ପ୍ରଥମଥର ପାଇଁ ହେଲା କୁକୁରର ହାର୍ଟ ଅପରେଶନ

ନୂଆଦିଲ୍ଲୀ,୯।୨: ଦେଶରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଏକ ବଡ ସଫଳତା ମିଳିଛି। ପ୍ରଥମ କରି ସାଢେ ୭ ବର୍ଷର ଏକ କୁକୁରର ପେସ୍‌ମେକର ଇନପ୍ଲାଣ୍ଟ ସର୍ଜରୀ କରାଯାଇଛି। ପ୍ରାଣୀ ଚିକିତ୍ସକମାନେ ଦାବି କରିଛନ୍ତି କି ଏଭଳି ଅପରେଶନ ଦେଶର ପ୍ରଥମ। ଖୁସି ନାମକ ଏକ ମାଈ କୁକୁର ଛାତିରେ ପେଡିଆଟ୍ରିକ୍‌ ପେସ୍‌ମେକର ଲଗାଯାଇଛି। ଏହି କୁକୁରର ହାର୍ଟ ସମ୍ପୂର୍ଣ୍ଣ ଭାବେ ବ୍ଲକ ହୋଇଯାଇଥିବା ଚିକିତ୍ସକମାନେ କହିଛନ୍ତି। ଫଳରେ କୁକରର ହାର୍ଟ ବିଟ୍‌ ମିନିଟକୁ ମାତ୍ର ୨୦ ଥର ହେଉଥିଲା। ସାଧାରଣରେ ହାର୍ଟ ବିଟ୍‌ ମିନିଟରେ ୬୦-୧୨୦ଥର ରହିବା ଦରକାର। ମ୍ୟାକ୍ସ ଭେଟ୍ସ ସୁପର ସ୍ପେଶାଲିଟି ହସ୍ପିଟାଲର ଛୋଟ ପ୍ରାଣୀଙ୍କ ଇଣ୍ଟରଭେନଶନଲ କର୍ଡିଓଲୋଜିଷ୍ଟ ଡା. ଭାନୁ ଦେବ ଶର୍ମାଙ୍କ କହିବା କଥା ହେଲା, ଖୁସିର ହାର୍ଟ ସମାନ୍ୟ ଢଙ୍ଗରେ ସଞ୍ଚାଳନ କରୁ ନ ଥିଲା। ଫଳରେ ସେ ବାରମ୍ବାର ବେହୋସ୍‌ ହୋଇଯାଉଥିଲା। କୁକୁରର ମାଲିକଙ୍କ କହିବା ଅନୁଯାୟୀ, ଖୁସି ହେଉଛି ଏକ ଅଳସୁଆ କୁକୁର। ଗତବର୍ଷ ଫେବୃୟାରୀରେ ତା’ର କାନ ଅପରେଶନ ସମୟରେ ସେ ପଡିଯାଇଥିଲା। ହେଲେ ଡାକ୍ତରମାନେ କୌଣସି ମତେ ତାକୁ ବଞ୍ଚାଇ ଦେଇଥିଲେ। ହେଲେ ଏହାପରେ ବି ଖୁସି କୌଣସି ବଡ ରୋଗରେ ପୀଡିତ ଅନୁମାନ କରି ମାଲିକ ତାକୁ ହସ୍ପିଟାଲ ଆଣିଥିଲେ। ଆଉ ଡା. ଶର୍ମା ତା’ର ଇସିଜି କରିବା ପରେ କୁକୁରର ହାର୍ଟ ବ୍ଳକ ଥିବା ଜାଣିପାରିଥିଲେ। ଏହାପରେ ଡା.ଶର୍ମା ଓ ଡା. କୁନାଲ ଦେବ ଶର୍ମା ତାଙ୍କ ୟୁରୋପୀୟ ସହଯୋଗୀଙ୍କ ସହ ଏହା ଆଲୋଚନା କରି କୁକୁରର ହାର୍ଟ ଅପରେଶନ କରିଥିଲେ। ଗତ ଡିସେମ୍ବର ୧୫ରେ ଏହି ଅପରେଶନ କରାଯାଇ ମାତ୍ର ଦେଢ ଘଣ୍ଟା ଭିତରେ କୁକୁର ଛାତିରେ ପେସ୍‌ମେକର ଲଗାଯାଇଥିଲା। କୁକୁରର ମାଲିକଙ୍କ କହିବା କଥା ଖୁସି ଏବେ ପୂର୍ବାବସ୍ଥାକୁ ଫେରି ଆସିଛି।

Share