Categories: ଖେଳ

ପ୍ରତ୍ୟାବର୍ତ୍ତନରେ ସୁଶୀଲ ବିଫଳ

ନୂଆଦିଲ୍ଲୀ,୧୦।୮(ପି.ଟି.)- ଅଭିଜ୍ଞ ରେସଲର ଦୀର୍ଘ ଏକ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରି ବିଫଳତାର ସମ୍ମୁଖୀନ ହୋଇଛନ୍ତି। ବେଲାରୁଷର ମିନସ୍କଠାରେ ଅନୁଷ୍ଠିତ ମେଡଭେଡ ରେସଲିଂ ଟୁର୍ନାମେଣ୍ଟରେ ସେ ୭୪ କେ.ଜି. ବର୍ଗ ପ୍ରତିଯୋଗିତାରେ ବିଶ୍ୱର ୫ ନମ୍ବର ରେସଲର ଉଜ୍‌ବେକିସ୍ତାନର ବେକଜୋଡ ଅବଡୁରାଖମୋନୋଭଙ୍କଠାରୁ ପରାସ୍ତ ହୋଇଛନ୍ତି। ଏସିଆନ ଗେମ୍ସ ଚାମ୍ପିୟନ ବେକ୍‌ଜୋଡ ସୁଶୀଲଙ୍କ ଡାହାଣ ଗୋଡ ଧରି ୪ ପଏଣ୍ଟ ହାସଲ କରିଥିଲେ। ଏହା ପରେ ସେ ସୁଶୀଲଙ୍କ ମ୍ୟାଟ୍‌ ବାହାରକୁ ଠେଲି ଦେଇ ଅଧିକ ଦୁଇ ପଏଣ୍ଟ ହାସଲ କରିଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜେତା ବେକ୍‌ଜୋଡ ଆଉ ଥରେ ଲେଗ୍‌ ଆଟାକ୍‌ କରିଥିଲେ। ଏହାପରେ ୯୦ ସେକେଣ୍ଡ ମଧ୍ୟରେ ସେ ସୁଶୀଲଙ୍କୁ ପରାସ୍ତ କରିଥିଲେ। ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରେ ପ୍ରଥମ ରାଉଣ୍ଡରୁ ବିଦାୟ ନେବା ପରେ ସୁଶୀଲ ତାଙ୍କ ପ୍ରଥମ ଟୁର୍ନାମେଣ୍ଟ ଖେଳିଥିଲେ। ଦୁଇଥର ଅଲିମ୍ପିକ ପଦକ ହାସଲ କରିଥିବା ସୁଶୀଲ ଦେଶକୁ ଫେରିବା ପରେ ବିଶ୍ୱ ଚାମ୍ପିୟନଶିପ୍‌ ଟ୍ରାଏଲରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଆହତ ହୋଇଥିବା ପ୍ରବୀଣ କୁମାର ଓ ଜିତେନ୍ଦ୍ର ୭୪ କେ.ଜି. ଟ୍ରାଏଲରେ ସୁଶୀଲଙ୍କ ସହ ଲଢ଼ିବାକୁ ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆଠାରୁ ଅନୁମତି ମାଗିଥିଲେ। ସୁଶୀଲ ଏବେ ତାଙ୍କ ବର୍ଗରେ ବିଶ୍ୱର ଶ୍ରେଷ୍ଠ-୨୦ରେ ସ୍ଥାନ ପାଇନାହାନ୍ତି। ତେବେ ସୁଶୀଲଙ୍କ ଆଖଡାରୁ ଆସିଥିବା ଅମିତ୍‌ କୁମାର ଧନକର ୭୪ କେ.ଜି. ବର୍ଗ ର଼୍ୟାଙ୍କିଙ୍ଗ୍‌ରେ ନବମ ସ୍ଥାନରେ ରହିଛନ୍ତି।

Share