ପ୍ରତିଶ୍ରୁତି ଦେଇଥିବା ଅଧିକାରୀଙ୍କୁ ପାଇଲେନି: ଲୋକେକାର୍ଯ୍ୟ ବନ୍ଦକରି ବିଦ୍ୟୁତ୍‌ ଅଫିସ ଘେରିଲେ

ଭୁବନେଶ୍ୱର, ୧୪ା୫(ବ୍ୟୁରୋ)- ତାରିଖ ପରେ ତାରିଖ ଘୁଞ୍ଚୁଛି। ହେଲେ ମିଳିପାରୁନି ବିଦ୍ୟୁତ୍‌ ସେବା। ବାତ୍ୟା ପରଠାରୁ ବିନା ବିଦ୍ୟୁତ୍‌ରେ ଛଟପଟ ହେଉଥିବା ବିପନ୍ନମାନେ ଧୈର୍ଯ୍ୟହରାଇ ଆନ୍ଦୋଳନାତ୍ମକ ପନ୍ଥାକୁ ଆପଣାଉଛନ୍ତି। ପ୍ରତିଶ୍ରୁତି ଦେଇ ଅଧିକାରୀମାନେ ଲୁଚି ରହୁଥିବାବେଳେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକମାନେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଭୁବନେଶ୍ୱର ସାଲିଆସାହିର ବିଭିନ୍ନ ବସ୍ତିରେ ବିଦ୍ୟୁତ ସେବାକୁ ସ୍ବାଭାବିକ କରାଇବା ଲାଗି ଏକ ଘରୋଇ ସଂସ୍ଥା ରାମଚଣ୍ଡୀ ଇଲେକ୍ଟ୍ରିକାଲ କନଷ୍ଟ୍ରକ୍ସନକୁ ଦାୟିତ୍ୱ ଦିଆଯାଇଛି। ଏହି ସଂସ୍ଥାର କର୍ମଚାରୀମାନେ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଇତିମଧ୍ୟରେ ସାଲିଆସାହିର ୨୫ଟି ସେକ୍ଟର ମଧ୍ୟରୁ ୧୯ଟିରେ ବିଦ୍ୟୁତ ସେବା ଯୋଗାଣ ହୋଇଛି। ବାକି ୬ଟି ସେକ୍ଟରର ଲୋକେ ବିଦ୍ୟୁତ୍‌ ଜନିତ ନାନା ସମସ୍ୟାରେ ୧୧ ଦିନ ହେବ ଘାଣ୍ଟି ହେଉଛନ୍ତି। ପ୍ରତଶ୍ରୁତି ଅନୁସାରେ, ୧୨ ତାରିଖ ସୁଦ୍ଧା ବିଦ୍ୟୁତ୍‌ ଯୋଗାଣ ନ ହେବାରୁ ଲୋକେ ଉତ୍ତେଜିତ ହୋଇ ରହିଥିଲେ। ସୋମବାର ବିଦ୍ୟୁତ୍‌ ସେବା ପାଇ ନ ଥିବା ମେ’ଫେୟାର ନଗର, ନୀଳକଣ୍ଠ ନଗର, ଗଜପତି ନଗର, ଓଡ଼ିଶୀ କଲୋନୀ ସମେତ ୬ ବସ୍ତିର ବାସିନ୍ଦା ମରାମତି ହେଉଥିବା ସ୍ଥାନକୁ ଯାଇ ପ୍ରତିଶ୍ରୁତି ଦେଇଥିବା ଅଧିକାରୀଙ୍କୁ ଖୋଜିଥିଲେ। ନ ପାଇବାରୁ ଗାଳିଗୁଲଜ ଓ ଧମକ ଦେଇ କାର୍ଯ୍ୟ ବନ୍ଦ କରିଥିଲେ। ସନ୍ଧ୍ୟାରେ ନିକଟରେ ଥିବା ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ବହୁ ସମୟ ଧରି ଘେରାଉ କରି ହୋହଲ୍ଲା କରିଥିଲେ। ସେହିପରି ପୁରୁଣା ଭୁବନେଶ୍ୱର, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ଶିଖରଚଣ୍ଡି ଅଞ୍ଚଳରେ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇପାରି ନ ଥିବାରୁ କେତେକ ସ୍ଥାନରେ ମଧ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି।
ସୂଚନା ଥାଉକି, ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳର ଲୋକ ଏବେ ବି ବିଦ୍ୟୁତ ସେବା ନ ପାଇ ଅନ୍ଧାରରେ ଅଛନ୍ତିି। କିନ୍ତୁ ସମସ୍ତ ଅଞ୍ଚଳକୁ ବିଦ୍ୟୁତ ଦିଆଯାଇଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହୁଥିବାରୁ ଲୋକେ ଏପରି ମିଛକୁ ନେଇ ଅତିଷ୍ଠ ହୋଇପଡୁଛନ୍ତି। ଫଳରେ ଲୋକଙ୍କ ଆକ୍ରୋଶ ଓ ରୋଷ ଶେଷ ସୀମାରେ ପହଞ୍ଚତ୍ଛି। ରୋଷର ଶିକାର ହେଉଥିବା କର୍ମଚାରୀମାନେ ପ୍ରବଳ ଖରା ଓ ଗୁଳୁଗୁଳିରେ ଲୋକଙ୍କୁ କିପରି ବିଦ୍ୟୁତ୍‌ ସେବା ମିଳିପାରିବ ସେଥିପାଇଁ ଅକ୍ଳାନ୍ତ ପରିଶ୍ରମ କରୁଥିବାବେଳେ ନାନା ଅବ୍ୟବସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଅସହଯୋଗ ଏପରିସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ ଉଠୁଛି।

Share