ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ପ୍ରଶାସନ: ପୁଣି ପଦଯାତ୍ରାରେ ବାହାରିଲେ ଛାତ୍ରୀଛାତ୍ର

ବାରିପଦା ଅଫିସ,୨୬ା୧୧- ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଦୀର୍ଘ ଦିନ ହେବ ଛାତ୍ର ଅଶାନ୍ତି ଲାଗି ରହିଛି। ଏଠାରେ ସମନ୍ବିତ ବିଏଡ, ଏମଏଡ ପାଠ୍ୟକ୍ରମରେ ଅଧ୍ୟୟନ କରଥିବା ଛାତ୍ରୀଛାତ୍ରମାନଙ୍କୁ କେବଳ ଏମଏଡ ପାଠ୍ୟକ୍ରମ ଦ୍ୱିତୀୟ ପରୀକ୍ଷା ଦେବା ପାଇଁ ଅନୁମତି ମିଳୁଛି। ଫଳରେ ସେମାନେ ବିଏଡ ପାଠ୍ୟକ୍ରମ ସମ୍ବନ୍ଧୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଯଥା ଓଟିଇଟି, ଓଏସଏସଟିଇଟି ଏବଂ ସିଟିଇଟିରୁ ବଞ୍ଚିତ ହେଉଛନ୍ତି। ଏନେଇ ଛାତ୍ରୀଛାତ୍ରମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ଜିଲା ପ୍ରଶାସନ, ଉଚ୍ଚ ଶିକ୍ଷା ବିଭାଗକୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ସୁଫଳ ପାଇପାରି ନ ଥିଲେ। ଏନେଇ ଛାତ୍ରନେତା ଦୁର୍ଯୋଧନ ବେହେରାଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ପାଇଁ ଭୁବନେଶ୍ୱର ଅଭିମୁଖେ ମଙ୍ଗଳବାର ପଦଯାତ୍ରାରେ ବାହାରିଛନ୍ତି। ସନ୍ଧ୍ୟା ୫ଟା ସୁଦ୍ଧା ସେମାନେ ବେତନଟୀ ଥାନା ଅଧୀନ ରାଗଧାଠାରେ ପହଞ୍ଚି ଥିବା ବେଳେ ସନ୍ଧ୍ୟାରେ ସେମାନଙ୍କୁ ପଦଯାତ୍ରା କରିବାକୁ ପୋଲିସ ବାରଣ କରିଛି। ଫଳରେ ବୁଧବାର ସକାଳୁ ପୁନଃ ପଦଯାତ୍ରା ଆରମ୍ଭ ହେବ ବୋଲି ଛାତ୍ର ନେତା ବେହେରା କହିଛନ୍ତି। ଅନ୍ୟପକ୍ଷେ ଜିଲା ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ସେମାନଙ୍କୁ ବୁଝାସୁଝା ପାଇଁ ଯାଇ ନାହାନ୍ତି। ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ଜିଲା ପ୍ରଶାସନ ବିଫଳ ହୋଇଥିବାରୁ ସେମାନେ ଏହି ପଦଯାତ୍ରା କରୁଥିବା ଛାତ୍ରୀଛାତ୍ରମାନେ କହିଛନ୍ତି। ମଙ୍ଗଳବାର ଏହି ବିଶ୍ୱବିଦ୍ୟାଳୟରେ କୁଳାଧିପତି ତଥା ରାଜ୍ୟପାଳ ଗଣେଶୀ ଲାଲଙ୍କ କାର୍ଯ୍ୟକ୍ରମ ଥିବା ବେଳେ ଛାତ୍ରୀଛାତ୍ରମାନେ ପଦଯାତ୍ରାରେ ବାହାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

Share