ପ୍ରତିବର୍ଷ ହେପାଟାଇଟିସ୍‌ରେ ଆକ୍ରାନ୍ତ ହେଉଛନ୍ତି ରାଜ୍ୟର ୫ ହଜାର ଲୋକ

ଭୁବନେଶ୍ୱର,୨୭ା୭ (ବ୍ୟୁରୋ): ଓଡ଼ିଶାରେ ପ୍ରତିବର୍ଷ ୪ରୁ ୫ ହଜାର ଲୋକ ହେପାଟାଇଟିସ୍‌ରେ ଆକ୍ରାନ୍ତ ହେଉଛନ୍ତି। ରାଜ୍ୟର କେତେକ ଜନଜାତିଙ୍କଠାରେ ହେପାଟାଇଟିସ ‘ବି’ ମାତ୍ରା ଅଧିକ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ରୋଗ ନିରୂପଣ କରିବା କଷ୍ଟସାଧ୍ୟ। ରାଜ୍ୟରେ ହେପାଟାଇଟିସ୍‌ ‘ଏ’ ଏବଂ ‘ଇ’ ଅଧିକ ଦେଖାଯାଉଛି। ଦୂଷିତ ଜଳ ଏବଂ ଖାଦ୍ୟପଦାର୍ଥ ଗ୍ରହଣ ଯୋଗୁ ହେପାଟାଇଟିସ ‘ଏ’ ସଂକ୍ରମଣ ହୋଇଥାଏ। ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ରହିଥିବା ହଷ୍ଟେଲଗୁଡିକରେ ପାଣି ଟାଙ୍କି ଠିକ୍‌ ଭାବେ ସଫା ହେଉ ନ ଥିବାରୁ ବହୁ ଛାତ୍ରୀଛାତ୍ର ହେପାଟାଇଟିସରେ ସଂକ୍ରମିତ ହେଉଥିବା ଆପୋଲୋ ହସ୍ପିଟାଲର ପେଟ ଏବଂ ଯକୃତ ରୋଗ ବିଶେଷଜ୍ଞ ଡ. ସୁଶାନ୍ତ କୁମାର ସେଠୀ ଶୁକ୍ରବାର ସୂଚନା ଦେଇଛନ୍ତି।
ଏଠାରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ଡ.ସେଠୀ କହିଛନ୍ତି, ରାଜ୍ୟରେ ହେପାଟାଇଟିସ୍‌ ‘ବି’ର ହାର ୧ରୁ ୨% ରହିଛି। ସେହିଭଳି ହେପାଟାଇଟିସ୍‌ ‘ସି’ ୧%ରୁ କମ୍‌। ହେପାଟାଇଟିସ୍‌ ‘ବି’ର ଟିକାକରଣ ହେଉଛି। ସେହିଭଳି ସାରା ବିଶ୍ୱରେ ୩୫୦ ନିୟୁତ ଲୋକ ହେପାଟାଇଟିସ୍‌ରେ ଆକ୍ରାନ୍ତ। ଫଳରେ ପ୍ରତିବର୍ଷ ଏହିକାରଣରୁ ୧.୩୪ ନିୟୁତ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ଏହା ୫ ପ୍ରକାରର ହୋଇଥିବା ବେଳେ ୮୦% ଲୋକ ଏ ସମ୍ପର୍କରେ ସଚେତନ ନୁହନ୍ତି ବୋଲି ଡ.ସେଠୀ କହିଛନ୍ତି। ୨୦୩୦ ସୁଦ୍ଧା ପୃଥିବୀରୁ ହେପାଟାଇଟିସ୍‌ର ବିଲୋପ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ପ୍ରତିବର୍ଷ ଜୁଲାଇ୨୮କୁ ‘ବିଶ୍ୱ ହେପାଟାଇଟିସ୍‌ ଦିବସ’ ଭାବେ ପାଳନ କରାଯାଉଛି। ବିଶ୍ୱରେ ଭୂତାଣୁ ଜନିତ ହେପାଟାଇଟିସ୍‌ ଏବଂ ଏହାର ଭୟାବହତା ନେଇ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ଏଭଳି ଦିବସ ପାଳିତ ହେଉଛି। ଏହି ଦିବସ ଉପଲକ୍ଷେ, ଚଳିତ ବର୍ଷର ବାର୍ତ୍ତା ହେଉଛି, ‘ହେପାଟାଇଟିସ୍‌ ଦୂରୀକରଣ ଲାଗି ନିବେଶ କରନ୍ତୁ’। ଏଥିଲାଗି ସରକାର, ଏନ୍‌ଜିଓ, ହସ୍ପିଟାଲ ଏବଂ ଅଂଶୀଦାର ମିଳିତ ହୋଇ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ସଂକ୍ରମିତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା, ସଚେତନତା, ଟିକାକରଣ, ଚିକିତ୍ସାରେ ସମୟ ବିନିଯୋଗ କରିବାର ଆବଶ୍ୟକତା ରହିଛି ବୋଲି ଡ.ସେଠୀ ମତ ଦେଇଛନ୍ତି।

Share