ପ୍ରତିବନ୍ଧକ ସାଜିଛି ପରିବର୍ତ୍ତିତ ପାଣିପାଗ: କୃଷିକ୍ଷେତ୍ରରେ ନୂଆ ପ୍ରଯୁକ୍ତିବିଦ୍ୟା ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି; ମନ୍ତ୍ରୀ

ଭୁବନେଶ୍ୱର,୮ା୮(ବ୍ୟୁରୋ): ୨୦୨୨ ସୁଦ୍ଧା ରାଜ୍ୟରେ କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷରେ ‘ଅନନ୍ୟା’ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ମିଳିତ ସହଯୋଗରେ ବୁଧବାର କୃଷି ବିଶେଷଜ୍ଞଙ୍କ ଏକ ମତବିନିମୟ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଲେ, ପାଣିପାଗ ପରିବର୍ତ୍ତନ ପାଇଁ ଚାଷ କାର୍ଯ୍ୟରେ ହେଉଥିବା ସମସ୍ୟାର ସମାଧାନ ଓ ପ୍ରତିବନ୍ଧକକୁ ସାମ୍ନା କରିବାକୁ ନୂଆ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଏବେ ଏ ଦିଗରେ ଗୁରୁତ୍ୱାରୋପ କରୁଥିବାବେଳେ କମ୍‌ ଖର୍ଚ୍ଚରେ କିଭଳି ଚାଷୀମାନେ ଅଧିକ ଲାଭବାନ ହୋଇପାରିବେ ତାହାକୁ ପ୍ରାଥମିକତା ଦିଆଯାଉଥିବା ସେ କହିଥିଲେ।
କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଓୟୁଏଟି କୁଳପତି ଡ. ପବନ କୁମାର ଅଗ୍ରଓ୍ବାଲ ଚାଷୀ ଆୟ ଦ୍ୱିଗୁଣିତ କରିବାକୁ ଓୟୁଏଟି ଦ୍ୱାରା ଉଦ୍ଭାବିତ ହୋଇଥିବା ଅତ୍ୟାଧୁନିକ କୃଷି ପ୍ରଯୁକ୍ତିବିଦ୍ୟା ଉପରେ ଆଲୋକପାତ କରିଥିଲେ। ଗ୍ରାମାଞ୍ଚଳର ଯୁବପିଢି ଚାଷକାର୍ଯ୍ୟକୁ ଗୁରୁତ୍ୱର ସହ ନେଇ ଏହାକୁ ଜୀବିକା ଉପାର୍ଜନର ମାଧ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ। ପୁଣେସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କୋଅପରେଟିଭ୍‌ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ଡ. କେ.କେ. ତ୍ରିପାଠୀ, ଅନନ୍ୟାର ଉପଦେଷ୍ଟା ଡ. ପି.କେ. ସାହୁ ଏହି ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ଅନନ୍ୟାର କାର୍ଯ୍ୟନିର୍ବାହୀ ସମ୍ପାଦକ ସୁକାନ୍ତ କୁମାର ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ। ପରେ ବିଭିନ୍ନ ବିଷୟକୁ ନେଇ ଟେକ୍ନିକାଲ ସେସନ୍‌ ଆୟୋଜିତ ହୋଇଥିଲା। ବିଶ୍ୱବିଦ୍ୟାଳୟ ଅଧୀନ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ନିର୍ଦ୍ଦେଶକ, ଅଧିକାରୀ, କୃଷି ବୈଜ୍ଞାନିକ, ଶିକ୍ଷାବିତ୍‌, ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର ଏବଂ କୃଷକମାନେ ଯୋଗଦେଇଥିଲେ।

Share