Categories: ଖେଳ

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ’ର ଇନିଂସ ବିଜୟ

ବେଲ୍‌ଗାଭି, ୨୮।୫- ଭ୍ରମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷରେ ଏଠାରେ ଖେଳାଯାଇଥିବା ପ୍ରଥମ ଅନ୍‌ଅଫିସିଆଲି ଟେଷ୍ଟ ମ୍ୟାଚ୍‌କୁ ପ୍ରିୟଙ୍କ ପଞ୍ଚଲଙ୍କ ନେତୃତ୍ୱାଧୀନ ଭାରତ-ଏ ଦଳ ଏକ ଇନିଂସ ଓ ୨୦୫ ରନର ବୃହତ୍‌ ବ୍ୟବଧାନରେ ଜିତିନେଇଛି। ମ୍ୟାଚ୍‌ର ୩ୟ ଦିବସରେ ସୋମବାର ମୋଟ୍‌ ୧୬ ଉଇକେଟ୍‌ ଦଖଲ କରି ଭାରତ-ଏ ଏହି ମ୍ୟାଚ୍‌ରେ ଏକପାଖିଆ ଭାବେ ବିଜୟ ଲାଭ କରିଛି।
ପ୍ରଥମ ଇନିଂସ ସ୍କୋର ୬୨୨/୫ ରନର ଜବାବରେ ଶ୍ରୀଲଙ୍କା-ଏ ପ୍ରଥମ ଇନିଂସ ଆରମ୍ଭ କରି ରବିବାର ୨ୟ ଦିବସ ସୁଦ୍ଧା ୪ ଉଇକେଟ୍‌ ୮୩ ରନ କରିଥିଲା। ସୋମବାର ନିରୋଶାନ ଡିକ୍‌ଓ୍ବେଲାଙ୍କ ଶତକ ବଳରେ ଶ୍ରୀଲଙ୍କା-ଏ ପ୍ରଥମ ଇନିଂସରେ ୨୩୨ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଡିକ୍‌ଓ୍ବେଲା ଦଳ ପକ୍ଷରୁ ସର୍ବାଧିକ ୧୦୩ ରନ କରିଥିବାବେଳେ ଅଧିନାୟକ ଅଶନ ପ୍ରିୟଞ୍ଜନ (୪୯) ଓ ସଦିରା ସମରବିକ୍ରମା (୩୧) ଉପଯୋଗୀ ଇନିଂସ ଖେଳିଥିଲେ। ଘରୋଇ ଦଳ ପକ୍ଷରୁ ଲେଗ୍‌-ସ୍ପିନର ରାହୁଲ ଚହର ୪ ଏବଂ ସନ୍ଦୀପ ଓ୍ବାରିୟର, ଶିଭମ ଦୁବେ ଓ ଜୟନ୍ତ ଯାଦବ ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ୩୯୦ ରନ ପଛରେ ଥାଇ ଫଲୋଅନ୍‌ ଡାକରା ପାଇଥିବା ଶ୍ରୀଲଙ୍କା-ଏ ଦ୍ୱିତୀୟ ଇନିଂସରେ ମଧ୍ୟ ଅନରୂପଭାବେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରି ୧୮୫ ରନରେ ସୀମିତ ରହିଥିଲା। ଫଳରେ ଗୋଟିଏ ଦିନରେ ଶ୍ରୀଲଙ୍କା-ଏ ୨ଥର ଅଲ୍‌ଆଉଟ୍‌ ହୋଇଯାଇଥିଲା। ସମରବିକ୍ରମା ୪୮, ପ୍ରିୟଞ୍ଜନ ୩୯ ଓ ଡିକ୍‌ଓ୍ବେଲା ୨୭ ରନ କରିଥିଲେ। ପ୍ରଥମ ଇନିଂସ ଭଳି ରାହୁଲ ଚହରଙ୍କୁ ୪ଟି ଉଇକେଟ୍‌ ମିଳିଥିଲା। ମ୍ୟାଚ୍‌ରେ ସେ ମୋଟ୍‌ ୧୨୩ ରନରେ ୮ଟି ଉଇକେଟ୍‌ ନେଇଥିଲେ। ଦ୍ୱିଶତକୀୟ ଇନିଂସ ଲାଗି ଭାରତ-ଏ’ର ଅଭିମନ୍ୟୁ ଈଶ୍ୱରନ (୨୩୩) ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ହାସଲ କରିଥିଲେ। ଦୁଇ ଦଳ ମଧ୍ୟରେ ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ ଆସନ୍ତା ୩୧ରୁ ହୁବୁଳିର ନେହେରୁ ଷ୍ଟାଡିୟମରେ ଆରମ୍ଭ ହେବ।
ସଂକ୍ଷିପ୍ତ ସ୍କୋର:
ଭାରତ-ଏ ପ୍ରଥମ ଇନିଂସ: ୬୨୨/୫, ୧୪୨ ଓଭର (ପ୍ରିୟଙ୍କ ପଞ୍ଚଲ ୧୬୦, ଈଶ୍ୱରନ ୨୩୩, ଅନମୋଲପ୍ରୀତ୍‌ ସିଂ ୧୧୬*, ବିଶ୍ୱ ଫର୍ନାଣ୍ଡୋ ୨/୮୩)।
ଶ୍ରୀଲଙ୍କା-ଏ ପ୍ରଥମ ଇନିଂସ: ୨୩୨/୧୦, ୬୩.୪ ଓଭର (ଡିକ୍‌ଓ୍ବେଲା ୧୦୩, ପ୍ରିୟଞ୍ଜନ ୪୯, ଚହର ୪/୭୮)।
ଶ୍ରୀଲଙ୍କା-ଏ ୨ୟ ଇନିଂସ: ୧୮୫/୧୦, ୫୨.୩ ଓଭର (ସମରବିକ୍ରମା ୪୮, ପ୍ରିୟଞ୍ଜନ ୩୯, ଚହର ୪/୪୫)।

Share