Categories: ଖେଳ

ପ୍ରତ୍ୟେକ ଛକା ପିଛା ୧୨ ହଜାର ଟଙ୍କା ଦାନ କରିବେ ଖେଳାଳି

ମେଲ୍‌ବୋର୍ନ,୪।୧- ଜଙ୍ଗଲରେ ଲାଗିଥିବା ନିଆଁ ଅଷ୍ଟ୍ରେଲିଆରେ ଆତଙ୍କ ଖେଳାଇ ଦେଇଛି। ହଜାର ହଜାର ହେକ୍ଟର ଜଙ୍ଗଲ ନିଆଁ ଯୋଗୁ ବହୁ ଜୀବନ ଓ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। ଏଭଳି ପରିସ୍ଥିତିରେ ସହାୟତା ପାଇଁ ଆଗେଇ ଆସିଛନ୍ତି ଅଷ୍ଟ୍ରେଲିଆନ୍‌ ଓପନର କ୍ରିସ ଲିନ ଓ ମଧ୍ୟକ୍ରମର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସଓ୍ବେଲ। ଚଳିତ ବିଗ୍‌ ବାଶ ଲିଗ୍‌ (ବିବିଏଲ୍‌)ରେ ପ୍ରତ୍ୟେକ ଛକା ପିଛା ୨୫୦ ଅଷ୍ଟ୍ରେଲିଆନ୍‌ ଡଲାର ଦାନ କରାଯିବ ବୋଲି ଦୁହେଁ ଟୁଇଟ୍‌ କରି ଘୋଷଣା କରିଛନ୍ତି। ଭାରତୀୟ ମୁଦ୍ରାରେ ଏହାର ପରିମାଣ ୧୨,୪୬୭ ଟଙ୍କା। ବିବିଏଲ୍‌ ମୋର ପ୍ରତ୍ୟେକ ଛକା ହିସାବରେ ରେଡ୍‌କ୍ରସ ଜରୁରୀ ପାଣ୍ଠିକୁ ୨୫୦ ଆମେରିକୀୟ ଡଲାର ଦାନ ସ୍ବରୂପ ଦେବି। ଯେଉଁମାନେ ଜୀବନ ଓ ଦେଶର ସମ୍ପତ୍ତିକୁ ସୁରକ୍ଷା ଦେଉଛନ୍ତି, ସେମାନେ ସତରେ ହିରୋ ବୋଲି ଲିନ ଟୁଇଟ୍‌ କରିଛନ୍ତି। ତାଙ୍କ ଟୁଇଟର ତୁରନ୍ତ ପରେ ମ୍ୟାକ୍ସଓ୍ବେଲ ମଧ୍ୟ ସମାନ ଘୋଷଣା କରି ଲେଖିଥିଲେ, ମୁଁ ତୁମ ସହ ଛିଡ଼ା ହୋଇଛି। ମୋର ପ୍ରତ୍ୟେକ ଛକା ପିଛା ସମାନ ଅର୍ଥ ରାଶି ପ୍ରଦାନ କରିବି। ଦେଶର ଏତେ କ୍ରୀଡ଼ାବିତ୍‌ ଆଗେଇ ଆସିଥିବାର ଦେଖି ଖୁସି ଲାଗୁଛି। ଏହାପରେ ଗୋଟିଏ ପରେ ଗୋଟି ଖେଳାଳି ସହାୟତା ପାଇଁ ଆଗେଇ ଆସିଥିଲେ। ତାଲିକାରେ ଡାର୍ସି ଶଟ ଓ ନିକୋଲାସ କିର୍ଗିଅସ ରହିଛନ୍ତି।

Share