Categories: ମେଟ୍ରୋ

ପ୍ରଥମ କନ୍ୟାପିତାଙ୍କୁ ଅଟକ ରଖି ଦ୍ୱିତୀୟ ବିବାହ ଉଦ୍ୟମ : ଶିଶୁପାଳ ହୋଇ ଫେରିଲେ ବର

ବ୍ରହ୍ମଗିରି,୧୫।୭(ଡି.ଏନ.ଏ): ବ୍ରହ୍ମଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟେ ବରକୁ ଦୁଇଟି କନ୍ୟା ବିବାହ କରିବାକୁ ନେଇ ହୀନସ୍ତା ହୋଇଛନ୍ତି ବରପକ୍ଷ। ଶେଷରେ ଦୁଇଟିଯାକ କନ୍ୟା ଛାଡି ଚାଲିଯିବାରୁ ବର ଶିଶୁପାଳ ହୋଇ ଫେରିବାକୁ ପଡିଛି। ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମଗିରି ଅଞ୍ଚଳରେ ଶନିବାର ଏକ ବିବାହ କନ୍ୟା ଓ ବରପକ୍ଷଙ୍କ ସମ୍ମତିକ୍ରମେ ସ୍ଥିର ହୋଇଥିଲା। କିନ୍ତୁ ସେଦିନ ସକାଳୁ କନ୍ୟାପିତା ବରଘରକୁ ଆସି କୌଣସି କାରଣରୁ ଝିଅ ରାଜି ହେଉ ନ ଥିବା କହି ବିବାହ ପାଇଁ ମନା କରିଥିଲେ। ଏହି ଖବର ଶୁଣିବା ପରେ ବରପକ୍ଷ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଗାଁ କୋଠଘରେ ଅଟକ ରଖିଥିଲେ। ଏପଟେ ଯୁଦ୍ଧକାଳିନ ଭିତ୍ତିରେ ବିବାହ ପାଇଁ ଅନ୍ୟତ୍ର କନ୍ୟା ଖୋଜା ଆରମ୍ଭ ହୋଇଥିଲା। ଶେଷରେ ଆଉ ଏକ କନ୍ୟା ଠିକ କରି କନ୍ୟାଟିକୁ ଆଣିବାକୁ ଯାଇଥିବା ସମୟରେ ପୂର୍ବରୁ ଦେଖିଥିବା କନ୍ୟା ପୁଣି ସେହି ବରକୁ ବିବାହ କରିବାକୁ ରାଜି ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇଟିଯାକ କନ୍ୟା ବଧୁବେଶ ହୋଇ ପହଞ୍ଚତ୍ ଯାଇଥିଲେ। ବରଘର ହଠାତ ଦୁଇଟି କନ୍ୟାକୁ ଦେଖି ଚିନ୍ତାରେ ରହିଥିବା ସମୟରେ ପ୍ରଥମ କନ୍ୟାପିତା ବରଘର ଏଭଳି ବ୍ୟବହାର ଦେଖି ନିଜ ଝିଅକୁ ବିବାହ ଦେବାକୁ ରାଜି ନ ହୋଇ କନ୍ୟାଧରି ଚାଲିଯାଇଥିଲେ। ପରେ ଦ୍ୱିତୀୟ କନ୍ୟାପକ୍ଷ ଏହି ଘଟଣା ବିଷୟରେ ଜାଣିବା ପରେ ସେମାନେ ମଧ୍ୟ ନିଜ ଝିଅକୁ ଉକ୍ତ ବର ସହ ବିବାହ କରିବାକୁ ରାଜି ହେଲେ ନାହିଁ। ଶେଷରେ ସେ ମଧ୍ୟ ତାଙ୍କ ଝିଅକୁ ଫେରାଇ ନେଇଥିଲେ। ଦୁଇଜଣ କନ୍ୟା ଫେରିଯିବା ପରେ ବର କାହାକୁ ବିବାହ କରି ନ ପାରି ଶିଶୁପାଳ ହୋଇ ଫେରିଗଲେ।

Share