କାମାକ୍ଷାନଗର, ୧୭।୨(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ପଞ୍ଚାୟତ ସମିତିର ୭ମ ବୈଠକ ରବିବାର ଔଷଧୀୟ ଅରଣ୍ୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା ସୁଫଳା ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ କହିଲେ, ଅଞ୍ଚଳର ବିକାଶ ପାଇଁ ସମନ୍ବୟ ଲୋଡ଼ା। ଜନପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀମାନେ ସମନ୍ବୟ ରଖି କାମକଲେ ସହଜରେ ଲକ୍ଷ୍ୟ ପୂରଣ ହୋଇପାରିବ। ଶିଶୁଙ୍କ ଶିକ୍ଷା ଏବଂ ସାମଗ୍ରିକ ବିକାଶ ଉପରେ ଆଲୋଚନା କରି ମନ୍ତ୍ରୀ କହିଲେ, ପ୍ରତି ପଞ୍ଚାୟତର ଗୋଟିଏ ଅଙ୍ଗନଓ୍ବାଡି କେନ୍ଦ୍ରକୁ ସ୍ମାର୍ଟ କରାଯିବ। ଏଠାରେ ଶିଶୁଙ୍କ ପଢ଼ିବା, ଖେଳିବା ଲାଗି ସ୍ବତନ୍ତ୍ର ସୁବିଧା ସୁଯୋଗ ଉପଲବ୍ଧ ହେବ। ଏଥିପାଇଁ ମନ୍ତ୍ରୀଙ୍କ ହାତପାଣ୍ଠିରୁ ପ୍ରତି କେନ୍ଦ୍ରକୁ ୨୫ହଜାର ଟଙ୍କା ଅନୁଦାନ ଦିଆଯିବ ବୋଲି ମୁଖ୍ୟଅତିଥି ସୂଚନା ଦେଇଛନ୍ତି।
ବ୍ଲକ ଅଧୀନ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ରୋଗୀଙ୍କ ସମସ୍ୟା ପ୍ରତି ଧ୍ୟାନ ନ ଦେଇ ଅନ୍ୟତ୍ର ରେଫର କରିଦେଉଛନ୍ତି। ଏପରି ଅଭିଯୋଗ ଆଣି ସଭ୍ୟମାନେ କ୍ଷୋଭବ୍ୟକ୍ତ କରିଥିଲେ। ସେହିପରି କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ବିହନ, ଆବଶ୍ୟକ ଜ୍ଞାନକୌଶଳ ଦିଆଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିପ୍ରତି ବିଭାଗୀୟ ଅଧିକାରୀ ଧ୍ୟାନ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍, ଶିଶୁ ବିକାଶ, କୃଷି ସମ୍ପର୍କରେ ଆଲୋଚନା ହୋଇଥିଲା। ବିଡିଓ ବିକାଶ କୁମାର ମହାନ୍ତି ବ୍ଲକକୁ ରାଜ୍ୟରେ ଏକ ନମ୍ବରରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶରତ ଚନ୍ଦ୍ର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ପରଜଙ୍ଗ ବିଧାୟକଙ୍କ ପ୍ରତିନିଧି ଭ୍ରମର ସାସ୍ମଲ, ଜିଲା ପରିଷଦ ସଭ୍ୟ ପ୍ରେମାନନ୍ଦ ସାହୁ, ସରପଞ୍ଚ ଲଲିତ ସାହୁ, ଶିଶିର କୁମାର ବେହେରା, ସମିତି ସଭ୍ୟ ମିହିର ପ୍ରସାଦ ମହାପାତ୍ର, ଦୀପକ ମାହୁନ୍ତଙ୍କ ସମେତ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ। ଉପାଧ୍ୟକ୍ଷ ରଶ୍ମିରଞ୍ଜନ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।