Categories: ଜାତୀୟ

ପ୍ରତି ମାସରେ ୨୬% ହାରରେ କମୁଛି ନିଯୁକ୍ତି

ନୂଆଦିଲ୍ଲୀ,୨୪-୪: ବିଗତ କିଛି ମାସ ହେବା ଦେଶରେ ଧିମା ହୋଇଛି ନିଯୁକ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫଓ)ର ସଦ୍ୟତମ ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଏହା ଜଣାପଡୁଛି। ଗତବର୍ଷ ଅକ୍ଟୋବରରୁ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ହାରାହାରି ୨୬% ହାରରେ କମିବାରେ ଲାଗିଛି। ତେବେ କେବଳ ନଭେମ୍ବର ୨୦୧୮ରେ ହାରାହାରି ୧୨୬୨ ନୂଆ ନିଯୁକ୍ତି ସୃଷ୍ଟି ହୋଇଥିଲା।

ସୂଚନାଯୋଗ୍ୟ ଯେ, ଇପିଏଫ୍‌ଓ ପକ୍ଷରୁ ୨୦୧୭ ସେପ୍ଟେମ୍ବରରୁ ନୂଆ ନିଯୁକ୍ତି ସୃଷ୍ଟିର ପରିସଂଖ୍ୟାନ ସଂଗ୍ରହ କରାଯାଉଛି। ସେପ୍ଟେମ୍ବର ୨୦୧୭ରୁ ଫେବୃୟାରୀ ୨୦୧୯ ମଧ୍ୟରେ ମିଳିଥିବା ତଥ୍ୟରୁ ଜଣାପଡୁଛି ଯେ, ନିଯୁକ୍ତି ସୃଷ୍ଟି ଧିମା ହେବାରେ ଲାଗିଛି। ଗତବର୍ଷ ଅକ୍ଟୋବରରେ ଜାରି ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୦୧୭ରୁ ଅଗଷ୍ଟ ୨୦୧୮ ମଧ୍ୟରେ ୬.୧୦ ଲକ୍ଷ ପ୍ରତି ମାସରେ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି। ସେହିପରି ନଭେମ୍ବରରେ ଏହା ମାତ ୧୨୬୨ ହୋଇଥିଲା। ତେବେ ୨୦୧୭ ସେପ୍ଟେମ୍ବରରୁ ଅକ୍ଟୋବର ୨୦୧୮ ମଧ୍ୟରେ ୫.୬୫ ଲକ୍ଷ ପ୍ରତିମାସରେ ନୂଆ ରୋଜଗାର ସୃଷ୍ଟି ହୋଇଥିଲା। ଏଭଳି ଭାବେ ଚଳିତବର୍ଷ ଜାନୁୟାରୀରେ ଜାରି ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୦୧୭ରୁ ୨୦୧୮ ନଭେମ୍ବର ମଧ୍ୟରେ ପ୍ରତି ମାସରେ ୪.୯୦ ଲକ୍ଷ ରୋଜଗାର ସୃଷ୍ଟି ହୋଇଥିଲା। ସେହିପରି ଫେବୃୟାରୀରେ ଜାରି ତଥ୍ୟ ଅନୁଯାୟୀ ଏହା ୪.୫୨ ଲକ୍ଷ, ମାର୍ଚ୍ଚରେ ଏହା ୪.୪୯ ଲକ୍ଷ ଥିଲା। ଅନ୍ୟପକ୍ଷରେ ସଦ୍ୟତମ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୦୧୭ରୁ ଫେବୃୟାରୀ ୨୦୧୯ ମଧ୍ୟରେ ୪,୪୯,୨୬୧ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି। ଏହି ହିସାବରେ ଦେଖିଲେ ୨୦୧୮ ଅକ୍ଟୋବରରୁ ନୂଆ ନିଯୁକ୍ତି ସୃଷ୍ଟି ପ୍ରାୟ ପ୍ରତିମାସରେ ୨୬% ହାରରେ କମିଛି। ମାର୍ଚ୍ଚରେ ଜାରି ଇପିଏଫ୍‌ଓ ତଥ୍ୟ ଅନୁଯାୟୀ, ୧୭ମାସରେ ସାରା ଦେଶରେ ୭୬.୪୮ ଲକ୍ଷ ଲୋକଙ୍କୁ ନୂଆ ରୋଜଗାର ମିଳିଛି। ସେହିପରି କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍‌ଆଇସି) ତଥ୍ୟକୁ ଯାଞ୍ଚ କଲେ ଜଣାପଡେ ଯେ, ରୋଜଗାର ସୃଷ୍ଟି କମିବାରେ ଲାଗିଛି। ବେତନ ପାଉଥିବା କମ୍ପାନୀ କର୍ମଚାରୀଙ୍କ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଫେବୃୟାରୀରେ ନୂଆ ନିଯୁକ୍ତି ସୃଷ୍ଟି ୧.୭୩% ହ୍ରାସ ପାଇ ୧୫.୦୩ ଲକ୍ଷରେ ପହଞ୍ଚତ୍ଛି, ଯାହାକି ବର୍ଷକ ପୂର୍ବେ ୧୫.୩୦ ଲକ୍ଷ ଥିଲା। ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୦୧୭ରୁ ଫେବୃୟାରୀ ୨୦୧୯ ମଧ୍ୟରେ ପ୍ରାୟ ୩ କୋଟି ନୂଆ ଅଂଶଧାରୀ ଇଏସ୍‌ଆଇସି ସହ ଯୋଡି ହୋଇଛନ୍ତି। ସୂଚନାଥାଉ କି, ଇଏସ୍‌ଆଇସି ଏପ୍ରିଲ  ୨୦୧୮ରୁ ‘ପେରୋଲ’ ତଥ୍ୟ ଜାରି କରୁଛି। ଏହା ଅଧୀନରେ ସେପ୍ଟେମ୍ବର ୨୦୧୭ରୁ ତଥ୍ୟ ଜାରି କରାଯାଉଛି।

Share