ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ସୁରକ୍ଷାକର୍ମୀ

ବଡ଼ବିଲ,୨୦।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଓଡ଼ିଶା ଖଣି ନିଗମର ଆଞ୍ଚଳିକ ପରିଚାଳକ (ଓଏମସି ଆରଏମ) କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଖଣିରେ ନିୟୋଜିତ ସୁରକ୍ଷାର୍ମୀମାନେ ବିଭିନ୍ନ ଦାବି ନେଇ ଶ୍ରମିକ ସଂଗଠନ ଆଇଟିୟୁସି ନେତୃତ୍ୱରେ ଶନିବାର ପୂର୍ବାହ୍ନରେ ଆନ୍ଦୋଳନ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀ ଠିକାସଂସ୍ଥା ପକ୍ଷରୁ ଦାବି ପୂରଣ ନିମନ୍ତେ ଚୁକ୍ତିନାମା ସ୍ବାକ୍ଷର ପରେ ସୁରକ୍ଷାକର୍ମୀମାନେ ଅପରାହ୍ନରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁ୍‌ଯାୟୀ, ବଡ଼ବିଲସ୍ଥିତ ଓଡିଶା ଖଣି ନିଗମର ଆଞ୍ଚଳିକ ପରିଚାଳକ(ଓଏମସି ଆରଏମ)ଙ୍କ କାର୍ଯ୍ୟାଳୟ ଅଧୀନରେ ବଡ଼ବିଲ, ଗୁରୁଡା, ଦୁବୁନା, ଖଣ୍ଡବନ୍ଧ, ସେରେଣ୍ଡା ସହ ସମସ୍ତ ନିଗମର ଖଣିରେ କାର୍ଯ୍ୟରତ ଠିକା ସୁରକ୍ଷାକର୍ମୀମାନେ ଜୁନ୍‌ ମାସର ବକେୟା ଦରମା ଅବିଳମବେ ପ୍ରଦାନ, ଖାଲି ପଡ଼ିଥିବା ଶହେରୁ ଊର୍ଦ୍ଧ୍ୱ ସୁରକ୍ଷାକର୍ମୀ ପଦବୀ ପୂରଣ, ଘଞ୍ଚ ଜଙ୍ଗଲ ମଧ୍ୟରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ନିମନ୍ତେ ଆଶ୍ରୟସ୍ଥଳୀ ନିର୍ମାଣ ଏବଂ ସୋଲାର ଲାଇଟ୍‌ ବ୍ୟବସ୍ଥା ଆଦି ଦାବି ରହିଥିଲା। ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଜୋର୍‌ଦାର କରାଯିବା ନେଇ ଶ୍ରମିକ ସଂଗଠନ ଯୋଜନା କରିଥିବାବେଳେ ନିଗମର ଆଞ୍ଚଳିକ ପରିଚାଳକ  ବାରିକଙ୍କ ଅଧ୍ୟକ୍ଷତାରେ ସୁରକ୍ଷାକର୍ମୀ ଠିକାସଂସ୍ଥାର ଅଧିକାରୀ ନୀଳମଣି ସାହୁ ଓ ଶ୍ରମିକ ସଂଗଠନ ନେତା  ରାଉତଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ଦାବି ସମୂହର ପୂରଣ ନେଇ ସୁରକ୍ଷାକର୍ମୀ ଠିକାସଂସ୍ଥା ପକ୍ଷରୁ ଏକ ଚୁକ୍ତିନାମା ସ୍ବାକ୍ଷର ପରେ ସୁରକ୍ଷାକର୍ମୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ଶ୍ରମିକ ସଂଗଠନ ନେତା ରାଉତ କହିଛନ୍ତି।