Categories: ଜାତୀୟ

ପ୍ରତିରୋଧ କ୍ଷମତାକୁ ନେଇ ଭାରତ ଦୃଢ଼

ନୂଆଦିଲ୍ଲୀ, ୧୬ା୬: ଭାରତ ଅପେକ୍ଷା ପାକିସ୍ତାନରେ ରହିଛି ଅଧିକ ଅଣୁଅସ୍ତ୍ର। ଚାଇନା ପାଖରେ ପାକିସ୍ତାନ ଅପେକ୍ଷା ଦୁଇଗୁଣା ଅଧିକ ଅଣୁଅସ୍ତ୍ର ରହିଛି। ହେଲେ ଭାରତର ପ୍ରତିରୋଧ କ୍ଷମତା ବେଶ୍‌ ସଦୃଢ଼। ଷ୍ଟକ୍‌ହୋମ ଅନ୍ତର୍ଜାତୀୟ ଶାନ୍ତି ଗବେଷଣା ପ୍ରତିଷ୍ଠାନ ରିପୋର୍ଟରେ ଦର୍ଶାଯାଇଛି ଯେ, ପାକିସ୍ତାନ ପାଖରେ ୧୬୦ ଅଣୁଅସ୍ତ୍ର ରହିଥିବା ବେଳେ ଚାଇନା ପାଖରେ ୩୨୦ ଅଣୁଅସ୍ତ୍ର ମହଜୁଦ ହୋଇ ରହିଛି। ତେବେ ଭାରତରେ ମାତ୍ର ୧୫୦ ଏଭଳି ଅସ୍ତ୍ର ରହିଥିବା କୁହାଯାଇଛି। ସୀମା ବିବାଦକୁ ନେଇ ଭାରତ ଓ ଚାଇନା ପୂର୍ବ ଲଦାଖରେ ଟଣାଓଟରା ହେଉଥିବା ବେଳେ ଏହି ରିପୋର୍ଟ ପ୍ରକାଶ ପାଇଛି। ଦୁଇଦେଶ ୩,୪୮୮ କି. ମି. ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ସେନା ମୁତୟନ କରି ରଖିଥିବାବେଳେ ସମସ୍ୟାର ସମାଧାନ ଲାଗି ସେନାଧିକାରୀସ୍ତରୀୟ ଆଲୋଚନା ଜାରି ରହିଛି।
ସେହିଭଳି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ୭୭୮ କି. ମି. ନିୟନ୍ତ୍ରଣ ରେଖା ନିକଟରେ ସବୁବେଳେ ଗୁଳି, ମୋର୍ଟାର ମାଡ଼ ଜାରି ରହିଛି। କେତେବେଳେ କିଭଳି ପରିସ୍ଥିତି ସୃଷ୍ଟିହେବ କହିବା ମୁସ୍କିଲ। ସୀମା ବିବାଦକୁ ନେଇ ଦୀର୍ଘଦିନ ହେବ ଏଭଳି ଶତ୍ରୁତା ଲାଗି ରହିଥିବା ବେଳେ ଏହାର ସମାଧାନ ପନ୍ଥା ବାହାରି ପାରୁନାହିଁ। ପାକିସ୍ତାନ ବାରମ୍ବାର ଅଣୁଅସ୍ତ୍ରର ଧମକ ଦେଇଆସୁଛି। ଚାଇନା ବି ବଡ଼ଭାଇପଣିଆ ଛାଡ଼ୁନି କି ସମାଧାନ ଦିଗ ପ୍ରତି ଦୃଷ୍ଟିଦେଉନି।
ବିଶ୍ୱରେ ୨୦୨୦ ସୁଦ୍ଧା ମୋଟ ୧୩,୪୦୦ ଅଣୁଅସ୍ତ୍ର ରହିଥିବା ବେଳେ ଆମେରିକା ପାଖରେ ୫,୮୦୦ ଓ ରୁଷିଆ ପାଖରେ ୬,୩୭୫ ଅଣୁଅସ୍ତ୍ର ରହିଥିବା ଷ୍ଟକ୍‌ହୋମ ଅନ୍ତର୍ଜାତୀୟ ଶାନ୍ତି ଗବେଷଣା ପ୍ରତିଷ୍ଠାନ ରିପୋର୍ଟରେ ଦର୍ଶାଯାଇଛି। ୨୦୧୯ରେ ମୋଟ ଅଣୁଅସ୍ତ୍ର ୧୩,୮୬୫ ଥିବା ଦର୍ଶାଯାଇଥିଲା। ଫ୍ରାନ୍ସ ପାଖରେ ୨୯୦, ବ୍ରିଟେନର ୨୧୫, ଇସ୍ରାଏଲର ୯୦ ଓ ଉତ୍ତର କୋରିଆର ୩୦-୪୦ ଅଣୁଅସ୍ତ୍ର ରହିଛି। ଭାରତ ଓ ପାକିସ୍ତାନ ଧୀରେ ଧୀରେ ସେମାନଙ୍କର ଅଣୁଅସ୍ତ୍ର ଆକାର ଓ ଭିନ୍ନତା ଆଣିବାରେ ଲାଗିଛନ୍ତି। ଏହି ଦୁଇଦେଶ ସେମାନଙ୍କ କ୍ଷେପଣାସ୍ତ୍ର ପରୀକ୍ଷା ସମ୍ପର୍କରେ ସୂଚନା ଦେଉଥିଲେ ହେଁ ଅସ୍ତ୍ରାଗାରର ଆକାର ସମ୍ପର୍କରେ ତଥ୍ୟ ପ୍ରଦାନ କରୁନାହାନ୍ତି ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି। ଆମେରିକା, ରୁଷିଆ ଭଳି ଚାଇନା ଅତ୍ୟାଧୁନିକ ଅଣୁଅସ୍ତ୍ରରେ ଆଗୁଆ ହେବାରେ ଲାଗିଛି ବୋଲି ଏଥିରେ ଦର୍ଶାଯାଇଛି।

Share