Categories: ଜାତୀୟ

ପ୍ରଥମଥର ପାଇଁ ଭୋଟ ମାଗିଲେ ଶହୀଦ ଭଗତ ସିଂଙ୍କ ପରିବାର ସଦସ୍ୟ

ପୁଣେ,୧୦।୧୦:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋର ଚାଲିଛି। ରାଜ୍ୟରେ ଭାଜପା-ଶିବସେନା ଏବଂ କଂଗ୍ରେସ-ଏନସିପି ମେଣ୍ଟ ମଧ୍ୟରେ ଟକ୍କର ହେବାକୁ ଯାଉଛି। ଏଥର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଶହୀଦ ଭଗତ୍‌ ସିଂଙ୍କ ପରିବାରର ଜଣେ ସଦସ୍ୟ। ତାଙ୍କ ନାତି ବିକ୍ରମ ସିଂ ସାନ୍ଧୁ ଭାଜପାର ବର୍ତ୍ତମାନ ବିଧାୟକ ଥିବା ନରେନ୍ଦ୍ର ପାଓ୍ବାରଙ୍କ ସପକ୍ଷରେ ଭୋଟ ମାଗିଛନ୍ତି। ଭାଜପା ଏଥର ନରେନ୍ଦ୍ରଙ୍କୁ ଟିକେଟ ଦେଇ ନ ଥିବାରୁ ସେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ କଲ୍ୟାଣ(ପଶ୍ଚିମ)ସିଟ୍‌ରୁ ନିର୍ବାଚନ ଲଢୁଛନ୍ତି। ବୁଧବାର ଶିବାଜୀ ଚୌକରେ ପାଓ୍ବାର ନିର୍ବାଚନ ପ୍ରଚାର କାର୍ଯ୍ୟାଳୟ ଉଦଘାଟନ ଅବସରରେ ବିକ୍ରମ ସିଂ ଯୋଗଦେଇଥିଲେ। ପ୍ରଥମଥର ପାଇଁ ଭଗତ ସିଂଙ୍କ ପରିବାରର ସଦସ୍ୟ କୌଣସି ନେତାଙ୍କ ପାଇଁ ପ୍ରଚାର କରିବା ଦେଖାଯାଇଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନ ପାଇଁ ଅକ୍ଟୋବର ୨୧ରେ ନିର୍ବାଚନ ହେବ।

Share