Categories: ଖେଳ

ପ୍ରତିଭା ଖୋଜିବେ ଅନୁରାଧା

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣର ଉଦ୍‌ଘାଟନୀ ସମାରୋହ ଶନିବାର କଟକରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଭୁବନେଶ୍ୱରରେ କେତେକ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି। ମାର୍ଚ୍ଚ ୧ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରତିଯୋଗିତା ୧୭ଟି ଇଭେଣ୍ଟରେ ଆୟୋଜିତ ହେବ। ଏଥିପାଇଁ ପାଖାପାଖି ୩୦୦୦ ଆଥଲେଟଙ୍କ ସମାଗମ ହୋଇଛି। ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଯୁବ ଆଥଲେଟ୍‌ମାନେ ସେମାନଙ୍କ କଳାକୌଶଳ ଦେଖାଇବେ। ଏହି ସମ୍ମାନଜନକ ପ୍ରତିଯୋଗିତାରୁ ପ୍ରତିଭା ଖୋଜିବା ପାଇଁ ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କୁ ଗୁରୁଦାୟିତ୍ୱ ଦିଆ ଯାଇଛି। ସେ ବିଶେଷ କରି ଆଥଲେଟିକ୍ସ ଭେନ୍ୟୁରେ ଉପସ୍ଥିତ ରହି ଖେଳାଳିଙ୍କ ପ୍ରତିଭାକୁ ଦେଖିବେ। ଭାରତୀୟ ଖେଳ ପ୍ରାଧିକରଣ ପକ୍ଷରୁ ଲିଖିତଭାବେ ଅନୁରାଧାଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି। ପୂର୍ବରୁ ଅନୁରାଧା ଗେଲ୍‌ ଇଣ୍ଡିଆ ପକ୍ଷରୁ ଆୟୋଜିତ ପ୍ର୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ମଧ୍ୟ ଜାତୀୟ ଚୟନକର୍ତ୍ତା ଦାୟିତ୍ୱ ତୁଲାଇ ସାରିଛନ୍ତି। ଏଥିରେ ସ୍ବାଭାବିକଭାବେ ଖୁସି ଜାହିର କରିବା ସହିତ ଅନୁରାଧା ଓଡ଼ିଶା ସରକାର, ନିଯୁକ୍ତି ସଂସ୍ଥା ନାଲ୍‌କୋ, କିଟ୍‌ ବିଶ୍ୱବିଦ୍ୟାଳୟକୁ ଧନ୍ୟବାଦ ଜଣାଇଛନ୍ତି।

Share