ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନ୍‌ମେଣ୍ଟ କଟକଣା: ବାଲେଶ୍ୱରର ୩ ଅଞ୍ଚଳ ସିଲ୍‌ କଲା ପ୍ରଶାସନ

ବାଲେଶ୍ୱର ଅଫିସ,୧୯।୪: ରାଜ୍ୟରେ ଶନିବାର ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଜଣଙ୍କ ବାଲେଶ୍ୱରର। ଏହା ଜଣାପଡ଼ିବା ପରେ ଜିଲା ପ୍ରଶାସନ ପକ୍ଷରୁ ମ୍ୟୁନିସିପାଲିଟି ଅଧୀନ ୨୭ ଏବଂ ୨୮ ନଂ ଓ୍ବାର୍ଡ ସହ ୨୯ନଂ ଓ୍ବାର୍ଡର ଆଶିଂକ ଅଞ୍ଚଳକୁ ୭ ଦିନ ପାଇଁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ସେହିଭଳି ଆକ୍ରାନ୍ତଜଣଙ୍କ ନେଳିଆବାଗର ହୋଇଥିବା ହେତୁ ଅଞ୍ଚଳର ୯ଟି ପ୍ରବେଶପଥକୁ ରବିବାର ସିଲ୍‌ କରାଯାଇଛି। ଆଶା, ଏଏନ୍‌ଏମ୍‌, ସ୍ବାସ୍ଥ୍ୟ କର୍ମୀ ଆଦି ୬୦ଜଣ କର୍ମୀ ୧୨ଟି ଟିିମ୍‌ରେ ବିଭକ୍ତ ହୋଇ ଆବଦ୍ଧଞ୍ଚଳରେ ଥିବା ୫୦୦ ପରିବାରର ସ୍ବାସ୍ଥ୍ୟାବସ୍ଥା ସମ୍ବଳିତ ତଥ୍ୟ ସଂଗ୍ରହ କରିବା ଆରମ୍ଭ ହୋଇଛି। ସେହିଭଳି ଉକ୍ତ ବ୍ୟକ୍ତିଙ୍କ ପରିବାରର ସମସ୍ତ ଲୋକଙ୍କୁ ପ୍ରଶାସନ ପକ୍ଷରୁ କୋଭିଡ-୧୯ ହସ୍ପିଟାଲକୁ ନିଆଯାଇଛି। ସେମାନେ ସମସ୍ତେ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ସୂଚନା ମିଳିଛି।

ପ୍ରଶାସନ ପକ୍ଷରୁ ଆବଦ୍ଧାଞ୍ଚଳବାସୀଙ୍କୁ ୨ଟି ଗାଡ଼ି ଗ୍ରୋସରୀ, ପରିବା ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯାଉଛି। ସ୍ବାସ୍ଥ୍ୟାବସ୍ଥା ଖରାପ ହେଲେ ଜିଲା ସ୍ବାସ୍ଥ୍ୟ ବିଭାଗକୁ ଯୋଗାଯୋଗ କରିବା ପାଇଁ ସ୍ବତନ୍ତ୍ର ନଂ ଦିଆଯାଇଥିବା ସିଡିଏମ୍‌ଓ ବାନାର୍ଜୀ ପ୍ରସାଦ ଛୋଟରାୟ ସୂଚନା ଦେଇଛନ୍ତି। ଏତଦ୍‌ବ୍ୟତିତ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ଅଞ୍ଚଳକୁ ସାନିଟାଇଜ୍‌ କରିବା ଆରମ୍ଭ ହୋଇଛି।

ପ୍ରକାଶ ଯେ, ବାଲେଶ୍ୱର ନେଳିଆବାଗରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଜଣଙ୍କ ୫୮ବର୍ଷୀୟ ବ୍ୟକ୍ତି। ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି, ତାହା ଠାବ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଜିଲାରେ ଆତଙ୍କ ଖେଳିଯାଇଛି।

Share