ପ୍ରତିଯୋଗିତାରେ ପ୍ରସ୍ତୁତ ହେଲା ୩୧୭୫ କିଲୋଗ୍ରାମ୍‌ ଦୁଗ୍ଧଜାତ ଖାଦ୍ୟ

ଓ୍ବାଶିଂଟନ,୫।୩ : ଆମେରିକାରେ ଏକ ନିଆରା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ୨୬ଟି ଦେଶର ପ୍ରତିଯୋଗୀ ବିଭିନ୍ନ ଦୁଗ୍ଧଜାତ ଖାଦ୍ୟ ପ୍ରସ୍ତୁତ କରିଛନ୍ତି। ସେଥିମଧ୍ୟରେ ଛେନା, ଦହି, ଲହୁଣୀ ସହିତ ଅନ୍ୟ ଖାଦ୍ୟ ମଧ୍ୟ ରହିଛି। ସ୍ଥାନୀୟ ମୈଡ଼ିସନ୍‌ ସହରରେ ହୋଇଥିବା ଏହି ପ୍ରତିଯୋଗିତାରେ ୧୯ ଦେଶର ବିଶେଷଜ୍ଞ ମଧ୍ୟ ଯୋଗଦେଇଥିଲେ। ପ୍ରସ୍ତୁତ ଖାଦ୍ୟକୁ ସେମାନେ ପରଖି ଥିଲେ। ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲାଗି ସଚେତନତା ସୃଷ୍ଟି ନିମନ୍ତେ ଏଭଳି କରାଯାଇଥିବା କୁହାଯାଉଛି। ଆମେରିକାର ୩୬ଟି ରାଜ୍ୟର ଦୁଗ୍ଧଚାଷୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଗାଈ, ଛେଳି, ମେଣ୍ଡା, ମଇଁଷି ଏବଂ ଓଟ କ୍ଷୀରରୁ ୩୧୭୫ କିଲୋଗ୍ରାମ୍‌ ଖାଦ୍ୟ ପଦାର୍ଥ ପ୍ରସ୍ତୁତ ହୋଇଥିଲା। ଦୁଗ୍ଧଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ଆୟୋଜକ କହିଛନ୍ତି।

Share