ପ୍ରତି ମହିଳା ୬ ସନ୍ତାନ ପ୍ରସବ କରିବାକୁ କହିଲେ ରାଷ୍ଟ୍ରପତି

କାରାକସ,୫।୩: ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ଏକ ସମସ୍ୟା ହୋଇ ଦେଖାଦେଇଥିବା ବେଳେ ଏବେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମଦୁରୋ ଏମିତି ଏକ ବୟାନ ଦେଇଛନ୍ତି ଯାହା ଚର୍ଚ୍ଚାକୁ ଆସିଛି। ସେ ତାଙ୍କ ଦେଶର ପ୍ରତି ମହିଳାଙ୍କୁ ଅତି କମ୍‌ରେ ୬ ସନ୍ତାନ ପ୍ରସବ କରିବାକୁ କହିଛନ୍ତି। ଦେଶରେ ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ ଅଧିକାଂଶ ଲୋକେ ଦେଶଛାଡି ପଳାଇ ଯାଉଥିବା ଦେଖାଯାଇଛି। ତେଣୁ ଲୋକମାନେ କିପରି ଦେଶଛାଡି ନ ଯିବେ ସେଥିପାଇଁ ସେ ମହିଳାମାନଙ୍କୁ ୬ ସନ୍ତାନ ଜନ୍ମ ଦେବା କଥା କହିଛନ୍ତି ବୋଲି ଜଣାପଡିଛି। ଜନସଂଖ୍ୟା ବୃଦ୍ଧିର ବିଭିନ୍ନ ପଦ୍ଧତି ଉପରେ ଆଲୋଚନା କରିବା ସମୟରେ ଏକ ଟେଲିଭଜନ କାର୍ଯ୍ୟକ୍ରମ ମାଧ୍ୟମରେ ରାଷ୍ଟ୍ରପତି ନିକୋଲସ ଏହା କହିଥିବା ଜଣାପଡିଛି। ନିକୋଲସଙ୍କ ଏହି ବୟାନକୁ ନେଇ ପରେ ଆଲୋଚନା କରାଯାଇଛି। ଅନେକଙ୍କର ମତ ରହିଛି ଯେ ଯେଉଁ ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଓ ଯେଉଁ ଦେଶରେ ଶିଶୁଙ୍କର ଭିବଷ୍ୟତ ବୋଲି କିଛି ନାହିଁ ସେଠାରେ ମହିଳାଙ୍କୁ ୬ ସନ୍ତାନ ପ୍ରସବ କରିବା କଥା କହିବା କେତେଦୂର ଯଥାର୍ଥ। ସୂଚନାଯୋଗ୍ୟ, ଭେନେଜୁଏଲାରେ ଜନସଂଖ୍ୟା ୨୦୧୬ ଜନଗଣନା ଅନୁଯାୟୀ ପ୍ରାୟ ୩.୨ କୋଟି ଥିବାରୁ ରାଷ୍ଟ୍ରପତି ଏଥିରେ ବୃଦ୍ଧି ଘଟଇବାକୁ ଚାହୁଁଛନ୍ତି।

Share