Categories: ଖେଳ

ପ୍ରତ୍ୟେକ ଦିନ ନୂଆ ଅଭିଜ୍ଞତା ରହିଥିଲା: ଶୁଭେନ୍ଦୁ

ଭୁବନେଶ୍ୱର, ୩।୬(ସ୍ପୋଟର୍‌ସ ବ୍ୟୁରୋ)- ଭାରତୀୟ ୧୬ ବର୍ଷରୁ କମ୍‌ ଫୁଟ୍‌ବଲ ଦଳର ମୁଖ୍ୟ କୋଚ୍‌ ତଥା ଦେଶର ପ୍ରଥମ ସ୍କୋରର ଏକ୍ସପର୍ଟ ଶୁଭେନ୍ଦୁ ପଣ୍ଡା କ୍ରୋଏସିଆର ପ୍ରତିଷ୍ଠିତ ହାଜଡକ୍‌ କ୍ଲବରେ ଅନୁଷ୍ଠିତ ଫୁଟ୍‌ବଲ ଏକ୍ସପର୍ଟ ବୈଠକରେ ସଫଳତାର ସହ ଅଂଶଗ୍ରହଣ କରିଛନ୍ତି। ବିଶ୍ୱ ଫୁଟ୍‌ବଲ ଏକାଡେମୀର ପ୍ରତିଷ୍ଠାତା ରେମଣ୍ଡ୍‌ ଭେରହେଇଜେନଙ୍କ ପକ୍ଷରୁ ଶୁଭେନ୍ଦୁଙ୍କୁ ଏହି ଫୁଟ୍‌ବଲ ଏକ୍ସପର୍ଟ ବୈଠକ ଲାଗି ମନୋନୀତ କରାଯାଇଥିଲା। କ୍ରୋଏସିଆ ଲିଗ୍‌ର ଶ୍ରେଷ୍ଠ କ୍ଲବ ହାଜ୍‌ଡକ୍‌ଠାରେ ଗତ ମେ ୨୭ରୁ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏକମାତ୍ର ତଥା ପ୍ରଥମ ଭାରତୀୟ କୋଚ୍‌ ଭାବେ ଶୁଭେନ୍ଦୁ ଏହି କଣ୍ଡିଶନିଂ ଓ ପିରିଓଡାଇଜେଶନ ପ୍ରୋଗ୍ରାମ ପାଇଁ ମନୋନୀତ ହୋଇଥିଲେ। ବିଶ୍ୱର ୪୦ ଜଣ ଫୁଟ୍‌ବଲ ଏକ୍ସପର୍ଟ ଏହି ବୈଠକରେ ଯୋଗଦେଇ ସେମାନଙ୍କ ଜ୍ଞାନ ଆଦାନପ୍ରଦାନ କରିଥିଲେ। ହାଜ୍‌ଡକ୍‌ରେ ସପ୍ତାହବ୍ୟାପୀ ହୋଇଥିବା ଏକ୍ସପର୍ଟ ବୈଠକରେ ବିଶ୍ୱସ୍ତରୀୟ କୋଚ୍‌ଙ୍କ ନିକଟରୁ ବିଭିନ୍ନ ଜ୍ଞାନ ଆହରଣ କରିବାର ସୁଯୋଗ ମିଳିଲା, ଯାହା ବହୁତ ଭଲ ରହିଥିଲା। କ୍ରୋଏସିଆ ଜାତୀୟ ଯୁବ ଦଳ ସହ ହୋଇଥିବା ଟ୍ରେନିଂ ସେସନ ବିଷୟରେ କହିବାକୁ ମୋ ପାଖରେ ଭାଷା ନାହିଁ। ପ୍ରତ୍ୟେକ ଦିନ ମୋ ଲାଗି ନୂଆ ନୂଆ ଅଭିଜ୍ଞତା ଆଣିଥିଲା ବୋଲି ଶୁଭେନ୍ଦୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
୨୦୧୬ରେ ନେଦରଲାଣ୍ଡ୍ସର ଆମଷ୍ଟରଡାମ୍‌ରେ ଅନୁଷ୍ଠିତ ଫୁଟ୍‌ବଲ କଣ୍ଡିଶନିଂ ଓ ମେଣ୍ଟରଶିପ୍‌ ପ୍ରୋଗ୍ରାମରେ ମଧ୍ୟ ଶୁଭେନ୍ଦୁ ଅଂଶଗ୍ରହଣ କରିଥିଲେ। ସେହିଭଳି ୨୦୧୮ରେ ମଧ୍ୟ ପର୍ତ୍ତୁଗାଲରେ ହୋଇଥିବା ଏକ୍ସପର୍ଟ ବୈଠକରେ ସେ ଭାରତରୁ ଏକମାତ୍ର କୋଚ୍‌ ଭାବେ ଯୋଗଦେଇଥିଲେ। ଶୁଭେନ୍ଦୁ ପ୍ରଥମ ଓଡ଼ିଆ ଭାବେ ଅଷ୍ଟ୍ରେଲିଆର ପ୍ରାକ୍ତନ ଫୁଟ୍‌ବଲର ସ୍କଟ୍‌ ଓ’ଡେନେଲଙ୍କ ତତ୍ତ୍ୱାବଧାନରେ ଏଏଫ୍‌ସି-ଏ ଲାଇସେନ୍ସ ସାର୍ଟିଫିକେଟ୍‌ ହାସଲ କରିଥିଲେ। ସେ ୧୪ ଓ ୧୬ ବର୍ଷରୁ କମ୍‌ ଓଡ଼ିଶା ଦଳର ପ୍ରଶିକ୍ଷକ ସମେତ ଜାତୀୟ ଦଳର ବିଭିନ୍ନ ବୟସବର୍ଗରେ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଛନ୍ତି।

Share