Categories: ଖେଳ

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ମଜଭୁତ ସ୍ଥିତିରେ ଭାରତ-ଏ

ଥିରୁଭାନନ୍ତପୁରମ, ୧୦।୯- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷରେ ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ-ଏ ଦୃଢ଼ସ୍ଥିତିରେ ରହିଛି। ୧୩୯ ରନ ପଛରେ ଥାଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା-ଏ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମଙ୍ଗଳବାର ୨ୟ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୩୫ ଓଭରରେ ୫ ଉଇକେଟ୍‌ ହରାଇ ୧୨୫ ରନ ସଂଗ୍ରହ କରିଛି। ଉଇକେଟ୍‌କିପର ହେନରୀ କ୍ଲାସେନ ୩୫ ଓ ଓ୍ବିଆନ ମଲ୍‌ଡର ୧୨ ରନ୍‌ କରି ଅପରାଜିତ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଏଡେନ ମାର୍କରାମ ୪, ପିଟର ମଲାନ ୪, ଜୁବାୟର ହମାଜ ୪୪, ଖୟା ଜୋଣ୍ଡୋ ୧୦ ଓ ସେନୁରାନ ମୁଥୁସାମୀ ୪ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଘରୋଇ ଭାରତ-ଏ ପକ୍ଷରୁ ଶାହବାଜ ନଦୀମ ୨ ଏବଂ ମହମ୍ମଦ ସିରାମ, ଶାର୍ଦ୍ଦୁଳ ଠାକୁର ଓ କ୍ରିଷ୍ଣାପ୍ପା ଗୋଥାମ ଗୋଟିଏ ଲେଖାଏ ଉଇକେଟ୍‌ ଅକ୍ତିଆର କରିଛନ୍ତି। ହାତରେ ୫ ଉଇକେଟ୍‌ ରହିଥିବାବେଳେ ଭାରତ-ଏ ଇନିଂସ ପରାଜୟ ଏଡ଼ାଇବା ପାଇଁ ଆହୁରି ୧୪ ରନ୍‌ ଆବଶ୍ୟକ କରୁଛି। ମ୍ୟାଚ୍‌ ଆହୁରି ୨ ଦିନ ବଳକା ରହିଥିବାବେଳେ ଫଳାଫଳ ବାହାରିବା ସ୍ପଷ୍ଟ ହୋଇଛି।

ଦକ୍ଷିଣ ଆଫ୍ରିକା-ଏ’ର ପ୍ରଥମ ଇନିଂସ ସ୍କୋର ୧୬୪ ରନ ଜବାବରେ ଭାରତ-ଏ ସୋମବାର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୨ ଉଇକେଟ୍‌ ହରାଇ ୧୨୯ ରନ କରିଥିଲା। ମଙ୍ଗଳବାର ଏହି ଅସମାପ୍ତ ପ୍ରଥମ ଇନିଂସ ସ୍କୋରରୁ ବ୍ୟାଟିଂ କରି ଭାରତ-ଏ ବ୍ୟାଟ୍ସମ୍ୟାନଙ୍କ ମିଳିତ ସଫଳତା ଯୋଗୁ ୮୭.୫ ଓଭରରେ ୩୦୩ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଅଧିନାୟକ ଶୁବମନ ଗିଲ ସର୍ବାଧିକ ୯୦ ରନ ସଂଗ୍ରହ କରିଥିଲେ। ସେ ନିଜ ପୂର୍ବଦିନର ସ୍କୋରରେ ଆଉ ୨୩ ରନ ଯୋଡ଼ି ଡେନ୍‌ ପିଡେଟ୍‌ଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ। ସେହିପରି ଉଇକେଟ୍‌କିପର ଶ୍ରୀକର ଭରତ ୩୩ ଓ ନିମ୍ନକ୍ରମରେ ଶାର୍ଦ୍ଦୁଳ ଠାକୁର ୩୪ ରନ କରିଥିବାବେଳେ ଜଲାଜ ସକ୍ସେନା ୬୧ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଭ୍ରମଣକାରୀ ଦଳ ପକ୍ଷରୁ ଲୁନଗି ଏନ୍‌ଗିଡି ଓ ପିଡେଟ୍‌ ୩ଟି ଲେଖାଏ ଏବଂ ମାର୍କୋ ଜାନସେନ ଓ ଲୁଥୋ ସିପମଲ ୨ଟି ଲେଖାଏ ଉଇକେଟ୍‌ ବାଣ୍ଟି ନେଇଥିଲେ।

ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା-ଏ ପ୍ରଥମ ଇନିଂସ- ୧୬୪/୧୦
ଭାରତ-ଏ ପ୍ରଥମ ଇନିଂସ- ୩୦୩/୧୦ (ଶୁବମନ ୯୦, ଋତୁରାଜ ଗାଏକ୍ୱାଡ ୩୦, ସକ୍ସେନା ୬୧*, ରିକି ଭୁଇ ୨୬, ଲୁନଗି- ୩/୫୦, ପିଡେଟ- ୩/୮୪)।
ଦକ୍ଷିଣ ଆଫ୍ରିକା ୨ୟ ଇନିଂସ- ୧୨୫/୫, ୩୫ ଓଭର (ମାର୍କରାମ ୪, କ୍ଲାସେନ ୩୫*, ହାମଜା ୪୪, ମଲଡର ୧୨*, ନଦୀମ-୨/୧୩)

Share