Categories: ଖେଳ

ପ୍ରଥମ ଟି୨୦; ବାୟୁ ପ୍ରଦୂଷଣ ନେଇ ସମସ୍ୟା ନାହିଁ: ରୋହିତ

ନୂଆଦିଲ୍ଲୀ, ୧।୧୧ (ପି.ଟି.)- ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଛି ଓ ଏନେଇ ଗଣମାଧ୍ୟମଗୁଡିକରେ ବେଶ୍‌ ଚର୍ଚ୍ଚା ଚାଲିଛି। ଆସନ୍ତା ୩ ତାରିଖରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି୨୦ ଖେଳାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବାୟୁ ପ୍ରଦୂଷଣ ମ୍ୟାଚ୍‌ରେ ବାଧା ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି। ତେବେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏନେଇ ଏକମତ ନୁହନ୍ତି। ପ୍ରଦୂଷଣ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି ସେ କହିଛନ୍ତି। ତେବେ ବାଂଲାଦେଶ ତାରକା ବ୍ୟାଟ୍ସମ୍ୟାନ ଲିଟନ ଦାସ ମାସ୍କ ପିନ୍ଧି ଅଭ୍ୟାସ କରୁଥିବାର ଦେଖାଯାଇଥିଲା।
ପୂର୍ବରୁ ପ୍ରଦୂଷଣ ସତ୍ତ୍ୱେ ମ୍ୟାଚ୍‌ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆୟୋଜନ କରାଯିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସ୍ପଷ୍ଟ କରିଥିଲା। କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀର ଦିଲ୍ଲୀରେ ବାୟୁ ପ୍ରଦୂଷଣ ନେଇ ପ୍ରଶ୍ନ ଉଠାଇଥିଲେ। ପୂର୍ବରୁ ୨୦୧୭ରେ ଆମେ ଏଠାରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ଖେଳିଥିଲୁ। ସେତେବେଳେ ସମସ୍ୟାର ସମ୍ମୁଖୀନ ହୋଇ ନ ଥିଲୁ ବୋଲି ରୋହିତ କହିଛନ୍ତି। କେତେକ ଶ୍ରୀଲଙ୍କା ଖେଳାଳି ମାସ୍କ ପିନ୍ଧିଥିଲେ। ଏପରିକି ଏହି ମ୍ୟାଚ୍‌ ଅବସରରେ ୨୦ ମିନିଟ ଖେଳ ବନ୍ଦ ରହିଥିଲା। ଗୁରୁବାର ବାଂଲାଦେଶ ଖେଳାଳି ଅଭ୍ୟାସ କରିଥିଲେ। ଲିଟନ ୧୦ ମିନିଟ ପାଇଁ ମାସ୍କ ପିନ୍ଧିଥିଲେ। ତେବେ ନେଟ୍ସରେ ବ୍ୟାଟିଂ କଲାବେଳେ ସେ କୌଣସି ମାସ୍କ ପିନ୍ଧି ନ ଥିଲେ। ଅନ୍ୟ କୌଣସି ବାଂଲାଦେଶ ଖେଳାଳି ମାସ୍କ ପରିଧାନ କରି ନ ଥିଲେ। ଯଦିଓ କୋଟଲା ଗ୍ରାଉଣ୍ଡରେ କିଛି ପରିମାଣରେ ଧୂଆଁ ଦେଖିବାକୁ ମିଳିଥିଲା।

Share