Categories: ଖେଳ

ପ୍ରଥମ ଟି୨୦: ବିଶ୍ୱ ଚାମ୍ପିୟନକୁ ହରାଇଲା ଆୟର୍ଲାଣ୍ଡ

ସେଣ୍ଟ ଜର୍ଜସ (ଗ୍ରେନାଡା), ୧୬।୧ (ଏଏଫ୍‌ପି)- ଭ୍ରମଣକାରୀ ଆୟର୍ଲାଣ୍ଡ ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚ୍‌ରେ ବିଶ୍ୱ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜକୁ ୪ ରନରେ ରୋମାଞ୍ଚକ ଭାବେ ପରାସ୍ତ କରିଛି। ଏହି ହୋଇସ୍କୋରିଂ ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ୍‌ ହରାଇ ୨୦୮ ରନ କରିଥିଲା। ଦଳ ପକ୍ଷରୁ ଅଭିଜ୍ଞ ଓପନର୍‌ ପଲ୍‌ ଷ୍ଟିର୍ଲିଂ (୯୫ ରନ ୪୭ ବଲ୍‌, ୬ ଚୌକା, ୮ ଛକା) ଅଳ୍ପକେ ଶତକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ଅନ୍ୟତମ ଓପନର୍‌ କେଭିନ ଓ’ବ୍ରାଇନ ମଧ୍ୟ ୪୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଓପନିଂ ଯୋଡ଼ିରେ ଉଭୟ ଷ୍ଟିର୍ଲିଂ ଓ କେଭିନ ୧୨.୩ ଓଭରରେ ୧୫୪ ରନ ଭାଗୀଦାରି କରିଥିଲେ। ଘରୋଇ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଶେଲଡନ କୋଟ୍ରେଲ, ଖାରୀ ପିଏରେ ଓ ଡ୍ବେନ ବ୍ରାଭୋ ୨ଟି ଲେଖାଏ ଉଇକେଟ୍‌ ନେଇଛନ୍ତି। ଜବାବରେ ଓ୍ବେଷ୍ଟଇଣ୍ଡିଜ ଏଭିନ ଲୁଇସ (୫୩), ଅଧିନାୟକ କିରନ ପୋଲାର୍ଡ (୩୧), ଶିମରନ ହେଟ୍‌ମେୟର (୨୮)ଙ୍କ ଉପଯେଗୀ ବ୍ୟାଟିଂ ସତ୍ତ୍ୱେ ୨୦ ଓଭରରେ ୭ ଉଇକେଟ୍‌ ହରାଇ ୨୦୪ ରନ କରିବାକୁ ସମର୍ଥ ହୋଇଥିଲା। ଏହି ରୋମାଞ୍ଚକ ମ୍ୟାଚ୍‌ରେ ବିଜୟ ପାଇଁ ଅନ୍ତିମ ଓଭରରେ ୧୫ ରନ ଆବଶ୍ୟକ ହେଉଥିବାବେଳେ ଓ୍ବେଷ୍ଟଇଣ୍ଡିଜ ୧୦ ରନ କରିବାକୁ ସମର୍ଥ ହୋଇଥିଲା। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟି୨୦ରେ ଆୟର୍ଲାଣ୍ଡର ଏହା ୨ୟ ବିଜୟ। ମ୍ୟାଚ୍‌ର ଉଭୟ ଇନିଂସରେ ୪୧୨ ରନ ସଂଗ୍ରହ ହୋଇଥିବାବେଳେ ମୋଟ୍‌ ଉପରେ ୨୪ ଚୌକା ଓ ୨୭ ଛକା ଦେଖିବାକୁ ମିଳିଥିଲା। କ୍ୟାରିୟର ଶ୍ରେଷ୍ଠ ଇନିଂସ ଲାଗି ଷ୍ଟିର୍ଲିଂ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ବିଜୟ ସହ ଆୟର୍ଲାଣ୍ଡ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ୨ୟ ମ୍ୟାଚ୍‌ ଶନିବାର ସେଣ୍ଟ କିଟ୍ସରେ ଖେଳାଯିବ।

Share