ପ୍ରତିମାସ ୨୩ରେ ଛତୁଆ ମିଶ୍ରଣ, ୧ରେ ବଣ୍ଟନ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ସମନ୍ବିତ ଶିଶୁ ବିକାଶ ଯୋଜନାରେ ରାଜ୍ୟର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତିଙ୍କ ଅତିରିକ୍ତ ପୁଷ୍ଟି ସାଧନ ପାଇଁ ଛତୁଆ ଯୋଗାଣ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଏବଂ ଉତ୍କୃଷ୍ଟ ମାନ ବଜାୟ ରଖିବା ପାଇଁ କେତେକ ନୂଆ ନିଷ୍ପତ୍ତି ହୋଇଛି। ପ୍ରତି ମାସର ୨୩ ତାରିଖକୁ ଛତୁଆ ମିଶ୍ରଣ ଦିନ ଭାବେ ସ୍ଥିର କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସାରା ରାଜ୍ୟର ୩୩୮ ଆଇସିଡିଏସ୍‌ ପ୍ରକଳ୍ପ ଅଧୀନରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ଛତୁଆ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ପୂର୍ବରୁ ଜାରି କରାଯାଇଥିବା ସଂଶୋଧିତ ଗାଇଡ୍‌ଲାଇନ୍‌ ଅନୁଯାୟୀ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଜିଲା ସମାଜ ମଙ୍ଗଳ ଅଧିକାରୀ, ସିଡିପିଓ କିମ୍ବା ମିଶନଶକ୍ତିର ପ୍ରୋଗ୍ରାମ ଅଧିକାରୀଙ୍କ ଉପସ୍ଥିତିରେ ନିର୍ଦ୍ଧାରିତ ପରିମାଣର ସାମଗ୍ରୀ ମିଶ୍ରଣ କରି ଛତୁଆ ପ୍ରସ୍ତୁତ କରାଯାଇଛି। ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ପ୍ରତି ଜିଲାରେ ଚାଲିଥିବା ମିଶ୍ରଣ ପ୍ରକ୍ରିୟାରେ ମାନ, ଛତୁଆ ପ୍ରସ୍ତୁତି କେନ୍ଦ୍ରର ଭିତ୍ତିଭୂମି, ସ୍ବଚ୍ଛତା, ବ୍ୟବହୃତ ମେଶିନର ଗୁଣବତ୍ତା, ପ୍ୟାକେଜିଂ ଆଦିକୁ ନିରୀକ୍ଷଣ ଏବଂ ତଦାରଖ କରାଯାଉଛି। କେନ୍ଦୁଝର ଜିଲାରେ ଜିଲାପାଳ ଉପସ୍ଥିତ ରହି ଏହି ଛତୁଆ ମିଶ୍ରଣ କାର୍ଯ୍ୟର ତଦାରଖ କରିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଛତୁଆ ପ୍ରସ୍ତୁତି ପାଇଁ ରାଜ୍ୟର ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ୧ ବର୍ଷିଆ ଚୁକ୍ତିରେ ଚୟନ କରାଯାଇ ଛତୁଆ ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ତାଲିମ ଦିଆଯାଇଛି। ଗହମ, ବାଦାମ, ବୁଟ ଏବଂ ଚିନିର ମିଶ୍ରଣରେ ପ୍ରସ୍ତୁତ ଛତୁଆକୁ ୬ ମାସରୁ ୩ ବର୍ଷ ବୟସର ଶିଶୁ, ଗର୍ଭବତୀ, ପ୍ରସୂତି ଏବଂ ୩ରୁ ୬ ବର୍ଷର ଅତିଶୟ ପୁଷ୍ଟିହୀନ ଶିଶୁଙ୍କୁ ଶୁଖିଲା ଖାଦ୍ୟ ଭାବେ ଯୋଗାଇ ଦିଆଯାଉଛି। ଏଣିକି ପ୍ରତିମାସ ୧ତାରିଖରେ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକରେ ମାତୃ କମିଟି ଓ ଯାଞ୍ଚ କମିଟି ଉପସ୍ଥିତିରେ ଛତୁଆ ବଣ୍ଟନ କରାଯିବ। ନିର୍ଦ୍ଧାରିତ ୨୩ ତାରିଖ ଛୁଟିଦିନ ହୋଇଥିଲେ ମଧ୍ୟ ସେହିଦିନ ହିଁ ଛତୁଆ ମିଶ୍ରଣ କରାଯିବ। ଶୁକ୍ରବାର ସାରା ରାଜ୍ୟରେ ଜନ୍ମାଷ୍ଟମୀ ପାଇଁ ସରକାରୀ ଛୁଟି ରହିଥିବାବେଳେ ଛତୁଆ ମିଶ୍ରଣ କରାଯାଇଛି। ଏହାଦ୍ବାରା ଛତୁଆ ଯୋଗାଣ ପ୍ରକ୍ରିୟାରେ ଅଧିକ ସ୍ବଚ୍ଛତା ଆସିବା ସହ ଉନ୍ନତମାନ ବଜାୟ ରଖିହେବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଆଶାବ୍ୟକ୍ତ କରିଛନ୍ତି। ଏହି ପ୍ରକ୍ରିୟା ସହ ଜଡ଼ିତ ସମସ୍ତ ଅଧିକାରୀ ଗାଇଡ୍‌ଲାଇନ୍‌ର ଅନୁପାଳନ କରିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି।