Categories: ମେଟ୍ରୋ

ପ୍ରତି ରବିବାର ସଫା ହେବ ମହାପୁରୁଷଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର,୩।୮(ବ୍ୟୁରୋ): ସହରର ବିଭିନ୍ନ ଛକରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ଆଉ ଅପରିଷ୍କାର ହୋଇ ପଡ଼ି ରହିବନି। ଏଣିକି ପ୍ରତି ରବିବାର ମହାପୁରୁଷଙ୍କ ମୂର୍ତ୍ତି ସଫା କରିବା ଲାଗି ଗଠନ କରାଯାଇଛି ‘ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ’। ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ୱରେ ଗଠନ କରାଯାଇଛି ଏହି ଅଭିଯାନ। ସବୁ ରବିବାର ସକାଳ ୮ଟା ରୁ ୧୦ଟା ଯାଏ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫା କରାଯିବ। ଶୁକ୍ରବାର ପ୍ରଥମେ ଆରମ୍ଭ କରି ଗୋପବନ୍ଧୁ ଛକରେ ଥିବା ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତିକୁ ସଫା କରି ସେଠାରେ ସେବତୀ ଓ ବଉଳ ଚାରା ମଧ୍ୟ ଲଗାଯାଇଛି। ଇଚ୍ଛୁକ ବ୍ୟକ୍ତିମାନେ ଆସନ୍ତା ରବିବାର ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତି ନିକଟରେ ସକାଳ ୮ଟା ପୂର୍ବରୁ ପହଞ୍ଚତ୍ ଶ୍ରମଦାନ କରିପାରିବେ ବୋଲି ଅଭିଯାନର ଅଧ୍ୟକ୍ଷ ଶତପଥୀ କହିଛନ୍ତି। ପ୍ରଥମ ଦିନର କାର୍ଯ୍ୟକ୍ରମରେ ସଂଯୋଜକ କିଶନ ବରାଇ, ବିଜୟ ପରିଡ଼ା, ନାରାୟଣ ଚନ୍ଦ୍ର ଓଝା, ମୋହନ ବଳିୟାରସିଂ, ବିଶ୍ୱଜିତ୍‌ ସ୍ବାଇଁ, ଅସିତ୍‌ ଦାସ, ନବକିଶୋର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଶ୍ରମଦାନ କରିଥିଲେ।

Share