ପ୍ରତିଶ୍ରୁତିରେ ସ୍ମାର୍ଟ ସିଟି ରାଉରକେଲାର ବିକାଶ

ଦିନେ ମ୍ୟୁନିସିପାଲିଟି ଓ ଷ୍ଟିଲ ଟାଉନଶିପ୍‌ ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ରାଉରକେଲା ସହର ଗଢି ଉଠିଥିଲା । ପର୍ଯ୍ୟାୟ କ୍ରମେ ସେହି ସହର ମହାନଗର ଓ ସ୍ମାର୍ଟସିଟିର ମାନ୍ୟତା ଲାଭ କରିଛି। ୨୦୧୪ ନଭେମ୍ବର ୧୪ରେ ରାଜ୍ୟ ସରକାର ଏହି ସହରକୁ ମହାନଗର ନିଗମ ମାନ୍ୟତା ପ୍ରଦାନ କରିଥିଲେ। ଏହାର ୨ବର୍ଷ ପରେ ଅର୍ଥାତ୍‌ ୨୦୧୬ ସେପ୍ଟେମ୍ବର ୨୦ରେ କେନ୍ଦ୍ର ସରକାର ରାଉରକେଲାକୁ ସ୍ମାର୍ଟ ସିଟି ଭାବେ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏଭଳି ଘୋଷଣାକୁ ସହରବାସୀ ସେତେବେଳେ ଜୋରଦାର ସ୍ବାଗତ କରିଥିଲେ। ଭାବିଥିଲେ ସହରର ଚିତ୍ର ବଦଳିବ। ସବୁଠି ସ୍ମାର୍ଟନେସର ଝଲକ ଦେଖିବାକୁ ମିଳିବ। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଆଲୋକୀକରଣ, ଗମନାଗମନ ଭଳି ମୌଳିକ ଆବଶ୍ୟକତାରେ ଉନ୍ନତି ଆସିବ। ଇତିମଧ୍ୟରେ ମହାନଗର ଘୋଷଣାକୁ ୫ ବର୍ଷ ଓ ସ୍ମାର୍ଟସିଟି ଘୋଷଣାକୁ ୩ବର୍ଷରୁ ଊର୍ଦ୍ଧ୍ୱ ସମୟ ପୂରିଲାଣି । ତଥାପି ସହରବାସୀଙ୍କ ଆଶା ପୂରଣ ହୋଇପାରିନି । ଆଜି ପର୍ଯ୍ୟନ୍ତ ମହାନଗର ନିଗମ ପାଇଁ ନିର୍ବାଚନ ହୋଇପାରୁନି। ବିକାଶର ଲଗାମ ରହିଛି ସରକାରୀ ଅଧିକାରୀଙ୍କ ହାତରେ। ଆଇନ ଜାଲରେ ଛନ୍ଦି ହୋଇ ରହିଛି ମହାନଗର ନିଗମ ନିର୍ବାଚନ ଘୋଷଣା। ବାରମ୍ବାର ଦାବି ସତ୍ତ୍ୱେ କମିଶନରେଟ ପୋଲିସ ବ୍ୟବସ୍ଥା ପ୍ରଚଳନ ସମ୍ଭବ ହୋଇନି। ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆସିନି। ଭୂତଳ ପାର୍କିଂ ସ୍ବପ୍ନ ଦେଖାଇଥିବା ସ୍ମାର୍ଟସିଟି କର୍ତ୍ତୃପକ୍ଷ ରାସ୍ତା ପାର୍ଶ୍ୱ ପାର୍କିଂକୁ ବ୍ୟବସ୍ଥିତ କରିପାରୁ ନାହଁାନ୍ତି। ପାର୍କ, ଜଳାଶୟ, ଷ୍ଟାଡିୟମ, ସଭାଘର ଭଳି ଅନେକ ଆବଶ୍ୟକତା ଦୂରହୋଇ ପାରିନି। ଏସବୁ କେବଳ ବୈଠକ, ଆଲୋଚନା ଓ ପ୍ରତିଶ୍ରୁତିରେ ଅଟକିଛି। ଏହା ବ୍ୟତୀତ ସ୍ମାର୍ଟ ରୋଡ, ଗ୍ରୀନ୍‌ ବେଲ୍ଟ, ସିଟିଜେନ୍‌ ପାର୍କ, ପବ୍ଲିକ ଇନଫର୍ମେଶନ ସିଷ୍ଟମ, ଟେଲି ମେଡିସିନ ସେଣ୍ଟର୍ସ, ସ୍ମାର୍ଟ କ୍ଲାସରୁମ ଭଳି ଯେଉଁ ଚିତ୍ର ସହରବାସୀଙ୍କ ସମ୍ମୁଖରେ ରଖାଯାଇଥିଲା ତାହା ଆଜି ବି ସ୍ବପ୍ନ ହୋଇ ରହିଛି। ସହରର ପ୍ରମୁଖ ଜନଗହଳିପୂର୍ଣ୍ଣ ବଜାର ଡେଲି ମାର୍କେଟ, ହୋଲସେଲ ମାର୍କେଟ ଓ ପାନପୋଷ ମାର୍କେଟ ଆଦିର ଉନ୍ନତୀକରଣ ଓ ଆବଶ୍ୟକ ସ୍ଥଳେ ଏହାର ସ୍ଥାନାନ୍ତର ନେଇ ପ୍ରତିଶ୍ରୁତି ରଖିଥିଲେ କତ୍ତୃପକ୍ଷ। କେବଳ ଏତିକି ନୁହେଁ ଭେଇକିଲ ଫ୍ରି ଜୋନ, ଟ୍ରାଡିଶନାଲ ଭେଣ୍ଡିଂ ଜୋନ, ସ୍କିଲ ଡେଭଲପମେଣ୍ଟ ସେଣ୍ଟର, ଟ୍ରେନିଂ ସେଣ୍ଟର, ଟ୍ରାଇବାଲ ଆର୍ଟ ସେଣ୍ଟର ଭଳି ଅନେକ ପ୍ରସ୍ତାବିତ ପ୍ରକଳ୍ପ କାଗଜକଲମରେ ଅଟକିଛି। ଏହାବ୍ୟତୀତ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହେଉଛି ଦ୍ୱିତୀୟ ବ୍ରାହ୍ମଣୀ ସେତୁ । ଯାହାର ନିର୍ମାଣ ନେଇ ଆଜି ବି ସନ୍ଦେହ ଦୂର ହୋଇ ପାରୁନି। ୨୦୧୪ରୁ ବିଭିନ୍ନ ସମୟରେ ଏହାର ନିର୍ମାଣ ନେଇ ଏକାଧିକ ନିର୍ମାଣକାରୀ ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ତଥାପି ସେହି ପ୍ରକଳ୍ପ କେବେ ଶେଷ ହେବ ସେନେଇ କେହି ଆକଳନ କରି ଉତ୍ତର ଦେଇପାରୁ ନାହାନ୍ତି। ସମାନ ଅବସ୍ଥାରେ ଆଇଜିଏଚ୍‌କୁ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ପରିଣତ ନ କରିବା ଘଟଣା ସହରବାସୀଙ୍କ ମନରେ ଦୁଃଖ ଭରି ଦେଇଛି। ରାଉରକେଲା ସରକାରୀ ଡାକ୍ତରଖାନା କେବଳ ଏ ସହର ପାଇଁ ନୁହେଁ ବରଂ ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ ରାଜ୍ୟ ପାଇଁ ବଡ ଆବଶ୍ୟକତା । ଏହାର ଉନ୍ନତୀକରଣ କିମ୍ବା ସମ୍ପ୍ରସାରଣ ନେଇ ସନ୍ତୋଷଜନକ ପଦକ୍ଷେପ ନିଆଯାଇ ପାରିନି। ଉଚ୍ଚ ଶିକ୍ଷା ହେଉ କି ଦୂରାରୋଗ୍ୟ ବ୍ୟାଧି ସବୁ କଥାରେ କଟକ, ଭୁବନେଶ୍ୱର ଭଳି ବଡ ସହର ଉପରେ ନିର୍ଭରଶୀଳ ହେଉଛନ୍ତି ରାଉରକେଲାବାସୀ। କେବେ ସୁଦ୍ଧା ମହାନଗର ଓ ସ୍ମାର୍ଟ ସିଟିର ରୂପରେଖ ବଦଳିବ ସେ ନେଇ ସବୁଠି ପ୍ରଶ୍ନବାଚୀ। ସ୍ମାର୍ଟସିଟି ରୂପକାର ସାଜି ମୋଟା ଅଙ୍କର ଦରମା ଉଠାଉଥିବା ଅଧିକାରୀ ବା କର୍ମଚାରୀଙ୍କ ଦକ୍ଷତା ନେଇ ଏବେ ପ୍ରଶ୍ନ ଉଠିଛି।
– ବସନ୍ତ ଧଳ

Share