ପ୍ରତିଶ୍ରୁତିରେ ସୀମିତ ସରକାରୀ ଯୋଜନା: ରାଶନ କାର୍ଡରୁ ବଞ୍ଚତ୍ତ ଦିନମଜୁରିଆ କୃଷ୍ଣ

ବେଲପାହାଡ଼,୧୫।୧୦(ଡି.ଏନ୍‌.ଏ.)-
ଝାରସୁଗୁଡ଼ା ଜିଲା ବେଲପାହାଡ଼ ପାୈର ପରିଷଦରେ ବହୁ ବ୍ୟବସାୟୀ ଓ ସ୍ବଚ୍ଛଳବର୍ଗ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ତାଲିକାଭୁକ୍ତ ହୋଇ ରିହାତି ମୂଲ୍ୟରେ ଚାଉଳ ପାଉଥିବା ବାରମ୍ବାର ଅଭିଯୋଗ ହେଉଛି। ଅଭିଯୋଗ ଉପରେ କିଛିଟା କାର୍ଯ୍ୟାନୁଷ୍ଠାନ ହୋଇଛି। ହେଲେ ପୌରାଞ୍ଚଳରେ ଏବେ ବି ଅନେକ ଅସହାୟ ଗରିବ ଶ୍ରେଣୀୟ ଲୋକ ରାଶନ କାର୍ଡ ନ ପାଇ ସରକାରୀ ଚାଉଳ ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି।
ସୂଚନାନୁସାରେ ବେଲପାହାଡ଼ ପୌରପରିଷଦ ଅଧୀନ ଜୁନାଡ଼ିହିରେ ଏକ କୁଡ଼ିଆଘରେ ରହୁଛନ୍ତି କୃଷ୍ଣ ମେହେର (୪୫)। ପରିବାର କହିଲେ ସ୍ତ୍ରୀ ଓ ପୁଅ। ହେଲେ ସେମାନେ ଗଁାରେ ରହୁଛନ୍ତି। କୃଷ୍ଣ ପରିବାର ପ୍ରତିପୋଷଣ ପାଇଁ ପ୍ରତ୍ୟହ କୁଲିମଜୁରି କରିବା ସହ ଅଞ୍ଚଳର କିଛି ହୋଟେଲକୁ ପାଣି ଭାର ଯୋଗାଇଥାନ୍ତି। ଏଥିରୁ ଯାହା ଅର୍ଥ ଉପାର୍ଜନ ହେଉଛି ସେଥିରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ୁଛି ବୋଲି କୃଷ୍ଣ କହିଛନ୍ତି। କୃଷ୍ଣଙ୍କ କହିବା ହେଲା ପୂର୍ବରୁ ତାଙ୍କ ପାଖରେ ଏକ ବିପିଏଲ କାର୍ଡ ଥିଲା। କାର୍ଡରେ ମାସକୁ ୨୫ କେ.ଜି ଚାଉଳ ମିଳୁଥିଲା। ମାତ୍ର ୮ ବର୍ଷ ହେଲା ବିପିଏଲ କାର୍ଡ ଅଚଳ ହେଲା ପରେ ତାଙ୍କୁ ଆଉ ନୂଆ ରାଶନ କାର୍ଡ ଦିଆଯାଇନାହିଁ। ଫଳରେ ତାଙ୍କ ପରିବାର ସରକାରୀ ଯୋଜନାରେ ଚାଉଳ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ରାଶନ କାର୍ଡ ପାଇଁ କୃଷ୍ଣ ବାରମ୍ବାର ପୌର ଅଫିସକୁ ଯାଇଛନ୍ତି, ପୌରାଧ୍ୟକ୍ଷ ଓ ୱାର୍ଡ କାଉନସିଲରଙ୍କ ନିକଟରେ ସେ ନେହୁରା ହୋଇ ନିରାଶ ହୋଇଥିବା ଅଭିଯୋଗ କରିଛନ୍ତି। ସବୁବେଳେ ପ୍ରତିଶ୍ରୁତି ମିଳୁଛି, ହେଲେ ଏପର୍ଯ୍ୟନ୍ତ ରାଶନ କାର୍ଡ ମିଳିନାହିଁ ବୋଲି ସେ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ବେଲପାହାଡ଼ ପୌର ପରିଷଦ ଅଧୀନରେ ୫୦୩୩ ରାଶନ କାର୍ଡଧାରୀ ଅଛନ୍ତି। ଏମାନଙ୍କ କାର୍ଡ ଜରିଆରେ ପରିବାରର ୧୮,୧୯୯ ଜଣ ସଦସ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଲାଭାନ୍ବିତ ହେଉଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ କିଏ ଯୋଗ୍ୟ ଓ ଅଯୋଗ୍ୟ ଏହାର ଠିକ୍‌ ଯାଞ୍ଚ ହୋଇପାରୁନାହିଁ। ପୂର୍ବରୁ ଜରିମାନା ଭୟରେ ଅନେକ ଯୋଗ୍ୟ ହିତାଧିକାରୀ ରାଶନ କାର୍ଡ ସ୍ବଇଚ୍ଛାରେ ଫେରାଇ ଦେଇଥିଲେ। ଏବେ ସେମାନେ ପୁନର୍ବାର କାର୍ଡ ପାଇଁ ପୌର ଅଫିସକୁ ଧାଉଁଛନ୍ତି। ସେହିଭଳି କେତେ ହିତାଧିକାରୀ ଆଧାର କାର୍ଡରେ ତ୍ରୁଟି ଯୋଗୁ ରାଶନ କାର୍ଡ ପାଉ ନ ଥିବା ଅଭିଯୋଗ ହେଉଛି। ଯୋଗ୍ୟ ହିତାଧିକାରୀ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚତ୍ତ ହେଉଥିବା ସମ୍ପର୍କରେ ଯୋଗାଣ ଅଧିକାରୀ ଆର୍‌.କେ.ଜେନାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଖୁବ୍‌ ଶୀଘ୍ର ଅଭିଯୋଗକାରୀଙ୍କ ନଥିପତ୍ର ଯାଞ୍ଚ କରାଯାଇ ଯୋଜନାରେ ସାମିଲ କରାଯିବ ବୋଲି ସେ କହିଥିଲେ।

Share