ପ୍ରତିବଦ୍ଧତାହୀନ ସଙ୍କଳ୍ପ

ଚିତ୍ର-ଚରିତ୍ର/ନିରଞ୍ଜନ ପାଢ଼ୀ
ଅନନ୍ତ କାଳର ଅବଧି ମଧ୍ୟରେ, ପ୍ରକୃତିର ନିରନ୍ତର ପ୍ରବାହ ଭିତରେ ଦିନ, ମାସ ବା ବର୍ଷର ଗଣନା ମୂଲ୍ୟହୀନ ହେଲେ ହେଁ ମଣିଷର ବ୍ୟାବହାରିକ ମାପଦଣ୍ଡରେ ଗଲା ବର୍ଷଟି ପୁରୁଣା ହୋଇ ଆମ କ୍ୟାଲେଣ୍ଡରରୁ ବିଦାୟ ନେଇଛି ଓ ତାହାର ସ୍ଥାନ ନେଇଛି ସଂଖ୍ୟାର ଏକକରେ ନାମିତ ନୂଆ ଏକବର୍ଷ, ଯାହାକୁ ଗଣମାଧ୍ୟମଠାରୁ ଜନସାଧାରଣ ଯାଏ ଶ୍ରଦ୍ଧାରେ ଡାକୁଛନ୍ତି, ‘ଟ୍ବେଣ୍ଟି ଟ୍ବେଣ୍ଟି’। ବର୍ଷଟିଏ ନୂଆ ହୋଇ ଆସେ ଓ ପୁଣି ପୁରୁଣା ହୋଇ ଚାଲିଯାଏ। ଚାଲି ଯାଇଥିବା ବର୍ଷଟି ସମ୍ପର୍କରେ ସମୀକ୍ଷା ଭିତରୁ ଯଦି ନୂଆ ବର୍ଷଟିକୁ ଆବାହନ କରା ଯାଉଥାନ୍ତା, ତେବେ ଅଧିକ ଅର୍ଥପୂର୍ଣ୍ଣ ହୁଅନ୍ତା। ପୁରୁଣା ବର୍ଷଟିରେ ଯାହା ଥିବାରୁ ବା ନ ଥିବାରୁ ବର୍ଷଟି ସୁଖସ୍ରାବୀ ହୋଇପାରି ନ ଥିଲା, ସେ ସମ୍ପର୍କରେ ମଣିଷ ଚିନ୍ତା କରନ୍ତା ଓ ତଦନୁଯାୟୀ ନୂଆବର୍ଷଟିକୁ ନୂଆ ରୂପରେ ସଜାନ୍ତା। ମାତ୍ର ଏମିତି କିଛି ହୁଏନା। ‘ଗତସ୍ୟ ଶୋଚନା ନାସ୍ତି’ ନ୍ୟାୟରେ ପୁରୁଣା ବର୍ଷଟିର ସ୍ମୃତି ରୋମନ୍ଥନ କରିବାକୁ ଏକ ବୃଥା କସରତ ବୋଲି ମନେ କରାଯାଇ ଅତୀତକୁ ଅଳିଆ ଗଦାରେ ଫିଙ୍ଗି ଦିଆଯାଏ ଓ ଆବାହନ କରାଯାଏ ନବକଳେବରଧାରୀ ନବବର୍ଷର ଆଗମନକୁ।
ଏ ଆବାହନର ସ୍ବରୂପ ବି ବିବିଧବର୍ଣ୍ଣ। ପୁରୁଣା ବର୍ଷର ଶେଷ ସନ୍ଧ୍ୟାଟି ସଜ୍ଜିତ ହୋଇଥାଏ ବହୁବିଧ ଆଲୋକମାଳାରେ। ସେଇ ଈପ୍‌ସିତ ‘ଶୂନ୍ୟ ଘଟିକା’ ବା ‘ଜିରୋ ଆଓ୍ବାର’କୁ ପ୍ରତୀକ୍ଷା କରାଯାଏ ବିଭିନ୍ନ ବ୍ୟବସ୍ଥା ମଧ୍ୟରେ। ବଡ଼ ବଡ଼ ନଗରୀରେ ହୋଟେଲ ବା କ୍ଲବ୍‌ଗୁଡିକରେ ଜମିଯାଏ ନୃତ୍ୟଗୀତର ଆସର ତ ଛୋଟ ଛୋଟ ସହରରେ ଭୋଜିଭାତର ଆସର। ଏଥର ତ ସେମାନଙ୍କ ପାଇଁ ଖୋଦ୍‌ ସରକାର ବି ସାମିଲ, ଯେଉଁମାନେ ବିନା ମଦ୍ୟପାନରେ ପୁରୁଣା ବର୍ଷଟିକୁ ବିଦାୟ ଦେଇ ନୂଆବର୍ଷକୁ ଆବାହନ କରିବାକୁ ରଙ୍ଗହୀନ ମନେକରନ୍ତି! ରାତି ଗୋଟାଏ ଯାଏ ମଦ୍ୟଶାଳା ଖୋଲା ରଖିବାର ସରକାରୀ ବରାଭୟ ଲାଭ କରି ଉଭୟ ମଦ ବ୍ୟବସାୟୀ ଓ ମଦ୍ୟପମାନେ ସରାକରଙ୍କ ସ୍ତୁତିଗାନ କରିବା ମଧ୍ୟରେ ଧୀରେ ଧୀରେ ନୂଆବର୍ଷ ଓହ୍ଲାଇ ଆସିଥାଏ- ମହାକାଳର ଗର୍ଭ ମଧ୍ୟରୁ। ଅବଗଣନା ଆରମ୍ଭ ହୋଇଥାଏ ସେଇ ବାଞ୍ଛିତ ଶୂନ୍ୟ ଘଟିକାକୁ ସ୍ବାଗତ କରିବାକୁ। ତା’ପରେ ଟଳ ଟଳ ପାଦର ଛନ୍ଦ ମଧ୍ୟରେ ବାଣରୋଶଣିର ବୁକୁଫଟା ଆଓ୍ବାଜ ମଧ୍ୟରେ ନବବର୍ଷର ପ୍ରଥମ ମୁହୂର୍ତ୍ତଟି ଜନ୍ମ ନିଏ।
ତେବେ ଆମ ଆଲୋଚ୍ୟ ପ୍ରସଙ୍ଗଟି ଟିକେ ଭିନ୍ନ ପର୍ଯ୍ୟାୟର। ମାତୃଗର୍ଭରୁ ଭୂମିଷ୍ଠ ହୋଇ ସଂସାରର ପ୍ରଥମ ଆଲୋକ ଦେଖୁଥିବା ନବଜାତକର ଲଲାଟରେ ଯେମିତି ଅଦୃଶ୍ୟ ଭାବେ ଅଙ୍କିତ ହୋଇଥାଏ ଷଠୀଦେବୀଙ୍କ ବରଦାନ, ସେମିତି ନବବର୍ଷଟିଏ ମହାକାଳ ଗର୍ଭରୁ ଭୂମିଷ୍ଠ ହେବା ପୂର୍ବରୁ ତାକୁ ନେଇ ଅନୁଚ୍ଚାରିତ ଭାବେ ଗଢ଼ା ହୋଇଥାଏ କେତେ କେତେ ସଙ୍କଳ୍ପର ସୁଦୃଶ୍ୟ ମିନାର, ଉତ୍ତୋଳିତ ହୋଇଥାଏ ବହୁବିଧ ଶପଥର ଶ୍ରୁତିମଧୁର ସ୍ଲୋଗାନ। ଏମିତି ସଙ୍କଳ୍ପକୁ ଆୟୁଷ୍ମାନ କରିବାକୁ ନିଜ ନିଜ ଇଷ୍ଟଦେବଙ୍କୁ ପ୍ରାର୍ଥନା କରାଯାଏ। ସଙ୍କଳ୍ପଚ୍ୟୁତ ହେବାର ଦୁର୍ବଳତା ବା ଶପଥଭଙ୍ଗ କରିବାର ବିବଶତା କେବେ ବି ଗ୍ରାସ ନ କରୁ, ନିଜକୁ ନେଇ ନିଜ ଭିତରେ ଏମିତି ଏକ ପ୍ରତିବଦ୍ଧତା ସୃଷ୍ଟି କରାଯାଏ। ବିଗତ ବର୍ଷଗୁଡିକୁ କଳୁଷ କାଳିମାରୁ ମୁକ୍ତ କରି, ଧୋଇମାଜି ସଫାକରି ନୂଆବର୍ଷରେ ନୂଆ ରୂପ ଦେବାକୁ ନିଜ ଭିତରେ ଏକ ଭୀଷ୍ମ ପ୍ରତିଜ୍ଞା ମୁଣ୍ଡ ଟେକେ।
ମଦ ବା ସିଗାରେଟ୍‌ ଆଦି ପ୍ରାଣଘାତକ ବଦଭ୍ୟାସରୁ ନିଜକୁ ମୁକ୍ତ କରିବାକୁ ନୂଆବର୍ଷର ଅବ୍ୟବହିତ ପୂର୍ବରୁ ମଦ୍ୟପ ବା ଧୂମପାନକାରୀ ସଙ୍କଳ୍ପ ନିଅନ୍ତି। ନିଜ ବିଶାଳ ବପୁକୁ ଚର୍ବିମୁକ୍ତ କରିବାକୁ ବାଇକ୍‌ ବଦଳରେ ସାଇକେଲରେ ଅଫିସ ଯିବାକୁ ବା ନୈତିକତାର ଆହ୍ବାନରେ ଅଫିସ କାର୍ଯ୍ୟ କରି କେବେ କାହାଠାରୁ ଲାଞ୍ଚ ନ ନେବାକୁ ନୂଆବର୍ଷ ଆରମ୍ଭ ଦିନକୁ ଏକ ଲକ୍ଷ୍ମଣଗାର ଭାବେ ଗ୍ରହଣ କରି ବଜ୍ର ଶପଥଟିଏ ନେଇଥାନ୍ତି ସରକାରୀ କର୍ମଚାରୀ। ସେହିପରି ଅନ୍ତର୍ନିହିତ ଚେତନାର ଏକ ଦିବ୍ୟ ଆକର୍ଷଣରେ ଜୀବନର ଅବଶିଷ୍ଟ କାଳ ମିଛ ନ କହିବାକୁ ନିଜ ପାଖରେ ପ୍ରତିଜ୍ଞାବଦ୍ଧ ହୋଇଥାନ୍ତି କେହି ଅନୁପ୍ରାଣିତ ସତ୍ୟବାଦୀ। ପ୍ରତିଦିନ ପ୍ରଭାତରେ ଘଣ୍ଟାଏ ଯୋଗାଭ୍ୟାସ କରିବା, ପତି ବା ପତ୍ନୀଙ୍କର ସବୁଯାକ ଗଞ୍ଜଣାକୁ ସହି ନେଇ କୌଣସି ପାରିବାରିକ ଅଶାନ୍ତିକୁ ପ୍ରଶ୍ରୟ ନ ଦେବା, ନିଜ ବୃତ୍ତି ପ୍ରତି ଅଧିକ ବିଶ୍ୱସ୍ତ ରହିବା ବା ଆମିଷ ପରିତ୍ୟାଗ କରି କେବଳ ନିରାମିଷ ବ୍ୟଞ୍ଜନରେ ସନ୍ତୁଷ୍ଟ ରହିବା ଭଳି ବହୁବିଧ ବ୍ୟାବହାରିକ ସଙ୍କଳ୍ପର ଜନ୍ମ ହୁଏ ନବବର୍ଷ ଜନ୍ମ ନେବାର ଅବ୍ୟବହିତ ପୂର୍ବରୁ।
ଅଥଚ କେଡ଼େ କଥା ନ ହୁଅନ୍ତା, ଯଦି ଏ ସମସ୍ତ ସଙ୍କଳ୍ପ ମଧ୍ୟରୁ କେଇଟି ବି କିଛିକାଳ ପାଇଁ ଜୀବନ୍ତ ରହନ୍ତା! ନବବର୍ଷର ସଙ୍କଳ୍ପ ମଧ୍ୟରେ ପ୍ରତିଫଳିତ ହୁଅନ୍ତା ଆତ୍ମସଂଶୋଧନର ପ୍ରତିବଦ୍ଧତା! କେବଳ ଜଣେ ବ୍ୟକ୍ତିର ବ୍ୟକ୍ତିସତ୍ତା ନୁହେଁ, ବ୍ୟକ୍ତିର ସମଷ୍ଟିରୁ ଗଠିତ ସମାଜର ଚିତ୍ର ଓ ଚରିତ୍ରରୁ ଅପସରି ଯାଆନ୍ତା ଆତ୍ମପ୍ରବଞ୍ଚନାର କଳୁଷ! ପ୍ରତ୍ୟେକ ନବବର୍ଷ ଆସନ୍ତା ଏକ ଉନ୍ନତ ଚେତନାର ପରିଚୟ ନେଇ, ଏକ ସମୃଦ୍ଧ ସମାଜର ସ୍ବପ୍ନ ନେଇ। ମଦ୍ୟମାଂସ, ନାଚଗୀତ ବା ବାଣରୋଶଣିର ବର୍ଣ୍ଣାଢ୍ୟ ସମାରୋହ ମଧ୍ୟରେ ନବବର୍ଷର ସଙ୍କଳ୍ପ ଏମିତି ବୈଶିଷ୍ଟ୍ୟହୀନ ହୁଅନ୍ତା ନାହିଁ କି ଆତ୍ମପ୍ରବଞ୍ଚନାର ପ୍ରହସନରେ ପରିଣତ ହୁଅନ୍ତା ନାହିଁ!
ମାତ୍ର ବିଡ଼ମ୍ବନାର ବିଷୟ, ଏମିତି ହୁଏ ନାହିଁ। କେବଳ ଭଙ୍ଗାଯାଇ ପାରୁଥିବା ଶପଥକୁ ନେଇ ଆତ୍ମପ୍ରକାଶ କରେ ନବବର୍ଷର ପ୍ରଥମ ସକାଳ। ଆମିଷ ତ୍ୟାଗ କରୁଥିବାର ସଙ୍କଳ୍ପ ଦୟନୀୟ ଭାବେ ଶେଷ ହୋଇଯାଏ ନୂଆବର୍ଷର କୁକୁଡ଼ା ବା ଖାସିମାଂସର ବଣଭୋଜି ଭିତରେ। ମଦ୍ୟ ସେବନ ନ କରିବାର ଶପଥ ନିଶ୍ଚିହ୍ନ ହୋଇଯାଏ ନୂଆବର୍ଷ ସନ୍ଧ୍ୟାର ବନ୍ଧୁମିଳନରେ। ମିଛ ନ କହିବାର ଅଙ୍ଗୀକାର ଅସହାୟ ଭାବେ ଆତ୍ମହତ୍ୟା କରେ ନବବର୍ଷର ପ୍ରଥମ ରାତିରେ, ବିଳମ୍ବରେ ଘରକୁ ଫେରିବା ଓ ତଜ୍ଜନିତ ସ୍ତ୍ରୀ ବା ମାତାପିତାଙ୍କର ପ୍ରଶ୍ନ କରିବାର ଅଧିକାର ନିକଟରେ। ପୁଣି ଲାଞ୍ଚ ନ ନେବାର ଆତ୍ମପ୍ରତିଶ୍ରୁତି ଅଳ୍ପାୟୁ ହୋଇ ଶେଷ ହୋଇଯାଏ କେଉଁଠି କେଉଁ ହିତାଧିକାରୀଙ୍କଠୁ ମୋଟା ମୂଲ୍ୟର ଉପଢୌକନ ବା ପାରିତୋଷିକ ଗ୍ରହଣ କରିବାରେ।
ନବବର୍ଷର ସଙ୍କଳ୍ପ ଓ ତାହା ପାଳନ କରିବାର ପ୍ରତିବଦ୍ଧତା ସମ୍ପର୍କରେ ପରିସଂଖ୍ୟାନ ସଂଗ୍ରହ କରୁଥିବା ଜଣେ ଉତ୍ସାହୀ ଗବେଷକଙ୍କ ପ୍ରଶ୍ନର ଉତ୍ତର ଦେଇ ସେଦିନ ଜଣେ ଯୁବକ କହୁଥିଲେ, ”ପ୍ରତିବର୍ଷ ନବବର୍ଷର ସଙ୍କଳ୍ପ ଭାବେ ଆମେ ଏମିତି କିଛି ବିଷୟ ଚୟନ କରୁ, ଯାହା ପାଳନ କରିବା ସମ୍ଭବ ନୁହେଁ।“ ଅନ୍ୟ ଅର୍ଥରେ ଯୁବକଙ୍କ କହିବା କଥା ହେଲା, ସେମାନେ କେବଳ ସେଇ ସଙ୍କଳ୍ପ ନିଅନ୍ତି, ଯାହା ପୂରଣ କରିବା ସେମାନଙ୍କ ସାମର୍ଥ୍ୟର ବାହାରେ! ପ୍ରକୃତରେ ବଡ଼ ବିଚିତ୍ର ଏ ସଙ୍କଳ୍ପ! ତାହାଠୁ ଆହୁରି ବିଚିତ୍ର ଏ ପ୍ରକାର ସଙ୍କଳ୍ପର ବେକମୋଡି ହତ୍ୟା କରିବାର ଆସୁରିକ ଆନନ୍ଦ। ତେବେ ପ୍ରଶ୍ନ ଉଠୁଛି, ନବବର୍ଷର ଯେଉଁସବୁ ସଙ୍କଳ୍ପ ଭିନ୍ନ ଭିନ୍ନ ପରିସରରେ ଭିନ୍ନ ଭିନ୍ନ ଭାବେ ମୁଣ୍ଡ ଟେକିଥାଏ, ସେଗୁଡିକର ପ୍ରକୃତ ସ୍ବରୂପ କ’ଣ? ମିଥ୍ୟା ପ୍ରତିବଦ୍ଧତା ନା ସତ୍ୟ ଆତ୍ମପ୍ରବଞ୍ଚନା?
ସେଦିନ ଜଣେ ଯୁବ କର୍ମଚାରୀ ନିଜ ଓଜନ ଓ କ୍ରମାଗତ ବଢି ଚାଲିଥିବା ପେଟକୁ ନେଇ ଚିନ୍ତିତ ହୋଇପଡିଲେ ଓ ନିଜ ସ୍ତ୍ରୀଙ୍କ ସମ୍ମୁଖରେ ଘୋଷଣା କଲେ, ”ଆସନ୍ତା ନବବର୍ଷଠାରୁ ସପ୍ତାହର ପ୍ରଥମ ତିନିଦିନ ବାଇକରେ ଅଫିସ ଯିବି ଓ ଶେଷ ତିନିଦିନ ଯିବି ସାଇକେଲରେ।“ ଗୋଟିଏ ସପ୍ତାହ ସୁରୁଖୁରୁରେ ପ୍ରତିଜ୍ଞା ପାଳନ କରାଗଲା। ଦ୍ୱିତୀୟ ସପ୍ତାହଠୁ ଦେଖାଗଲା ସାଇକେଲର ଗୋଟିଏ ଚକରେ ପବନ ନାହିଁ। ସାଇକେଲ ମରାମତି କରି ଅଫିସ ଯିବା ବିଳମ୍ବ ହାଇଯିବ ବୋଲି ସେଦିନ ବାଇକଟିକୁ ବ୍ୟବହାରରେ ଲଗାହେଲା। ପରଦିନ ଅଫିସ ଯିବା ପୂର୍ବରୁ ସାଇକେଲରେ ପବନ ଭରି ଠିକ୍‌ କରି ଦେଇଥିଲେ ସ୍ତ୍ରୀ। ଅଥଚ ତାଙ୍କୁ ଚକିତ କରି ସାଇକେଲର ଚକଟି ଆଉ ଥରେ ପବନଶୂନ୍ୟ ହୋଇଯାଇଥିଲା। ଥରକୁ ଦୁଇଥର, ଦୁଇରୁ ଚାରିଥର ଏମିତି ଯେତେ ପବନ ଦେଲେ ବି ସାଇକେଲର ଚକ ଦୁଇଟି ଶେଷରେ ସ୍ଥାୟୀ ଭାବେ ପବନଶୂନ୍ୟ ହୋଇ ପଡି ରହିବାକୁ ପଣ କଲେ ଯେ ଯୁବ କର୍ମଚାରୀ ପୂର୍ବପରି ସବୁଦିନ ବାଇକରେ ଅଫିସ ଯିବାକୁ ବାଧ୍ୟ ହେଲେ।
ଏମିତି ସିନା ହୁଅନ୍ତା, ନବବର୍ଷର ସଙ୍କଳ୍ପ ଏମିତି ପ୍ରହସନ ନ ହୋଇ ଆତ୍ମାର ଆହ୍ବାନ ହୁଅନ୍ତା! ପୂରଣ ହୋଇ ପାରୁ ନ ଥିବା ସଙ୍କଳ୍ପ ପରିବର୍ତ୍ତେ ମୁଣ୍ଡ ଟେକନ୍ତା ପୂରଣ ହୋଇ ପାରୁଥିବା ସଙ୍କଳ୍ପର ଆକୁଳତା। ଅଭୀଷ୍ଟ ସିଦ୍ଧି ପାଇଁ ଉଦ୍‌ବେଳନ ସୃଷ୍ଟି କରନ୍ତା ମନ ଓ ହୃଦୟର ବ୍ୟାକୁଳତା। ଏମିତି ହୁଅନ୍ତା, ନବବର୍ଷର ଅବ୍ୟବହିତ ପୂର୍ବରୁ ନିଜ ସହ ମୂଲଚାଲ କରି ଏକ ନିର୍ଦ୍ଦିଷ୍ଟ ସଙ୍କଳ୍ପର ସ୍କେଚ୍‌ ତିଆରି ହୁଅନ୍ତା। ଯେମିତି କି, ‘ମୁଁ ଏ ବର୍ଷର ବାରମାସରେ ବାରଟି ବୃକ୍ଷରୋପଣ କରିବି ଓ ବଡ଼ ହେବା ଯାଏ ସେଗୁଡିକର ରକ୍ଷଣାବେକ୍ଷଣ କରିବି’ କିମ୍ବା ‘ମୁଁ ଏଇ ବର୍ଷଟି ମଧ୍ୟରେ ଦୁଇଥର ରକ୍ତଦାନ କରିବି’ ଅବା ‘ଜଣେ ଦରିଦ୍ର ଛାତ୍ରର ପଢାଖର୍ଚ୍ଚ ବହନ କରିବି’। କିଛି ନ ହେଲେ ମାସର ଅଣତିରିଶ ଦିନ ନିଜ ପାଇଁ ବଞ୍ଚି ଗୋଟିଏ ଦିନ କେହି ଦୁଃସ୍ଥ, ଦରିଦ୍ର ଅବା ଅସହାୟର ସେବା ପାଇଁ ସମର୍ପିତ ହେବି। ଏମିତି ହେଲେ ନୂଆବର୍ଷ ଆଉ କେବେ ବି ପୁରୁଣା ହୁଅନ୍ତା ନାହିଁ। ନବବର୍ଷର ସଙ୍କଳ୍ପ ଏକ ପ୍ରହସନ ବା ଆତ୍ମପ୍ରବଞ୍ଚନାରେ ଶେଷ ହୋଇଯାନ୍ତା ନାହିଁ। ସଙ୍କଳ୍ପର ପ୍ରତିବଦ୍ଧତା ମଧ୍ୟରେ ପ୍ରତିବିମ୍ବିତ ହୁଅନ୍ତା ଏକ ସଫଳ ଜୀବନର ପ୍ରାଣମୟ ପ୍ରତିବେଦନ! ଆତ୍ମଚେତନାର ମହତ୍ତର ଉପଲବ୍ଧି ମଧ୍ୟରେ ନିନାଦିତ ହୁଅନ୍ତା ସାର୍ଥକ ଜୀବନର ଓଁକାର ଉଚ୍ଚାରଣ!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର, ମୋ: ୮୮୯୫୬୨୪୧୦୫