ପ୍ରତିରକ୍ଷା ବିଭାଗର ୨ ଯବାନ କରୋନା ସଂକ୍ରମିତ : ଅନିର୍ଦ୍ଦିଷ୍ଟ କାଳ ପାଇଁ ପିଏକ୍ସଇ ବନ୍ଦ

ବାଲେଶ୍ୱର ଅଫିସ, ୮।୬-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ବିଭାଗ ପିଏକ୍ସଇ(ପ୍ରୁଫ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିଶମେଣ୍ଟ) ମିଲଟାରୀ ୱିଙ୍ଗ୍‌ସର ୨ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ଖବର ଜଣାପଡିବା ପରେ ସୋମବାରଠାରୁ ପିଏକ୍ସଇକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। ଅନ୍ୟପକ୍ଷରେ ଆଇଟିଆର୍‌, ଏମ୍‌ଇଏକ୍ସ, ଇଏମ୍‌ୟୁ ଭଳି ଅନ୍ୟ ବିଭାଗଗୁଡିକ କାର୍ଯ୍ୟକ୍ଷମ ରହିଛି।
କିଛିଦିନ ପୂର୍ବରୁ ଦୁଇ ଯବାନ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ସେମାନଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଚିକିତ୍ସା ପରେ ଯବାନଦ୍ୱୟ ସୁସ୍ଥ ନ ହେବାରୁ ସେମାନଙ୍କୁ କୋଲକାତାସ୍ଥିତ ବିଭାଗୀୟ କମାଣ୍ଡୋ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସ୍ବାବ ନମୁନା ପରୀକ୍ଷା କରାଯିବା ପରେ ସେମାନେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଖବରପାଇ ପିଏକ୍ସଇର ବିଭାଗୀୟ ଅଧିକାରୀ ସୋମବାରଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟାଳୟ ବନ୍ଦ କରିଛନ୍ତି। ସଂକ୍ରମଣ ରୋକିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

Share