ସଜନାଗଡ଼, ୨।୬(ଡି.ଏନ.ଏ.)-କରୋନା ମୁକାବିଲା ଲାଗି ଦେଶବାସୀ ଏକାଠି ହୋଇ ଲଢ଼େଇ ଜାରି ରଖିଛନ୍ତି। ଏବେ ଲକ୍ଡାଉନ୍ ୫.୦ ଚାଲିଥିବା ବେଳେ ସାଧାରଣ ଜୀବନଯାତ୍ରା ଧୀରେ ଧୀରେ ସ୍ବାଭାବିକ ହେବାରେ ଲାଗିଛି। ବାହାର ରାଜ୍ୟର କେତେକ ସ୍ଥାନରେ ଫସି ରହିଥିବା ଶ୍ରମିକଙ୍କୁ ସାହାଯ୍ୟର ହାତ ବଢାଇ ନିଜ ରାଜ୍ୟକୁ ଫେରାଇ ଆଣିବାରେ କଂଗ୍ରେସ ଦଳ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏବେ ନୀଳଗିରି ଅଞ୍ଚଳର କେତେକ ଓ୍ବାର୍ଡକୁ ସାନିଟାଇଜ୍ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ବୋଲି ମଙ୍ଗଳବାର ନୀଳଗିରି କଂଗ୍ରେସ ପକ୍ଷରୁ କେସି ହାଇସ୍କୁଲ ସାମ୍ନା କଂଗ୍ରେସ ଭବନ ପରିସରରେ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇ ସୂଚନା ଦିଆଯାଇଛି। ଏଥିପାଇଁ ୫ଟି ସ୍ପ୍ରେ ମେଶିନ ଦିଆଯାଇଥିବା କୁହାଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସର ଉପସଭାପତି ତଥା ନୀଳଗିିର କଂଗ୍ରେସର ବିଧାୟକ ପ୍ରାର୍ଥତ୍ନୀ ରାଣୀ ମନୋଜାମଞ୍ଜରୀ ଦେବୀ ଏବଂ ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୀଳଗିରି କଂଗ୍ରେସ କୃଷକ ସେଲର ସଭାପତି ଯଶୋଦାନନ୍ଦନ ସିଂହ, ଯୁବ ସଭାପତି ନିଗମ ମହାପାତ୍ର, ଛାତ୍ର ସଭାପତି ଜୟଦେବ ବେହେରା, ପ୍ରଫୁଲ୍ଲ ବେହେରା, ଉପେନ୍ଦ୍ର ବେହେରା, ପ୍ରଫୁଲ୍ଲ ମହାନ୍ତି ପ୍ରମୁଖ କର୍ମୀ ଉପସ୍ଥିତ ଥିଲେ।