ପ୍ରଥମ କେସ୍‌ ଜିତିଲେ ସୀମା କୁଶଓ୍ବାହ: ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲେ ‘ନିର୍ଭୟା ନାୟିକା’

ନୂଆଦିଲ୍ଲୀ: ନିର୍ଭୟା ବଳାତ୍କାର ଘଟଣାରେ ୪ ଦୋଷୀଙ୍କୁ ଫାଶୀ ମିଳିବା ପରେ ଏବେ ଚର୍ଚ୍ଚାରେ ନିର୍ଭୟାଙ୍କ ଓକିଲ ସୀମା କୁଶଓ୍ବାହ। ୨୦୧୨ର ଏହି ଘଟଣା ପରଠାରୁ ସେ ମାମଲାରେ ନିଜକୁ ଯୋଡିଥିଲେ। ରାଷ୍ଟ୍ରପତି ଭବନ, ଇଣ୍ଡିଆ ଗେଟ୍‌ ଆଦି ବିଭିନ୍ନ ସ୍ଥାନରେ ନିର୍ଭୟାଙ୍କୁ ନ୍ୟାୟ ଦାବିରେ ହେଉଥିବା ବିକ୍ଷୋଭରେ ସେ ନିଜକୁ ସାମିଲ କରିଥିଲେ। କିନ୍ତୁ ପରେ ସେ ନିଜେ ଏହି କେସ୍‌ ଲଢିବାକୁ ଚାହିଁଥିଲେ। ଏହା ତାଙ୍କ କ୍ୟାରିୟରର ପ୍ରଥମ କେସ୍‌ ବୋଲି କୁହାଯାଉଛି। ସାଢେ ୭ ବର୍ଷ ମଧ୍ୟରେ ସେ ବିନା ପାରିଶ୍ରମିକରେ କେସ୍‌ ଲଢିବା ସହ ନିର୍ଭୟା ଘଟଣାର ନାୟିକା ହୋଇ ସମସ୍ତଙ୍କ ହୃଦୟ ମଧ୍ୟ ଜିତିଛନ୍ତି।
ଦିଲ୍ଲୀ ୟୁନିଭର୍ସିଟିରେ ସୀମା ଆଇନ ପଢିଥିଲେ। ପ୍ରଥମରୁ ସେ ଆଇଏଏସ୍‌ ହେବାକୁ ଚାହୁଁଥିବା ନେଇ ଏକ ସାକ୍ଷାତକାରରେ କହିଥିଲେ। ପରବର୍ତ୍ତୀ ସମୟରେ ଓକିଲାତି ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ୨୦୧୨ରେ ସେ ଟ୍ରେନିଂ ନେଉଥିବା ସମୟରେ ନିର୍ଭୟା ଘଟଣା ତାଙ୍କୁ ବ୍ୟଥିତ କରିଥିଲା। ପୀଡିତାଙ୍କୁ ନ୍ୟାୟ ଦେବାକୁ ସେ ବିକ୍ଷୋଭ, ଆନ୍ଦୋଳନରେ ସାମିଲ ହୋଇଥିଲେ। ହେଲେ ଏଥିରେ ତାଙ୍କ ମନ ମାନି ନ ଥିଲା। ଶେଷରେ ନିଜେ ଏହି ମାମଲା ଲଢିବାକୁ ଆଗେଇ ଆସିଥିଲେ। କେସ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତିଟି ମୁହୂର୍ତ୍ତ ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ଥିଲା ବୋଲି ସେ କହିଛନ୍ତି। କେବଳ କୋର୍ଟ କଚେରୀରେ ନୁହେଁ ବାହାରେ ମଧ୍ୟ ନିର୍ଭୟାଙ୍କ ପରିବାର ସହ ଛିଡା ହୋଇ ସେମାନଙ୍କୁ ମନୋବଳ ଯୋଗାଇଥିଲେ। ଦୋଷୀଙ୍କୁ ଫାଶୀ ହେବା ପରେ ସେ ଖୁସି ବ୍ୟକ୍ତ କରିଛନ୍ତି। ୭ ବର୍ଷ ପରେ ହେଉ ପଛେ ଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି ବୋଲି ସେ କହିଛନ୍ତି। ଫାଶୀ ପରେ ନିର୍ଭୟାଙ୍କ ମା’ ପ୍ରଥମେ କୁଶଓ୍ବାହାଙ୍କୁ କୃତଜ୍ଞତା ଜଣାଇଥିଲେ।

Share