ପ୍ରତି ବ୍ଲକରେ ପ୍ରତିଷ୍ଠା ହେବ କମ୍ୟୁନିଟି ରେଡିଓ

ଭୁବନେଶ୍ୱର, ୧-୧(ବ୍ୟୁରୋ): ଓଡ଼ିଶାର ପ୍ରତି ବ୍ଲକରେ କମ୍ୟୁନିଟି ରେଡିଓ ସ୍ଥାପନ କରିବା ଲକ୍ଷ୍ୟରେ ମଙ୍ଗଳବାର ଆରମ୍ଭ ହୋଇଛି ମିଶନ୍‌ ସି.ଆର୍‌. ୩୧୪। ଆକ୍ସନଏଡ୍‌ ସହଯୋଗରେ ୟଙ୍ଗ ଇଣ୍ଡିଆ, ନମସ୍କାର କମ୍ୟୁନିଟି ମିଡିଆ ନେଟ୍‌ୱର୍କ ଓ ଓଡ଼ିଶା ଗୋଷ୍ଠୀ ବେତାର ମହାସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଇମେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନକୁ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଉଦ୍‌ଘାଟନ କରିଥିଲେ। ଓଡ଼ିଶାର ବିଭିନ୍ନ ଜିଲା ତଥା ରାଜ୍ୟ ବାହାରୁ ବିଭିନ୍ନ ଓଡ଼ିଆ ସଙ୍ଗଠନର ୧୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଅଞ୍ଚଳରେ ଗୋଷ୍ଠୀ ବେତାର କେନ୍ଦ୍ର ବା କମ୍ୟୁନିଟି ରେଡିଓ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅବସରରେ ଦିଲ୍ଲୀ, ସୁରଟ୍‌, ବେଙ୍ଗାଲୁରୁ ଓ ଚେନ୍ନାଇରେ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟରତ ଓଡ଼ିଆ ସଙ୍ଗଠନର ପ୍ରତିନିଧିମାନେ ସେମାନଙ୍କ ଅଞ୍ଚଳରେ ଓଡ଼ିଆ କମ୍ୟୁନିଟି ରେଡିଓ ସ୍ଥାପନ କରିବେ ବୋଲି ଘୋଷଣା କରିଥିଲେ। ଭାରତୀୟ ଗୋଷ୍ଠୀ ବେତାର ମହାସଂଘର ଜାତୀୟ ସଭାପତି ଏନ୍‌.ଏ. ଶାହ ଅନ୍‌ସାରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରେଡିଓ ସ୍ବରାଜର ଅଧ୍ୟକ୍ଷ ଗାନ୍ଧିବାଦୀ ପ୍ରବକ୍ତା ଏସ୍‌.ଏ. ସଫିକ୍‌ ଅଧ୍ୟକ୍ଷତା କରିଥିଲେ।

Share