ପ୍ରଚାରପତ୍ରରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ଆକସ୍ମିକ ଦର୍ଶାଯିବା ଘଟଣା: ସମସ୍ତ ପୁସ୍ତିକାକୁ ନଷ୍ଟ କରିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ଏକ ଆକସ୍ମିକ ଦୁର୍ଘଟଣା ଦର୍ଶାଯିବା ଘଟଣାକୁ ନେଇ ଶନିବାର ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିବୃତି ଦେଇଥିଲେ। ଏହାପରେ ଏବେ ସମସ୍ତ ପୁସ୍ତିକାକୁ ନଷ୍ଟ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ଡିଇଓ, ଡିପିସି, ବିଇଓମାନଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି। ସେମାନଙ୍କୁ ସଫ୍ଟ କପି ପ୍ରତ୍ୟାହାର ସହ ସବୁ ଲିଫ୍‌ଲେଟ, କପି ନଷ୍ଟ ଲାଗି ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଆମ ବାପୁଜୀ: ଏକ ଝଲକ’ ଶୀର୍ଷକ ଲିଫ୍‌ଲେଟ୍‌ରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ଆକସ୍ମିକ ଦୁର୍ଘଟଣା ବୋଲି ଲେଖାଯାଇଥିଲା। ଏହାକୁ ବିଭିନ୍ନ ସଂଗଠନ ପକ୍ଷରୁ ସମାଲୋଚନା କରାଯାଇଥିବା ବେଳେ ଶୁକ୍ରବାର ବିଧାନସଭାରେ ମଧ୍ୟ କଂଗ୍ରେସ ଏହାକୁ ଭର୍ତ୍ସନା କରିଥିଲା। ଏଣୁ ବାଚସ୍ପତି ମନ୍ତ୍ରୀ ବିବୃତି ଦେବାକୁ ରୁଲିଂ ଦେଇଥିଲେ। ଶନିବାର ବିବୃତି ରଖି ମନ୍ତ୍ରୀ ଏହି ତ୍ରୁଟି ଅନିଚ୍ଛାକୃତ ବୋଲି କହିଥିଲେ।

Share