ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୧୨:ବଲିଉଡର ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ପୁନେସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ୧୦୦ରୁ ଊର୍ଦ୍ଧ୍ୱ ହିନ୍ଦୀ ଫିଲ୍ମ ଏବଂ ୪୦ରୁ ଊର୍ଦ୍ଧ୍ୱ ମରାଠି ଓ ଗୁଜରାଟୀ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି। ୧୯୨୭ ନଭେମ୍ବର ୧୬ରେ ମହାରାଷ୍ଟ୍ରର ସତାରାରେ ଜନ୍ମଗ୍ରହଣ କରିଥିବା ଏହି କିମ୍ବଦନ୍ତୀ ଅଭିନେତା ମରାଠୀ ରଙ୍ଗମଞ୍ଚକୁ ଆଗକୁ ନେବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ୧୯୭୮ର ହିନ୍ଦୀ ଫିଲ୍ମ ‘ଘରୋନ୍ଦା’ ପାଇଁ ସେ ଫିଲ୍ମଫେୟାର ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ପୁରସ୍କାର ପାଇଥିଲେ। ତାଙ୍କ ପରଲୋକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନ୍‌ସିପି ନେତା ଅଜିତ୍‌ ପାଓ୍ବାର, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ସମେତ ବହୁ ଅଭିନେତା, ଅଭିନେତ୍ରୀ, ସାମାଜିକ କର୍ମୀ, ରାଜନେତା ଗଭୀର ଶୋକ ପ୍ରକାଶ କରିଛନ୍ତି। ମରାଠୀ ରଙ୍ଗମଞ୍ଚ ତା’ର ‘ନଟ ସମ୍ରାଟ’ଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି।

Share