Categories: ଖେଳ

ପ୍ରଥମଥର ଲାଗି ଇଂଲଣ୍ଡ କେନ୍ଦ୍ରୀୟ ଚୁକ୍ତି ତାଲିକାରେ ଆର୍ଚର

ଲଣ୍ଡନ, ୨୦।୯ (ଏଏଫ୍‌ପି)- ଗତ ଆଇସିସି ବିଶ୍ୱକପ୍‌ ଓ ଆଶେସ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ପ୍ରଥମଥର ଲାଗି ଇଂଲଣ୍ଡ କେନ୍ଦ୍ରୀୟ ଖେଳାଳି ଚୁକ୍ତି ତାଲିକାରେ ସ୍ଥାନ ପାଇଛନ୍ତି। ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ପକ୍ଷରୁ ପ୍ରକାଶିତ ଉଭୟ ଟେଷ୍ଟ ଓ ଦିନିକିଆ କେନ୍ଦ୍ରୀୟ ଖେଳାଳି ତାଲିକାରେ ଆର୍ଚରଙ୍କୁ ସ୍ଥାନ ମିଳିଛି। ୨୪ ବର୍ଷୀୟ ଆର୍ଚର ବିଶ୍ୱକପ୍‌ରେ ଇଂଲଣ୍ଡର ସର୍ବାଧିକ ଉଇକେଟ୍‌ ହାସଲକାରୀ ବୋଲର ରହିଥିଲେ। ସେ ମୋଟ୍‌ ୨୨ ଉଇକେଟ୍‌ ନେଇ ଇଂଲଣ୍ଡକୁ ପ୍ରଥମ ବିଶ୍ୱକପ୍‌ ଟ୍ରଫି ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବାର୍ବାଡସ ଜନ୍ମିତ ୨୪ ବର୍ଷୀୟ ଆର୍ଚର ଚଳିତ ବର୍ଷ ପ୍ରାରମ୍ଭରେ ଇଂଲଣ୍ଡ ପକ୍ଷରୁ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲେ। ଆର୍ଚରଙ୍କ ସମେତ ୧୦ଜଣ ଖେଳାଳି ୨୦୧୯/୨୦ ସିଜନ ଲାଗି କେନ୍ଦ୍ରୀୟ ଟେଷ୍ଟ ଚୁକ୍ତିରେ ରହିଛନ୍ତି। ଦୁଇ ସ୍ପିନର ମୋଇନ ଅଲି ଓ ଆଡିଲ ରଶିଦ ସେମାନଙ୍କ ଟେଷ୍ଟ ଚୁକ୍ତି ହରାଇଛନ୍ତି।

Share