ପ୍ରଚାର ବେଳେ ଉତ୍ତେଜନା

ଚାନ୍ଦବାଲି, ୨୩।୪ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧୀନ ଯଶୀପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ସୋମବାର ବିଜେଡି ପକ୍ଷରୁ ନିର୍ବାଚନ ପ୍ରଚାର ହୋଇଥିଲା। ବିଜେଡି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ସମର୍ଥକଙ୍କ ସହ କୁଦକାନ୍ଥି ନିକଟରୁ ଶୋଭାଯାତ୍ରାରେ ବାହାରି ଯଶୀପୁର ବଜାର ନିକଟରେ ପହଞ୍ଚିଥିଲେ। ତେବେ ଏଠାରେ କେତେକ ସ୍ଥାନୀୟ ଲୋକ ବିଧାୟକଙ୍କ ଗସ୍ତକୁ ବିରୋଧ କରିବା ଦେଖାଯାଇଥିଲା। ଏହାକୁ ନେଇ ଉଭୟ ପକ୍ଷରୁ ଟେକାପଥର ମାଡ଼ ହୋଇ ଉତ୍ତେଜନା ପ୍ରକାଶ ପାଇଥିଲା। ବାଂଶଡ଼ା ଥାନା ପୋଲିସ ପହଞ୍ଚି ବୁଝାଶୁଝା କରିଥିଲା। ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ବିଧାୟକ ଅନ୍ୟ ରାସ୍ତାରେ ବୁଲି ପ୍ରଚାର କରିଥିଲେ। ଶୋଭାଯାତ୍ରା ଯଶୀପୁର ବଜାର ଅତିକ୍ରମ କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ବିଧାୟକ ବ୍ୟୋମକେଶ ଶୋଭାଯାତ୍ରାରେ ଯଶୀପୁର ପଞ୍ଚାୟତର କୁଦକାନ୍ଥି, ଯଶୀପୁର, ବଳସାହି, ବାରାକୋହ୍ଲା ଆଦି ଗଁା ପରିକ୍ରମା କରି ନିଜ ସପକ୍ଷରେ ପ୍ରଚାର କରିଥିଲେ। ବ୍ଲକ ବିଜେଡି ସଭାପତି ଦ୍ୱିଜବର ରାଉତ, ନରେଶ ମାଝି, ଶରତ ସାହୁଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଦଳୀୟ ସମର୍ଥକ ଓ କର୍ମୀ ଶୋଭାଯାତ୍ରାରେ ସାମିଥିଲେ। ଗଣ୍ଡଗୋଳ ନେଇ ଉଭୟ ପକ୍ଷରୁ ବାଂଶଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି। ସନ୍ଧ୍ୟାରେ ଏସ୍‌ଡିପିଓ ଉମାଶଙ୍କର ମହାରଣା ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।