ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଉଠିଲେ ଶ୍ରମିକ

ବେଦବ୍ୟାସ, ୧୬।୫ (ଡି.ଏନ.ଏ.): ସୁନ୍ଦରଗଡ ଜିଲା ଲାଠିକଟା ବ୍ଲକ୍‌ ଅନ୍ତର୍ଗତ କଲୁଙ୍ଗା ଶିଳ୍ପାଞ୍ଚଳସ୍ଥିତ ଆଇଏଫଜିଏଲ କାରଖାନାର ଠିକା ଶ୍ରମିକମାନେ ୨ ଦିନ ହେଲା ଚଳାଇଥିବା ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ଶନିବାର ରାଉରକେଲା ଶ୍ରମ ଅଧିକାରୀ ପ୍ରଣବ କୁମାର ପାତ୍ର, ଶ୍ରମିକ ନେତା ସନ୍ତୋଷ ଲାକ୍ରାଙ୍କ ସମେତ କାରଖାନା କର୍ତ୍ତୃପକ୍ଷ ଦୀର୍ଘ ୨ଘଣ୍ଟା ଧରି ଆନ୍ଦୋଳନକାରୀ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ। ଏମାନଙ୍କ ଦାବି ଅନୁସାରେ ଯେଉଁ ଠିକା ଶ୍ରମିକମାନେ ଲକ୍‌ ଡାଉନ ସମୟରେ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ମାସିକ ଦରମା ପ୍ରଦାନ କରାଯିବ। ଏହା ସହିତ ପ୍ରତ୍ୟେକ ଦିନ ହିସାବରେ ୫୦ ଟଙ୍କା ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ ବୋଲି କାରଖାନା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ଶ୍ରମିକମାନେ ଆନ୍ଦୋଳନରୁ ଓହରିଥିଲେ।