Categories: ଖେଳ

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ ୭ ଉଇକେଟ୍‌ରେ ବିଜୟୀ

ଥିରୁଭାନନ୍ତପୁମର, ୧୨।୯- ସ୍ଥାନୀୟ ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷରେ ଅନୁଷ୍ଠିତ ପ୍ରଥମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌କୁ ଭାରତ-ଏ ୭ ଉଇକେଟ୍‌ରେ ଜିତିନେଇଛି। ଦକ୍ଷିଣ ଆଫ୍ରିକା-ଏ ପକ୍ଷରୁ ଧାର୍ଯ୍ୟ ୪୮ ରନର ଛୋଟିଆ ଲକ୍ଷ୍ୟକୁ ପିଛା କରି ଘରୋଇ ଭାରତ-ଏ ଦ୍ୱିତୀୟ ଇନିଂସରେ ଗୁରୁବାର ଅନ୍ତିମ ତଥା ୪ର୍ଥ ଦିବସରେ ୯.୪ ଓଭରରେ ୩ ଉଇକେଟ୍‌ ହରାଇ ହାସଲ କରିନେଇଥିଲା। ଓପନର ରିକି ଭୁଇ ୨୦ ଓ ଶୁଭମ ଦୁବେ ୧୨ ରନ କରି ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଶୁବମନ ଗିଲ ୫, ଅଙ୍କିତ ବାଓ୍ବନେ ୬ ଓ ଉଇକେଟ୍‌କିପର ଶ୍ରୀକର ଭରତ ୫ ରନ୍‌ କରି ଆଉଟ୍‌ ହୋଇଥିଲେ। ପ୍ରତିପକ୍ଷ ଦଳ ପକ୍ଷରୁ ଲୁନ୍‌ଗି ଏନ୍‌ଗିଡି ୨ ଓ ଡେନ୍‌ ପିଏଡେଟ୍‌ ଗୋଟିଏ ଉଇକେଟ୍‌ ହାସଲ କରିଥିଲେ। ଏହି ବିଜୟ ସହ ଗିଲ୍‌ଙ୍କ ନେତୃତ୍ୱାଧୀନ ଭାରତ-ଏ ୨ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ଅନ୍ତିମ ତଥା ୨ୟ ମ୍ୟାଚ୍‌ ସେପ୍ଟେମ୍ବର ୧୭ରୁ ମହୀଶୂରରେ ଆରମ୍ଭ ହେବ।
ରନ୍‌ ପଛରେ ଥାଇ ୨ୟ ଇନିଂସ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା-ଏ ବୁଧବାର ୩ୟ ଦିବସ ଖେଳ ଶେଷ ସୁଦ୍ଧା ୯ ଉଇକେଟ୍‌ ହରାଇ ୧୭୯ ରନ କରିଥିଲା। ଏହି ଅସମାପ୍ତ ୨ୟ ଇନିଂସ ସ୍କୋରରେ ଗୁରୁବାର ଆଉ ୭ ରନ ଯୋଡ଼ି ଦଳ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଫଳରେ ଭାରତ-ଏ ସମ୍ମୁଖରେ ୪୮ ରନର ଛୋଟିଆ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ପୂର୍ବରୁ ଦକ୍ଷିଣ ଆଫ୍ରିକା-ଏ ପ୍ରଥମ ଇନିଂସରେ ୧୬୪ ରନର ଜବାବରେ ଭାରତ-ଏ ଗିଲ୍‌ (୯୦) ଓ ଜଲାଜ ସକ୍ସେନା (୬୦*)ଙ୍କ ଅର୍ଦ୍ଧଶତକ ବଳରେ ୩୦୩ ରନ କରିଥିଲା।

Share