ପ୍ରତ୍ୟେକ ମ୍ୟାଚ୍‌ ଲାଗି ରିିଜର୍ଭ ଦିନ ସମ୍ଭବ ନୁହେଁ: ଆଇସିସି

ନଟ୍ଟିଂହାମ,୧୨।୬ (ପିଟି): ଚଳିତ ବିଶ୍ୱକପ୍‌ରେ ବର୍ଷା ଯୋଗୁ ୩ ମ୍ୟାଚ୍‌ ବାତିଲ ହୋଇସାରିଛି। ଆଉ କିଛି ମ୍ୟାଚ୍‌ ମଧ୍ୟ ବର୍ଷା ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଛି। କିନ୍ତୁ ଏଥିରେ କିଛି କରାଯାଇ ପାରିବ ନାହିଁ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ବୁଧବାର କୁହାଯାଇଛି। କାରଣ ଇଂଲଣ୍ଡରେ ଏବେ ବର୍ଷାଋତୁ ଚାଲି ନାହିଁ। ହଠାତ ଦେଶକୁ କଳା ବାଦଲ ମାଡ଼ି ଆସିଛି। ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କାର ଦୁଇଟି ମ୍ୟାଚ୍‌କୁ ବର୍ଷା ସମ୍ପୂର୍ଣ୍ଣ ଧୋଇ ଦେଇଥିବାବେଳେ ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସାଉଥାମ୍ପଟନଠାରେ ଅନୁଷ୍ଠିତ ମ୍ୟାଚ୍‌ କେବଳ ୭.୩ ଓଭର ପର୍ଯ୍ୟନ୍ତ ଖେଳାଯାଇ ପାରିଥିଲା। ଗୁରୁବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍‌ରେ ମଧ୍ୟ ବାଧା ସୃଷ୍ଟି କରିପାରେ। କାରଣ ନଟ୍ଟିଂହାମଠାରେ ବର୍ଷା ଜାରି ରହିଛି। ପ୍ରତ୍ୟେକ ଲିଗ୍‌ ମ୍ୟାଚ୍‌ ପାଇଁ ଏକ ଅତିରିକ୍ତ ଦିନ ହାତରେ ରଖିବା ସମ୍ଭବପର ନୁହେଁ। କାରଣ ଏହା ଦ୍ୱାରା ଇଭେଣ୍ଟ ଖୁବ ଲମ୍ବା ହୋଇଯାଇଥାନ୍ତା। ୟୁନାଇଟେଡ୍‌ କିଙ୍ଗ୍‌ଡମର ପାଣିପାଗ ରିପୋର୍ଟ ଅନୁଯାୟୀ ଜୁନ ମାସରେ କେବଳ ଦୁଇ ଥର ଆଭରେଜ ବୃଷ୍ଟିପାତ ହୋଇଛି। ୨୦୧୮ ଜୁନରେ ମାତ୍ର ୨ ମିଲି ମିଟର (ଏମ୍‌ଏମ୍‌) ବର୍ଷା ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ୧୦୦ ଏମ୍‌ଏମ୍‌ ବର୍ଷା ହୋଇଛି ବୋଲି ଆଇସିସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଡେଭ୍‌ ରିଚାର୍ଡସନ କହିଛନ୍ତି। ଏଥିସହ ସହ ସେ ପ୍ରତ୍ୟେକ ମ୍ୟାଚ୍‌ ପାଇଁ ରିଜର୍ଭ ଦିନ ଧାର୍ଯ୍ୟ କରିବା ଦ୍ୱାରା କେଉଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା ସେ ସମ୍ପର୍କରେ ମଧ୍ୟ କହିଛନ୍ତି। ଏହା ଦ୍ୱାରା ପିଚ୍‌ ପ୍ରସ୍ତୁତି, ଖେଳାଳିଙ୍କ ଟ୍ରାଭେଲ ଓ ରହିବା ସୁବିଧା, ଭେନ୍ୟୁର ଉପଲବ୍ଧ, ଟୁର୍ନାମେଣ୍ଟ ଷ୍ଟାଫିଂ, ମ୍ୟାଚ୍‌ ଅଫିସିଆଲ ଓ ପ୍ରସାରଣ ପ୍ରକ୍ରିୟାରେ ଅସୁବିଧା ହୋଇଥାନ୍ତା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦର୍ଶକଙ୍କୁ ମଧ୍ୟ ଟ୍ରାଭେଲ ଓ ରହିବା ଲାଗି ସମାନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା। ଏହାବାଦ୍‌ ରିଜର୍ଭ ଦିନରେ ବର୍ଷା ନ ହେବ ବୋଲି ତା’ର ଗ୍ୟାରେଣ୍ଟି କିଏ ଦେବ ବୋଲି ସେ ପ୍ରଶ୍ନ କରିଛନ୍ତି।

Share