ପ୍ରତିଶ୍ରୁତିରେ ଅଟକିଛି ରାସ୍ତା ନିର୍ମାଣ

ଝୁମ୍ପୁରା, ୨୪।୧ (ଡି.ଏନ.ଏ.) – କେନ୍ଦୁଝର ଜିଲାର ପଳାଶପଙ୍ଗା (ସ୍ପଞ୍ଜ ଆଇରନ ଛକ) ଠାରୁ ବାମେବାରୀ ପର୍ଯ୍ୟନ୍ତ କିଡ୍‌କୋ ରାସ୍ତା ପାଲଟିଛି ମରଣଯନ୍ତା। ଦୁର୍ଘଟଣାପ୍ରବଣ ରାସ୍ତା ଭାବେ ମଧ୍ୟ କିଡ୍‌କୋ ରାସ୍ତାର ଜିଲାରେ ନାଁ ରହିଛି। ୨୦ ନଂ ଜାତୀୟ ରାଜପଥ ଠାରୁ ଯୋଡା ଖଣି ମଣ୍ଡଳକୁ ସଂଯୋଗ କରୁଥିବା ଏହି ୨୯କି.ମି. ରାସ୍ତା ଉପରେ ସବୁ ସମୟରେ ହଜାର ହଜାର ଖଣିଜ ବୋଝେଇ ଟ୍ରକ୍‌ ଚଳାଚଳ କରିଥାଏ। ଏହି ୨୯କି.ମି. ରାସ୍ତାର ୭ କି.ମି. ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଅନ୍ୟ ପାର୍ଶ୍ୱ ରାସ୍ତା ମଧ୍ୟ ସବୁ ଜାଗାରେ କ୍ଷତିଗ୍ରସ୍ତ ହୋଇ ଦୀର୍ଘଦିନରୁ ପଡି ରହିଛି। ଅଭିଯୋଗ ହେଲେ ମିଳୁଛି କେବଳ ପ୍ରତିଶ୍ରୁତି।
୨୯କି.ମି ରାସ୍ତା ବାମେବାରୀ ଓ ୨ ସଦର ଥାନା ଅଞ୍ଚଳରେ ଆସୁଥିବାବେଳେ, ପ୍ରତ୍ୟହ ଦୁର୍ଘଟଣା ଘଟି ମୃତାହତ ନେଇ ୨ଟି ଥାନାରେ ଅଭିଯୋଗର ଫର୍ଦ୍ଦ ମଧ୍ୟ ଲମ୍ବି ଚାଲିଛି। ରାସ୍ତା ସାରା ଖାଲ, ଢିପ ହୋଇ ପଡିଥିବାବେଳେ, ରାସ୍ତା ଉପରେ ହଜାର ହଜାର ଟ୍ରକ୍‌ ଚଳାଚଳ ଯୋଗୁ ବିପର୍ଯ୍ୟସ୍ତ ଟ୍ରାଫିକ, ପ୍ରବଳ ଧୂଳି, ରାସ୍ତା ପାର୍ଶ୍ୱ ଗ୍ରାମବାସୀଙ୍କର ଯାତାୟାତ ତଥା ଜୀବନ ଜୀବିକା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି। ଏତେ ସବୁ ପରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ରାସ୍ତାର ସ୍ପଞ୍ଜ ଆଇରନ ଛକ ଏବଂ କାଳିମାଟି ଠାରେ ଟୋଲ ଗେଟ ବସାଇ କେବଳ ଟୋଲ ଆଦାୟରେ ବ୍ୟସ୍ତ ଅଛନ୍ତି। ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଖାଲି ମିଳୁଛି ମିଥ୍ୟା ପ୍ରତିଶ୍ରୁତି। ଅଭିଯୋଗ ପରେ ଏବେ କିଛିଦିନ ହେବ ରାସ୍ତା ନିର୍ମାଣ ପରିବର୍ତ୍ତେ ଧୂଳିରୁ ରକ୍ଷା ପାଇବା ପାଇଁ କମ୍ପାନୀ ପକ୍ଷରୁ ରାସ୍ତା ଉପରେ ପାଣି ସିଞ୍ଚନର ବ୍ୟବସ୍ଥା କରି ଚୁପ ବସିଛନ୍ତି। ଏନେଇ ରାସ୍ତା ପାର୍ଶ୍ୱ ଗ୍ରାମ ସରାସକୋଲା, ଆହାରପଶି, ଝଡାପଶି, ସତୀକୁଦର, କଣ୍ଡରାପଶି, ଧନୁର୍ଜୟପୁର, ରେଙ୍ଗାଳବେଡା, ଗୋଡୁଆଟୋପା, ମଲଦା ପ୍ରଭୃତି ଗ୍ରାମଗୁଡିକର ଗ୍ରାମବାସୀ ତାତି ଉଠିଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ସୁନାରାମ ମାଝି, କହ୍ନେଇ ମାଝି, ବସନ୍ତ ମହାନ୍ତ, ମହେନ୍ଦ୍ର ମହାନ୍ତ, ଅଯୋଧ୍ୟା ନାଏକ (ସରପଞ୍ଚ), ଜଗନ୍ନାଥ ନାଏକ, ବୀରବର ମାଝି, ଗୋବିନ୍ଦ ନାଏକ ପ୍ରମୁଖ ରାସ୍ତା ଅବରୋଧ ସହିତ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି। ଏ ସମ୍ପର୍କରେ କିଡ୍‌କୋ ଅଧିକାରୀ ହିମାଂଶୁ କୁଅଁରଙ୍କୁ ପଚାରିବାରୁ ରାସ୍ତା ନିର୍ମାଣ ପାଇଁ ପ୍ରୟାସ ଚାଲିଛି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Share