ଲସ୍ କାବୋସ (ମେକ୍ସିକୋ), ୩୦।୭ (ପି.ଟି.)- ଭାରତର ଶ୍ରେଷ୍ଠ ସିଙ୍ଗଲ୍ସ ଟେନିସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ଏଠାରେ ଅନୁଷ୍ଠିତ ଏଟିପି ଲସ୍ କାବୋସ ଇଭେଣ୍ଟରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବିଶ୍ୱ ମାନ୍ୟତାର ୯୦ତମ ସ୍ଥାନରେ ରହିଥିବା ଏହି ବାମହାତୀ ଖେଳାଳି ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚ୍ରେ ୬-୪, ୧-୬, ୬-୨ ସେଟ୍ରେ ଅଷ୍ଟ୍ରେଲିଆର ଜନ୍ ମିଲ୍ମ୍ୟାନଙ୍କୁ ପରାସ୍ତ କରିଛନ୍ତି। ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ରହିଥିବା ମିଲ୍ମ୍ୟାନଙ୍କୁ ହରାଇବାକୁ ପ୍ରଜନେଶଙ୍କୁ ଏକ ଘଣ୍ଟା ୪୯ ମିନିଟ୍ ସମୟ ଲାଗିଥିଲା। ଦ୍ୱିତୀୟ ରାଉଣ୍ଡରେ ପ୍ରଜନେଶଙ୍କ ମୁକାବିଲା ବିଶ୍ୱ ମାନ୍ୟତାର ୨୮ତମ ସ୍ଥାନରେ ରହିଥିବା ଆମେରିକାର ଟେଲର ଫ୍ରିତ୍ଜଙ୍କ ସହ ହେବାର ସମ୍ଭାବନା ରହିଛି। ୨୧ ବର୍ଷୀୟ ଫ୍ରିତ୍ଜ ଓ ଜର୍ମାନୀୟ ଯୋଗ୍ୟତା ଅର୍ଜନକାରୀ ଡୋମିନିକ କେଇଫୋର୍ଙ୍କ ମଧ୍ୟରେ ପ୍ରଥମ ରାଉଣ୍ଡ ମ୍ୟାଚ୍ ଅନୁଷ୍ଠିତ ହେବ। ଅପରପକ୍ଷରେ ପୁରୁଷ ଡବଲ୍ସରେ ଭାରତୀୟ ଯୋଡ଼ିଦାର ଜୀବନ ନେଦୁନଚେଝିୟାନ ଓ ପୂରବ ରାଜା ପ୍ରଥମ ରାଉଣ୍ଡରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।