୟବହାର କରି ବୈଦ୍ୟୁତିକ କ୍ୟାବ୍‌ ସେବା ଆରମ୍ଭ କରିଛି। ଏହାର ସଂଖ୍ୟା ୪୦୦କୁ ବୃଦ୍ଧି କରିବାର ଯୋଜନା ବି ରହିଛି। ଏହି ସଂସ୍ଥା ୬୫ଟି ଚାର୍ଜିଂ ଷ୍ଟେଶନ୍‌ କରିବାର ଯୋଜନା କରିଛି। ପ୍ରତ୍ୟେକ ଚାର୍ଜିଂ ଷ୍ଟେଶନ୍‌ରେ ଥରକେ ୨୦ଟି କାର୍‌ ଚାର୍ଜ ହେବାଭଳି ବ୍ୟବସ୍ଥା କରାଯିବ।

ପରିବେଶ ଚିନ୍ତା ହିଁ ଇ-ବାଇକ୍‌ ନିିର୍ମାଣ ପାଇଁ ପ୍ରୋତ୍ସାହିତ କଲା
ଯାନବାହନ ଯୋଗୁ ବଢୁଥିବା ପ୍ରଦୂଷଣ ପାଇଁ ଏବେ ଚିନ୍ତାରେ ସମସ୍ତେ। ତେବେ କେନ୍ଦ୍ର ସରକାରଙ୍କ ପ୍ରଦୂଷଣମୁକ୍ତ ଭାରତ ଗଠନର ସଂକଳ୍ପରେ ଏବେ ସାମିଲ ହେବାକୁ ଯାଉଛି ଓଡ଼ିଶା ଏବଂ ଏହାକୁ ସାକାର କରିବାକୁ ଯାଉଛନ୍ତି ଭାରତ ମୋଟର୍ସ ଗ୍ରୁପ୍‌। ‘ଓମ୍‌ ଜୟ ଇଭି’ ଲିମିଟେଡ୍‌ ନାମକ ଏକ ପବ୍ଲିକ୍‌ ଲିମିଟେଡ କମ୍ପାନୀ ଦ୍ୱାରା ସେମାନେ ଯୋଗାଇବେ ଇ-ବାଇକ୍‌। ଯାହାର ନାଁ ରହିଛି ‘EeVe’। ଏହା ପରିବେଶ ଓ ଶବ୍ଦ ପ୍ରଦୁଷଣ ରୋକିବା ସହିତ ତେଲ ଖର୍ଚ୍ଚକୁ ବି ବନ୍ଦ କରିବ। ଗ୍ରାହକମାନଙ୍କ ସୁବିଧା ଓ ସୁସ୍ଥ ପରିବେଶକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଥିବା ଏହି ଇ-ବାଇକ ସମ୍ପର୍କରେ ଯାହା କୁହନ୍ତି, ଓମ୍‌ ଜୟ ଇଭି ଲିମିଟେଡର ସେଲ୍‌ସ ଆଣ୍ଡ ମାର୍କେଟିଂ ଡାଇରେକ୍ଟର ହର୍ଷବର୍ଦ୍ଧନ ଦିଦ୍‌ଓ୍ବାନିଆ-

ପ୍ର. କି ପ୍ରକାର ଘଟଣା ଆପଣଙ୍କୁ ପ୍ରୋତ୍ସାହିତ କଲା ଓଡ଼ିଶାରେ ଇ-ବାଇକ୍‌ ଲଞ୍ଚ କରିବା ପାଇଁ।
ଉ. ବିଶ୍ୱତାପନକୁ ନେଇ ସମସ୍ତେ ଚିନ୍ତିତ। ତେଣୁ ସୁସ୍ଥ ପରିବେଶ କଥା ଚିନ୍ତା କରି ହିଁ ଇ-ବାଇକ୍‌ କଥା ମନକୁ ଆସିଲା। ଯେବେ ବି ବାହାର ଦେଶକୁ ଯାଇଛି ଦେଖିଛି ସେଠାରେ ଏତେ ପ୍ରଦୂଷଣ ନାହିଁ। ଆମର ଏଠାରେ ଦୀପାବଳିରେ ବାଣଫୁଟା ଓ ଯାନବାହନର ପ୍ରଦୂଷଣ ଦେଖି ଚିନ୍ତା ଲାଗେ। ଓଡ଼ିଶାରେ ଘର, ତେଣୁ ଓଡ଼ିଶା ପାଇଁ କିଛି କରିବାକୁ ଚିନ୍ତା କଲି।

ପ୍ର. ବିଶ୍ୱର ଅନେକ ରାଷ୍ଟ୍ରରେ ଅଟୋମୋବାଇଲ ନିର୍ମାତାମାନେ ଫସିଲ ଅଏଲ ଯାନର ବିକଳ୍ପ ଭାବରେ ଇଲେକ୍ଟ୍ରୋନିକ୍‌ ଯାନର ବ୍ୟବହାର ବହୁ ପୂର୍ବରୁ ଆରମ୍ଭ କରିଛନ୍ତି। ତେବେ ଆମ ଦେଶ ସମେତ ଓଡ଼ିଶା ବହୁତ ପଛରେ ଅଛି ବୋଲି ଆପଣ ସ୍ବୀକାର କରୁଛନ୍ତି କି? ଯଦି ହିଁ ତେବେ ଏହା ଓଡ଼ିଶାରେ କି ପ୍ରକାର ପ୍ରଭାବ ପକାଇପାରେ?
ଉ. ହଁ, ନିଶ୍ଚିତ ଭାବରେ ସ୍ବୀକାର କରୁଛି। କିନ୍ତୁ ଏତିକି ଜାଣିଛି ଓଡ଼ିଶାରେ ଏହାର ପ୍ରଭାବ ବହୁତ ଭଲ ରହିବ। କାରଣ ଓଡ଼ିଶାର ଲୋକମାନେ ପରିବେଶ ସଚେତନତା ପ୍ରତି ଗୁରୁତ୍ୱ ଦେଲେଣି। ସବୁ ବୟସର ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ବାଇକ୍‌ର ନିର୍ମାଣ କରାଯାଉଛି। ଯାଜପୁର ଜିଲାର ବଡ଼ଚଣାରେ କିଛି ମାସ ପରେ ଏହି ଗାଡ଼ିର ଉତ୍ପାଦନ ଆରମ୍ଭ ହେବ। ଦେଶର ଇଷ୍ଟର୍ନ ଜୋନରେ ୨୫୦ଟା ଡିଲର ପଏଣ୍ଟ ରହିବ। ପ୍ରଥମ ପର୍ଯ୍ୟାୟରେ ଭାରତର ବିଭିନ୍ନ ସହରରେ ୨୫୦ଜଣ ଡିଲର୍‌ ନିଯୁକ୍ତ ହେବେ। ଡିଲରମାନଙ୍କ ରେସପନ୍ସ ବି ବହୁତ ଭଲ ଅଛି। ଓଡ଼ିଶାରେ ଏହାର ଭଲ ପ୍ରଭାବ ରହିବ ବୋଲି ଆଶା କରୁଛି।

ପ୍ର. ଭାରତବର୍ଷର ପ୍ରମୁଖ ଅଟୋ ନିର୍ମାତାମାନେ ଏ ପର୍ଯ୍ୟନ୍ତ ଇଲେକ୍ଟ୍ରୋନିକ୍‌ ଚାଳିତ ଯାନ ନିର୍ମାଣ କ୍ଷେତ୍ରରେ ସେଭଳି ସକ୍ରିୟ ଥିବାର ଜଣାଯାଉନାହିଁ। ଏହି ପରିସ୍ଥିତିରେ ନିଜସ୍ବ ବ୍ରାଣ୍ଡର ଇଲେକ୍ଟ୍ରୋନିକ୍‌ ବାଇକ୍‌ ନିର୍ମାଣ କରି କିଭଳି ସଫଳ ହେବେ ବୋଲି ଆପଣ ଭାବୁଛନ୍ତି?
ଉ. ଏକଥା ସତ ଯେ ପ୍ରମୁଖ ଅଟୋନିର୍ମାତାମାନେ ଇଲେକ୍ଟ୍ରୋନିକ୍‌ ଚାଳିତ ଯାନ ନିର୍ମାଣ କ୍ଷେତ୍ରରେ ସେଭଳି ସକ୍ରିୟ ନାହାନ୍ତି। କିନ୍ତୁ ଆମେ ସଫଳ ହେବୁ ସେ ବିଶ୍ୱାସ ଆମର ଅଛି। କାରଣ ଆମେ ଲୋକଙ୍କର ସୁବିଧାକୁ ଦୃଷ୍ଟିରେ ରଖି ହିଁ ଏ ଗାଡି ନିର୍ମାଣ କରୁଛୁ। ଗାଡ଼ିରେ ତେଲ ଖର୍ଚ୍ଚ ସମସ୍ତଙ୍କୁ ବାଧେ। ଏହି ଗାଡିରେ ଆପଣ ବର୍ଷକୁ ତେଲ ବାବଦରେ ୨୫ ରୁ ୩୦ ହଜାର ଟଙ୍କା ବଞ୍ଚେଇପାରିବେ। ଗାଡିର ଦାମ ୫୦-୭୦ ହଜାର ଟଙ୍କା, ଯାହା ସାଧାରଣ ଲୋକଙ୍କ ପକେଟକୁ ସୁହାଇବା ଭଳି। ପୁଣି ଏହି ଗାଡିରେ ମେଣ୍ଟେନାନ୍ସ ବହୁତ କମ୍‌, ଶବ୍ଦ ପ୍ରଦୂଷଣ ନାହିଁ। ସବୁଠୁ ବଡ଼ କଥା ହେଲା ଭାରତୀୟ ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଏହି ଗାଡ଼ିର ନିର୍ମାଣ କରାଯାଇଛି। ସବୁ ବୟସର ଗ୍ରାହକଙ୍କ ପାଇଁ ମୋବିଲିଟି ସଲ୍ୟୁସନ୍‌କୁ କମ୍ପାନୀ ଅଧିକ ଗୁରୁତ୍ୱ ଦେବ। ଏହାଛଡା ଗ୍ରାହକଙ୍କ ପାଇଁ ଫାଇନାନ୍ସ ଓ ବୀମା ସୁବିଧା କିପରି ସହଜରେ ଉପଲବ୍ଧ ହେବ ସେ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି।

ପ୍ର. ଦୁଇଚକିଆ ଯାନର ଗ୍ରାହକ ହେଉଥିବା ଜନସଂଖ୍ୟାର ସର୍ବାଧିକ ପ୍ରତିଶତ ହେଉଛନ୍ତି ଯୁବପିଢି, ଯେଉଁମାନେ କି ତୀବ୍ର ଗତି ଯାନ ପାଇଁ ରୁଚି ରଖନ୍ତି। ଆପଣ ଆଣୁଥିବା ବାଇକ୍‌ ସେହିଭଳି ଗ୍ରାହକମାନଙ୍କର ଚାହିଦାକୁ ପୂରଣ କରି ପାରିବ ?
ଉ. ହଁ ନିଶ୍ଚିତ ଭାବରେ। ଆମେ ଉଭୟ ମଧ୍ୟବୟସ୍କ ଓ ଯୁବପିଢିଙ୍କ ରୁଚିକୁ ଦୃଷ୍ଟିରେ ରଖି ଗାଡ଼ି ନିର୍ମାଣ କରୁଛୁ। ପ୍ରାଥମିକ ଭାବରେ ୪ଟି ମଡେଲ ଆସିବ ଓ ତା’ପରେ ବର୍ଷେରୁ ଦେଢବର୍ଷ ଭିତରେ ୧୫ଟି ମଡେଲ ଆସିବ। ମଧ୍ୟବୟସ୍କ ସ୍ମୁଥ ଗାଡ଼ିକୁ ପସନ୍ଦ କରୁଥିବା ବେଳେ ଯୁବପିଢି ଷ୍ଟାଇଲିସ ଲୁକ୍‌ ସହ ତୀବ୍ର ଗତିରେ ଯାଉଥିବା ଗାଡ଼ିକୁ ପସନ୍ଦ କରନ୍ତି। ଉଭୟଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଗାଡ଼ି ନିର୍ମାଣ କରୁଛୁ।

ପ୍ର. ଏଭଳି ଏକ ନୂତନ ପଦକ୍ଷେପ ପାଇଁ ଓଡ଼ିଶାର ପ୍ରଶାସନିକ ସହଯୋଗ, ଶିଳ୍ପାୟନର ଭିତ୍ତିଭୂମି ଏବଂ ଜନସାଧାରଣଙ୍କ ମାନସିକତା କିଭଳି ଉପଯୋଗ ହୋଇଛି?
ଉ. ପ୍ରଶାସନ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛି। ଓଡ଼ିଶାର ଲୋକଙ୍କ ଭିତରେ ଇ-ବାଇକ୍‌କୁ ନେଇ ଯେଉଁ ମାନସିକତା ରହିଛି ତାହା ଆମକୁ ଖୁସି ଲାଗୁଛି। ଲୋକମାନେ ଆମ ପାଖକୁ ଆସୁଛନ୍ତି, ଗାଡି ସମ୍ପର୍କରେ ବୁଝୁଛନ୍ତି ଏବଂ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ କେବଳ ଓଡ଼ିଶା ନୁହେଁ ସାରା ଭାରତରେ ଇ-ବାଇକ୍‌ର ଭବିଷ୍ୟତ ନିହାତି ଭଲ ହେବ ବୋଲି ଆମେ ଆଶା ରଖିଛୁ।

ବଢୁଛି ଇଲେକ୍ଟ୍ରିକ୍‌ କାର୍‌ ଚାହିଦା: ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ପ୍ରଥମ ବୈଦ୍ୟୁତିକ ଯାନ ଦେଖିବାକୁ ମିଳିଥିଲା। ପରିବେଶ ପ୍ରତି ଅନୁକୂଳ ହୋଇଥିବାରୁ ଏକବିଂଶ ଶତାବ୍ଦୀବେଳକୁ ଧୀରେ ଧୀରେ ଏହାର ଚାହିଦା ବଢିବାକୁ ଲାଗିଲା। ତେବେ ବୈଦ୍ୟୁତିକ କାର୍‌ର ଚାହିଦା ଏବେ ବଢିଥିବା ଜଣାପଡେ। ୨୦୧୮ରେ ସାରା ପୃଥିବୀରେ ୨.୧ ମିଲିୟନ ନୂଆ ଇଲେକ୍ଟ୍ରିକ୍‌ ଭେହିକଲ୍‌ ବା ବୈଦ୍ୟୁତିକ ଯାନର ବିକ୍ରି ହୋଇଛି। ଚାଇନା ହେଉଛି ପୃଥିବୀର ସବୁଠୁ ବଡ଼ ବୈଦ୍ୟୁତିକ କାର୍‌ର ବଜାର। ୨୦୧୮ରେ ଏଠାରେ ୧.୨ ମିଲିୟନ ବୈଦ୍ୟୁତିକ ଯାନ ବିକ୍ରି ହୋଇଛି, ଯାହାକି ମୋଟ ବିକ୍ରିର ୫୬% । ବୈଦ୍ୟୁତିକ କାର୍‌ ବିକ୍ରିରେ ଦ୍ୱିତୀୟ ସ୍ଥାନରେ ରହିଛି ଆମେରିକା । ହେଲେ ଚାଇନାର ବିକ୍ରି ହାରଠାରୁ ଏହାର ହାର ବହୁତ କମ୍‌। କେବଳ ୩୬୧,୦୦୦ ନୂଆ ବୈଦ୍ୟୁତିକ କାର୍‌ ୨୦୧୮ରେ ବିକ୍ରି ହୋଇଛି। ଆଉ ଏହାର ପ୍ରାୟ ଅଧା ହେଉଛି ନୂଆ ଟେଲ୍ସା ୩ ମଡେଲ୍‌ କାର୍‌। ନରଓ୍ବେରେ ୪୯% ନୂଆ ପ୍ୟୋର୍‌ ବା ହାଇବ୍ରିଡ୍‌ ଇଲେକ୍ଟ୍ରିକ୍‌ କାର୍‌ ବିକ୍ରି ହୋଇଛି। ଇଣ୍ଟରନ୍ୟାଶନାଲ ଏନର୍ଜି ଏଜେନ୍ସିର ଆକଳନ ଅନୁଯାୟୀ ୨୦୩୦ମସିହା ସୁଦ୍ଧା ସାରା ପୃଥିବୀରେ ବିଦ୍ୟୁତ୍‌ କାର୍‌ର ବ୍ୟବହାର ୧୨୫ ମିଲିୟନକୁ ପହଞ୍ଚତ୍ୟାଇପାରେ। ଯଦି ସରକାରଙ୍କ ହସ୍ତକ୍ଷେପ ରହିବ ତେବେ ଏହାର ହାର ଦୁଇଗୁଣା ବି ହୋଇପାରେ।

‘ଗୋ ଗ୍ରୀନ୍‌’ର ବଢୁଥିବା ଚାପ ଯୋଗୁ ପ୍ରାକୃତିକ ଇନ୍ଧନ ତଥା ପେଟ୍ରୋଲ ଡିଜେଲ ବିଶିଷ୍ଟ ନୂଆ କାର୍‌ର ବିକ୍ରିକୁ ନିଷେଧ କରାଯାଉଛି। ଯେମିତିକି ୨୦୩୦ ସୁଦ୍ଧା ଜର୍ମାନୀରେ ନୂଆ ଡିଜେଲ୍‌, ପେଟ୍ରୋଲ୍‌ କାର୍‌ର ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ସ୍କଟ୍‌ଲାଣ୍ଡରେ ଏହା ୨୦୩୨ସୁଦ୍ଧା ହେବାକୁ ଯାଉଛି। ଫ୍ରାନ୍ସ ଓ ୟୁକେରେ ଏହା ୨୦୪୦ ସୁଦ୍ଧା ହୋଇଯିବ। ତେବେ ଜିରୋ ଏମିଶନ୍‌ ଡ୍ରାଇଭିଂର ଲକ୍ଷ୍ୟ ହାସଲ୍‌ କରିବାକୁ ଆହୁରି ଅନେକ ବର୍ଷ ଲାଗିଯିବ। କାରଣ ଅନ୍ୟ ୟୁରୋପୀୟ ଦେଶରେ ଏହାର ବିକ୍ରି ହାର ବହୁତ କମ୍‌। ଇଟାଲୀରେ ଏହି ହାର .୨୬% ଥିବାବେଳେ ସ୍ପେନ୍‌ରେ ୦.୫%। କିନ୍ତୁ ନରଓ୍ବେରେ ବୈଦ୍ୟୁତିକ କାର୍‌ ବିକ୍ରି ହାର୍‌ ବେଶ୍‌ ବଢିଛି। ୨୦୧୮ରେ ଏଠାରେ ବିକ୍ରି ହୋଇଥିବା ନୂଆ କାର୍‌ ମଧ୍ୟରେ ଅଧା ହେଉଛି ଇଲେକ୍ଟ୍ରିକ୍‌ ବା ହାଇବ୍ରିଡ୍‌ କାର୍‌।

ବଢ଼ାଏ ବାୟୁର ଗୁଣବତ୍ତା – ବୈଦ୍ୟୁତିକ ଯାନରୁ ନିର୍ଗତ ହୋଇ ନ ଥାଏ ହାଇଡ୍ରୋକାର୍ବନ, କାର୍ବନ ମନୋକ୍ସାଇଡ୍‌, ଓଜନ, ଲିଡ ଭଳି କ୍ଷତିକାରକ ଟେଲ୍‌ପାଇପ୍‌ ଧୂଆଁ। ଏହା କାର୍ବନ ଡାଇଅକ୍ସାଇଡ ସ୍ତର କମାଇଥାଏ। ତେଣୁ ପରିବେଶ ପ୍ରଦୂଷଣର ହାର ଅନେକାଂଶରେ କମିଯିବ। ପ୍ରକୃତରେ ଯାନବାହନର କଳା ଧୂଆଁରେ ଏବେ ସାରା ପରିବେଶ ପ୍ରଦୂଷିତ। ଜହର ପାଲଟିଲାଣି ବାୟୁ। ବିଶ୍ୱତାପନ ପାଲଟିଛି ସାରା ବିଶ୍ୱର ଚିନ୍ତାର କାରଣ। ଏଣୁ ଏବେଠୁ ସଚେତନ ହେବା ନିହାତି ଜରୁରୀ। ଏହି ସମସ୍ୟାକୁ ନଜରରେ ରଖି ହିଁ ଏବେ ଆସିଛି ଇଲେକ୍ଟ୍ରିକ୍‌ ଯାନ…

– ରୋଜାଲିନ୍‌ ମହାନ୍ତି, ଶିବାନୀ ମହାନ୍ତି
ଫଟୋ: କୁମାର ଶରତ


Enter your email to get our daily news in your inbox.

All Right Reserved By Dharitri.Com

ଆଖିରେ କପଡ଼ା ବାନ୍ଧି ସ୍ପିଡ୍‌ ଟାଇପିଂ

ଭୋପାଳ: ଭାରତରେ ପିଲା ହୁଅନ୍ତୁ ଅବା ଯୁବକ, ସମସ୍ତଙ୍କଠାରେ କିଛି ନା କିଛି ପ୍ରତିଭା ରହିଥାଏ। ମଧ୍ୟପ୍ରଦେଶର ରେୱା ଜିଲା ନିବାସୀ ବିକାଶ ତ୍ରିପାଠୀ(୩୦)ଙ୍କର ଏପରି ଏକ...

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri