ପ୍ରତିଦିନ କରୋନା ଯାଞ୍ଚ କରାଇବେ ଟ୍ରମ୍ପ

ଓ୍ବାଶିଂଟନ୍‌,୮।୫: କରୋନା ଭାଇରସ୍‌ ମହାସଙ୍କଟ ଦେଇ ଗତି କରୁଛି ଆମେରିକା। ସାରା ବିଶ୍ୱରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ହେଉଛି ଆମେରିକାରେ। ଏଠାରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ଏବେ ଚିନ୍ତାର କାରଣ ହୋଇଛି। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟ ସହଯୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଖବର ପ୍ରଘଟ ହେବା ପରେ ଟ୍ରମ୍ପ ନିଜର କରୋନା ଯାଞ୍ଚ କରାଇଛନ୍ତି। ଯେଉଁଥିରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଟ୍ରମ୍ପଙ୍କ ଜଣେ ସେନା ସହାୟକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ସେନା ସହାୟକଙ୍କ ସହ ଟ୍ରମ୍ପଙ୍କ ବହୁତ୍‌ କମ୍‌ ମିଳାମିଶା ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପ୍ରତିଦିନ ସେ ନିଜର ଯାଞ୍ଚ କରାଇବେ ବୋଲି ଗୁରୁବାର ସୂଚନା ଦେଇଛନ୍ତି। ଏଥିସହ ଉପରାଷ୍ଟ୍ରପତି ଓ ହ୍ବାଇଟ୍‌ ହାଉସ୍‌ର ଅନ୍ୟକର୍ମଚାରୀମାନଙ୍କର ମଧ୍ୟ ପ୍ରତିଦିନ କରୋନା ଯାଞ୍ଚ ହେବ। ପୂର୍ବରୁ ସପ୍ତାହରେ ଥରେ ସମସ୍ତଙ୍କର ଯାଞ୍ଚ କରାଯାଉଥିବା ବେଳେ ଏବେ ପ୍ରତିଦିନ ଯାଞ୍ଚ କରାଯିବ ବୋଲି ଟ୍ରମ୍ପ କହିଛନ୍ତି। ସୂଚନା ମୁତାବକ ଆମେରିକାରେ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏଥିରେ ୭୬୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଛି।

Share