Categories: ଜାତୀୟ

ପ୍ରତିଦିନ ମୋର ଅପମାନ ହେଉଛି: କାହିଁକି ଏମିତି କହି ଚେୟାର୍‌ରୁ ଉଠି ପଳାଇଲେ ରାଜ୍ୟ ସଭା ଅଧ୍ୟକ୍ଷ

ନୂଆଦିଲ୍ଲୀ,୮।୮ ଦେଶର ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ସଂସଦରେ ରାଗିଯାଇ ଚେୟାର ଛାଡି ପଳାଇଛନ୍ତି। ବିରୋଧୀ ଦଳର ନେତାଙ୍କ ସ୍ଲୋଗାନରେ ସେ ରାଗିଥିଲେ। ସେ କହିଛନ୍ତି, ଆଜି ଏଠାରେ ଯାହା ଘଟିଛି ତାହା ଠିକ ନୁହେଁ। ଏଠାରେ ମୋତେ ନୁହେଁ, ବରଂ ଚେୟାରମ୍ୟାନ ପଦକୁ ବିରୋଧୀ ଦଳର ନେତା ଅସମ୍ମାନ କରୁଛନ୍ତି। ସେମାନେ ମୋତେ ପ୍ରତିଦିନ ଅପମାନ କରୁଛନ୍ତି। ଏଭଳି ପରିସ୍ଥିତିରେ, ମୁଁ ଏହି ଚେୟାରରେ ବସିପାରୁ ନାହିଁ। ଏହି ସମୟରେ ବିରୋଧୀ ଦଳ ଗୃହରୁ ବାହାରିଥିଲେ।
ରାଜ୍ୟ ସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ବିନେଶ ଫୋଗଟଙ୍କ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲେ। କିନ୍ତୁ ତାଙ୍କୁ ଅନୁମତି ଦିଆଯାଇ ନ ଥିଲା, ବିରୋଧୀଦଳର ନେତାମାନେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଅଧ୍ୟକ୍ଷ ଏହା ଉପରେ ରାଗିଯାଇଥିଲେ। ଧନଖର କହିଛନ୍ତି, ବିରୋଧୀମାନେ ଅନୁଭବ କରୁଛନ୍ତି ଯେ. କେବଳ ସେମାନେ ଦୁଃଖ ଅନୁଭବ କରୁଛନ୍ତି। ସେହି ଝିଅ ଯୋଗୁ ସମଗ୍ର ଦେଶ ଦୁଃଖିତ। କିନ୍ତୁ ଏହାର ଫାଇଦା ଉଠାଇ ଏହାକୁ ରାଜନୀତିକରଣ କରିବା ସେହି ଝିଅ ପାଇଁ ସବୁଠାରୁ ବଡ ଅପମାନ।
ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଜେପି ନଡା କହିଛନ୍ତି, ସମଗ୍ର ଦେଶ ଭିନେଶ ଫୋଗଟଙ୍କ ସହ ଛିଡା ହୋଇଛି। ଗତକାଲି ପ୍ରଧାନମନ୍ତ୍ରୀ ତାଙ୍କୁ ‘ଚାମ୍ପିଅନ ଅଫ ଚାମ୍ପିଅନ୍ସ’ ବୋଲି କହିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ସ୍ବର ହେଉଛି ୧୪୦ କୋଟି ଲୋକଙ୍କ ସ୍ବର। ଦୁର୍ଭାଗ୍ୟବଶତଃ ଆମେ ଏହାକୁ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ଭାଗ କରୁଛୁ। ଭାରତ ସରକାର, କ୍ରୀଡା ମନ୍ତ୍ରଣାଳୟ ଏବଂ ଆଇଓସି ସମସ୍ତ ଫୋରମରେ ସମାଧାନର ରାସ୍ତା ଖୋଜିବାକୁ ଚେଷ୍ଟା କରିଛନ୍ତି।

Share